କେହି କାହାକୁ ଚେତାବନୀ ଦେଇପାରିବେ ନାହିଁ : ଆଇନ ମନ୍ତ୍ରୀ ରିଜିଜୁ

ନୂଆଦିଲ୍ଲୀ : କେନ୍ଦ୍ର ସରକାର ଓ ନ୍ୟାୟାଳୟ ମଧ୍ୟରେ ଚାଲିଥିବା ମତଭେଦକୁ ପୁଣି ଚର୍ଚ୍ଚାକୁ ନେଇ ଆସିଛନ୍ତି ଆଇନ ମନ୍ତ୍ରୀ କିରେନ ରିଜିଜୁ । ବିଚାରପତି ନିଯୁକ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଥିବା ଖବର ଉପରେ ପ୍ରତିକ୍ରିୟା ପ୍ରକାଶ କରି ସେ କହିଛନ୍ତି ଯେ ସମସ୍ତେ ସମ୍ବିଧାନ ମାର୍ଗଦର୍ଶନରେ ଚାଲୁଛନ୍ତି । କେହି କାହାକୁ ଚେତାବନୀ ଦେଇପାରିବେ ନାହିଁ ।

ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଆଇନ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, “ମୁଁ ଆଜି ଏକ ଗଣମାଧ୍ୟମ ରିପୋର୍ଟ ଦେଖିଛି, ଯେଉଁଥିରେ କୁହାଯାଇଛି – ସୁପ୍ରିମକୋର୍ଟ ଏକ ଚେତାବନୀ ଦେଇଛନ୍ତି… ଦେଖନ୍ତୁ ଏହି ଦେଶର ମାଲିକ ଏହି ଦେଶର ଜନତା, ଆମେ ସମସ୍ତେ ଏହାର ସେବକ । ଭାରତୀୟ ସମ୍ବିଧାନ ହେଉଛି ଆମର ମାର୍ଗଦର୍ଶକ, ଏଠି କେହି କାହାକୁ ଚେତାବନୀ ଦେଇପାରିବେ ନାହିଁ । ରିଜିଜୁ ଏଠାରେ ଆହ୍ଲାବାଦ ହାଇକୋର୍ଟ ବାର୍ ଆସୋସିଏସନ୍ ପ୍ରତିଷ୍ଠାର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଭାଷଣ ଦେଉଥିଲେ ।

ଏହା ପୂର୍ବରୁ ଶୁକ୍ରବାର ଦିନ ଖବର ଆସିଥିଲା ଯେ ଜଷ୍ଟିସ ଏସ କେ କୌଲ ଏବଂ ଏ ଏସ ଓକାଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଇକୋର୍ଟ ବିଚାରପତିଙ୍କ ସ୍ଥାନାନ୍ତର ପାଇଁ ସୁପାରିଶକୁ ଅନୁମୋଦନ କରିବାରେ କେନ୍ଦ୍ରର ବିଳମ୍ବକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଥିଲେ ଯେ ଏହା ଏକ ଅତ୍ୟନ୍ତ ଗମ୍ଭୀର ପ୍ରସଙ୍ଗ।  ଯାହା ସମ୍ଭବ ତାହା ଆନନ୍ଦଦାୟକ ନୁହେଁ । ଖଣ୍ଡପୀଠ କହିଛନ୍ତି, “ଆମକୁ ଏପରି ପଦକ୍ଷେପ ନେବାକୁ ବାଧ୍ୟ କରନ୍ତୁ ନାହିଁ, ଯାହା ଅତ୍ୟନ୍ତ ଅସହଜ ହେବ।

ସମ୍ବନ୍ଧିତ ଖବର