କୋଲକାତା : ଭାରତର ସବୁଠାରୁ ବୟସ୍କ ମହାବଳ ବାଘ କୁହାଯାଉଥିବା ରାଜାର ମୃତ୍ୟୁ ହୋଇଛି । ମୃତ୍ୟୁବେଳକୁ ତାକୁ ୨୫ ବର୍ଷ ୧୦ ମାସ ହୋଇଥିଲା । ପଶ୍ଚିମବଙ୍ଗର ଆଲିପୁରଦ୍ବାର ଜିଲ୍ଲାର ଜଳଦପଡ଼ା ଜଙ୍ଗଲରେ ଥିବାବେଳେ ତାହାର ମୃତ୍ୟୁ ହୋଇଛି ।
ଆଜି ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗ ପକ୍ଷରୁ ‘ରାଜା’ର ଅନ୍ତିମ ସଂସ୍କାର କରାଯାଇଛି । ତାକୁ ଶେଷ ସମ୍ମାନ ଜଣାଇବାକୁ ଜଙ୍ଗଲ ବିଭାଗର ସାଧାରଣ କର୍ମଚାରୀଙ୍କଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀଙ୍କ ପର୍ଯ୍ୟନ୍ତ ଉପସ୍ଥିତ ଥିଲେ । ହିନ୍ଦୁ ପରମ୍ପରା ଅନୁସାରେ ତାହାର ଦାହ ସଂସ୍କାର କରାଯାଇଛି ।
When he came to Khayerbari Rescue Centre in 2008, terribly injured in a fight with a #crocodile, he was 11. He survived thanks to dedicated vets and our staff. But today, Raja left us forever. At 26, he was one of India’s oldest surviving #tigers. We will miss him always pic.twitter.com/2RBQ0BfYKx
— West Bengal Forest Department (@ForestDeptWB) July 11, 2022
ପୂର୍ବରୁ ସୁନ୍ଦରବନ ଜଙ୍ଗଲରେ ରହୁଥିବା ରାଜା ୨୦୦୮ରେ ମତଲା ନଦୀ ଅତିକ୍ରମ କରୁଥିବାବେଳେ ଏକ କୁମ୍ଭୀର ଆକ୍ରମଣର ଶିକାର ହୋଇଥିଲା । କୁମ୍ଭୀର ଆକ୍ରମଣରେ ତାହାର ଗୋଡ଼ ଅକର୍ମଣ୍ୟ ହୋଇଯାଇଥିଲା । ସେହି ବର୍ଷ ଜଙ୍ଗଲ ବିଭାଗ ପକ୍ଷରୁ ତାହାକୁ ଖାୟରବାରି ବାଘ ଉଦ୍ଧାର କେନ୍ଦ୍ରକୁ ଅଣାଯାଇ ତାହାର ଚିକିତ୍ସା କରାଯାଇଥିଲା । ତେବେ ସେବେଠାରୁ ସେ ଛୋଟେଇ ଛୋଟେଇ ଚାଲୁଥିଲା । ତେବେ ତାହାର ଅନ୍ୟ କୌଣସି ଶାରିରୀକ ସମସ୍ୟା ନଥିଲା ଓ ତାହାର ମୃତ୍ୟୁ ବାର୍ଦ୍ଧକ୍ୟ ଜନିତ ବୋଲି ଜଙ୍ଗଲ ବିଭାଗ ପକ୍ଷରୁ କୁହାଯାଇଛି । ତାହାର ମୃତ୍ୟୁରେ ପଶ୍ଚିମବଙ୍ଗ ଜଙ୍ଗଲ ବିଭାଗ କର୍ମଚାରୀ ବିଶେଷକରି ତାହାର ଦେଖାରଖା କରୁଥିବା କର୍ମଚାରୀ ଓ ଡାକ୍ତରଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।