ନୂଆଦିଲ୍ଲୀ: ନିଟ୍‌-ୟୁଜି ପ୍ରଶ୍ନପତ୍ର ଲିକ୍ ମାମଲାକୁ ନେଇ ସୋମବାର ସୁପ୍ରିମ୍‌କୋର୍ଟରେ ଗୁରୁତ୍ବପୂର୍ଣ୍ଣ ଶୁଣାଣି ହୋଇଛି। ଭୁଲ୍ ଉତ୍ତର ପାଇଁ ନକାରାତ୍ମକ ମାର୍କିଂ ଥିବାବେଳେ ୨୯ ନମ୍ବର ପ୍ରଶ୍ନର ଦୁଇଟି ସମ୍ଭାବ୍ୟ ଉତ୍ତର ଥିବାରୁ ତାହାକୁ ନେଇ ପରୀକ୍ଷାର୍ଥୀ ଦ୍ବନ୍ଦ୍ବରେ ପଡ଼ିଥିଲେ ବୋଲି ଆବେଦନକାରୀ ଯୁକ୍ତି ବାଢ଼ିଥିଲେ। ଏହି ଦ୍ବୈତ ଉତ୍ତରମୂଳକ ପ୍ରଶ୍ନର ପରିଣାମ ହେଲା, ‘ଭୁଲ୍’ ଉତ୍ତର ବାଛିଥିବା ୪୪ ଜଣ ଛାତ୍ରଛାତ୍ରୀଙ୍କୁ ‘ଗ୍ରେସ୍ ମାର୍କ’ ଦିଆଯାଇଥିଲା, ଯେଉଁମାନେ ୭୨୦ରୁ ୭୨୦ ମାର୍କ ରଖିଥିଲେ। ଆବେଦନକାରୀ ପ୍ରଶ୍ନର ଉତ୍ତର ନ ଦେବାକୁ ନିଷ୍ପତ୍ତି ନେଇଥିଲେ ଏବଂ ସେ ୭୨୦ରୁ ୭୧୧ ନମ୍ବର ରଖିଥିଲେ। ତାଙ୍କ ଯୁକ୍ତି ଥିଲା ଯେ ଯଦି ଏହି ପରୀକ୍ଷା ପରିଚାଳନା କରୁଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସେହି ପ୍ରଶ୍ନ ପାଇଁ ମାର୍କ ଦେଇ ନ ଥାନ୍ତା, ତେବେ ସେ ଅଧିକ ମାର୍କ ରଖିଥାନ୍ତେ। ଏହା ବଦଳରେ ଏନ୍‌ଟିଏ ‘ଅସ୍ପଷ୍ଟ’ ବିକଳ୍ପ ଚୟନ କରିଥିବା ପ୍ରାର୍ଥୀଙ୍କୁ ପୂରା ମାର୍କ ଦେଇଥିଲା। ଯେଉଁମାନେ ‘ବିକଳ୍ପ-୨’କୁ ଉତ୍ତର ଭାବେ ବାଛିଥିଲେ ସେମାନଙ୍କୁ ମାର୍କ ଦେଇ ଟପରଙ୍କ ସଂଖ୍ୟା ବଢ଼ାଯାଇଥିବା ଆବେଦନକାରୀ ଯୁକ୍ତି କରିଛନ୍ତି ବୋଲି ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ କହିଥିଲେ। ଯଦି ଏନ୍‌ସିଇଆର୍‌ଟିର ସଦ୍ୟତମ ପାଠ୍ୟପୁସ୍ତକ ଅନୁଯାୟୀ ‘ବିକଳ୍ପ ୪’ ସଠିକ୍ ଉତ୍ତର, ତେବେ ଯେଉଁମାନେ ‘ବିକଳ୍ପ ୨’ ବାଛିଛନ୍ତି ସେମାନେ କିପରି ପୂରା ମାର୍କ ପାଇବେ ବୋଲି କୋର୍ଟ ପ୍ରଶ୍ନ କରିଛନ୍ତି। ଏହି ସମସ୍ୟାର ସମାଧାନ ପାଇଁ କୋର୍ଟ ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକଙ୍କୁ ତିନି ଜଣ ବିଶେଷଜ୍ଞଙ୍କୁ ନେଇ ଏକ ଟିମ୍ ଗଠନ କରିବାକୁ କହିଛନ୍ତି। ଆସନ୍ତାକାଲି ମଧ୍ୟାହ୍ନ ସୁଦ୍ଧା ଏହି ମତାମତ ଦାଖଲ କରାଯିବ ବୋଲି କୋର୍ଟ କହିଛନ୍ତି।

Advertisment

ଆଜିର ଶୁଣାଣିରେ ଆବେଦନକାରୀ ଦର୍ଶାଇଥିଲେ ଯେ ‘ଦୁଇଟି ସଠିକ୍ ଉତ୍ତର ଅଛି ଏବଂ ଉଭୟ ପାଇଁ ମାର୍କ ପ୍ରଦାନ କରାଯିବ ବୋଲି କେହି ଭାବିପାରିବେ ନାହିଁ। ନେଗେଟିଭ୍ ମାର୍କିଂକୁ ଦୃଷ୍ଟିରେ ରଖି ସେ ମାର୍କ ହରାଇବା ଭୟରେ ଉତ୍ତର ନ ଦେବାକୁ ପସନ୍ଦ କରିଥିଲେ। ଏହି ପ୍ରଶ୍ନ ବ୍ୟତୀତ ମୁଁ ବହୁତ ଭଲ ପ୍ରଦର୍ଶନ କରିଛି। ମୁଁ ୩୧୧ ମାର୍କ ପାଇଛି... ଯଦି ଏହି ପ୍ରଶ୍ନ ପାଇଁ ୪ ମାର୍କ ଦିଆଯାଏ, ତେବେ ମୁଁ ଉପର ରୢାଙ୍କ ପାଇବି । ତେବେ ଏପରି କ୍ଷେତ୍ରରେ ପ୍ରଶ୍ନକୁ ଡିଲିଟ୍ କରାଯିବା ଉଚିତ।’ ଏହାପରେ ଏନ୍‌ଟିଏ ପକ୍ଷରୁ ହାଜର ହୋଇଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କୁ କୋର୍ଟ ପଚାରିଥିଲେ, ଏନ୍‌ଟିଏ କାହିଁକି ଉଭୟ ବିକଳ୍ପ ପାଇଁ ମାର୍କ ଦେବାକୁ ନିଷ୍ପତ୍ତି ନେଲା? କାରଣ ଉଭୟ ସମ୍ଭାବ୍ୟ ଠିକ୍ ଉତ୍ତର ଥିଲା ବୋଲି ମେହେଟ୍ଟା କହିଥିଲେ। ତେବେ ଏହାକୁ ଆବେଦନକାରୀ ତୁରନ୍ତ ବିରୋଧ କରିଥିଲେ। ସେ କହିଥିଲେ- ଏହା ସମ୍ଭବ ନୁହେଁ। କାରଣ ବିକଳ୍ପ ୨ରେ କୁହାଯାଇଛି ଯେ 'ଆଟମ୍ସ ଅଫ୍ ଇଚ୍ ଏଲିମେଣ୍ଟସ୍ ଆର୍ ଷ୍ଟେବ୍‌ଲ...', ଯାହା ପୁରୁଣା ଏନ୍‌ସିଇଆର୍‌ଟି ପାଠ୍ୟପୁସ୍ତକରେ ଅଛି। କିନ୍ତୁ ନୂତନ ପାଠ୍ୟପୁସ୍ତକରେ ଅଛି ‘ଆଟମ୍ସ ଅଫ୍ ମୋଷ୍ଟ ଏଲିମେଣ୍ଟସ୍...’। ତେଣୁ ଉଭୟ ଠିକ୍ ହୋଇପାରିବ ନାହିଁ।

ଅଦାଲତ ପଚାରିବାରୁ ଏନ୍‌ଟିଏ କହିଛି ଯେ ଛାତ୍ରଛାତ୍ରୀମାନେ ନୂଆ ପୁସ୍ତକକୁ ଅନୁସରଣ କରିବେ ବୋଲି ଆଶା କରାଯାଉଛି, ଯେଉଁଥିରେ ‘ବିକଳ୍ପ ୪’କୁ ସଠିକ୍ ଉତ୍ତର ଭାବେ ଦର୍ଶାଯାଇଛି। କିନ୍ତୁ ୪.୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ’ବିକଳ୍ପ-୨’କୁ ଚୟନ କରି ଅତିରିକ୍ତ ୪ ମାର୍କ ପାଇଛନ୍ତି। ଏନ୍‌ଟିଏ କହିଛି ଯେ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବର୍ଗର ପ୍ରାର୍ଥୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଥିଲା। କାରଣ ସେମାନେ ନୂଆ ବହି କିଣିପାରି ନ ଥିଲେ ଏବଂ ଭାଇଭଉଣୀଙ୍କ ପୁରୁଣା ବହିରୁ ପାଠ ପଢ଼ିଥିଲେ। ତେବେ ଅଦାଲତ ଏହି ଯୁକ୍ତିକୁ ଗ୍ରହଣ କରି ନ ଥିଲେ। ପ୍ରଧାନ ବିଚାରପତି କହିଥିଲେ ଯେ ଭୁଲ୍ ଉତ୍ତରକୁ କିପରି ଠିକ୍ ବୋଲି ସ୍ୱୀକୃତି ମିଳିପାରିବ? ଏହି ମାମଲାର ବୃହତ୍ ଶୁଣାଣି ମଙ୍ଗଳବାର ମଧ୍ୟ ଜାରି ରହିବ।