କରୋନା ଆକ୍ରାନ୍ତ ହେଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ, କାର୍ଯ୍ୟାଳୟକୁ ସିଲ୍ କରାଯିବା ସହ ଆରମ୍ଭ ହେଲା ପରିମଳ କାର୍ଯ୍ୟ

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁ ବିସ୍ତାର ଶୀର୍ଷରେ ରହିଛି। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାକୁ ଲାଗିଥିବା ବେଳେ ବର୍ତ୍ତମାନ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି | ସୂଚନାନୁସାରେ, ଦିଲ୍ଲୀର ନିର୍ମାଣ ଭବନରେ ଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ଜଣେ ଅଧିକାରୀ କରୋନା ଆକ୍ରାନ୍ତ ହୋଇଛନ୍ତି। ମେଡିକାଲ୍ ଶିକ୍ଷା ବିଭାଗର ସ୍ୱାସ୍ଥ୍ୟ ସେବା ମହାନିର୍ଦ୍ଦେଶକ ଏହି ମାରାତ୍ମକ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣା ପଡିଛି | ଏହି ସୂଚନା ପାଇବା ମାତ୍ରେ କାର୍ଯ୍ୟାଳୟକୁ ସିଲ୍ କରାଯିବା ସହ ପରିମଳ କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସହ ଅଧିକାରୀ ଜଣଙ୍କ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେ ନେଇ ଅନୁସନ୍ଧାନ ଆରମ୍ଭ ହୋଇଛି |

ସୂଚନା ମୁତାବକ, ମେ ୨୦ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୦୬୭୫୦ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଥିଲା । ଆକ୍ରାନ୍ତଙ୍କ ମଧ୍ୟରୁ ୪୨୨୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଥିଲେ । ବାକି ୩୩୦୩ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ନେଇ ସୂଚନା ଦେଇଥିଲା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ।

ସମ୍ବନ୍ଧିତ ଖବର