ମୁମ୍ବାଇ: ମହାରାଷ୍ଟ୍ରର ଆଉ ଏକ ହସ୍ପିଟାଲ୍‌ରେ ପୁଣି ୨୪ ଘଣ୍ଟାରେ ୧୮ ରୋଗୀଙ୍କର ମୃତ୍ୟୁ ହୋଇଯାଇଛି। ଛତ୍ରପତି ସମ୍ଭାଜୀନଗର ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ୨୪ ଘଣ୍ଟାରେ ୧୮ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୨ ଜଣ ଶିଶୁ ଅଛନ୍ତି। ନାନ୍ଦେଡ଼ ସରକାରୀ ହସ୍ପିଟାଲ୍‌ରେ ୨୪ ଘଣ୍ଟାରେ ୨୪ ରୋଗୀଙ୍କ ମୃତ୍ୟୁ ଖବର ଆସିବାର ୨୪ ଘଣ୍ଟା ମଧ୍ୟରେ ଏହି ଖବର ଆସିଛି। ତେବେ ହସ୍ପିଟାଲ୍‌ ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ ପ୍ରତି ୧ ହଜାର ରୋଗୀରେ ହାରାହାରି ୯ ଜଣଙ୍କ ମୃତ୍ୟୁ ହେବା ସ୍ବାଭାବିକ।

Advertisment

ହସ୍ପିଟାଲ୍‌ ଡିନ ଡକ୍ଟର ସଂଜୟ ରାଥୋଡ଼ କହିଛନ୍ତି, ଆମ ହସ୍ପିଟାଲ୍‌ରେ ପ୍ରତିଦିନ ୧୪ ଜିଲ୍ଲାରୁ ପ୍ରାୟ ୨ ହଜାର ରୋଗୀ ଆଡମିଟ୍‌ ହେଉଛନ୍ତି। ଅଧିକାଂଶ ରୋଗୀ ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଆସୁଛନ୍ତି। ଆମ ପାଇଁ ପ୍ରତ୍ୟେକଟି ମୃତ୍ୟୁ ହେଉଛି ଦୁର୍ଭାଗ୍ୟଜନକ। କିନ୍ତୁ ଯଦି ଆମେ ସଂଖ୍ୟା ଅନୁଯାୟୀ ଦେଖିବା ତେବେ ୨ ହଜାର ରୋଗୀରେ ୧୦ ଜଣଙ୍କ ମୃତ୍ୟୁ ଅତି ଅସ୍ବାଭାବିକ ନୁହେଁ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷେ ନାନ୍ଦେଡ଼ର ଶଙ୍କରରାଓ ଚୌହ୍ବାନ ସରକାରୀ ହସ୍ପିଟାଲ୍‌ରେ ପୁଣି ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି। ୪୮ ଘଣ୍ଟା ମଧ୍ୟରେ ଏଠାରେ ମୋଟ୍‌ ୩୧ ଜଣଙ୍କର ମୃତ୍ୟୁ ହେଲାଣି। ଶଙ୍କରରାୱ ଚହ୍ବାନ ସରକାରୀ ହସ୍ପିଟାଲ୍‌ରେ ୨୪ ଘଣ୍ଟାରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୋମବାର ଖବର ଆସିଥିଲା। ଏହି ସଂଖ୍ୟା ୪୮ ଘଣ୍ଟା ମଧ୍ୟରେ ୩୧କୁ ବୃଦ୍ଧି ପାଇଛି। ଅନ୍ୟପକ୍ଷେ ୭୧ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଅଛି।