ମନ୍ଦିର ବେଢାରେ ମଦ ପିଇବାକୁ ମନା କରିବାରୁ ସେବାୟତଙ୍କୁ ହତ୍ୟା, ଦୁଇ ସେବାୟତ ଗୁରୁତର

ଗାଜିଆବାଦ: ମନ୍ଦିର ବେଢାରେ ମଦ ପିଇବାକୁ ମନା କରିବାରୁ ଲୁହା ରଡରେ ଦୃବୁର୍ତ୍ତ କଲେ ଆକ୍ରମଣ | ଆଉ ଏହି ଆକ୍ରମଣରେ ଜଣେ ସେବାୟତଙ୍କ ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ ସେବାୟତ ଗୁରୁତର ଭାବେ ଆହତ ହୋଇଛନ୍ତି | ଉତ୍ତରପ୍ରଦେଶ ଗାଜିଆବାଦର ମୁରାଦନଗରରେ ଥିବା ଶନି ମନ୍ଦିରରେ ଏଭଳି ଘଟଣା ଘଟିଛି | ମନ୍ଦିରର ମହନ୍ତ ମୁକେଶ ଗୋସ୍ବାମୀ କହିଛନ୍ତି ଯେ ଗୁରୁବାର ସନ୍ଧ୍ୟାରେ ପ୍ରାର୍ଥନା କରିବା ପରେ ସେ ତାଙ୍କ ଘରକୁ ଯାଇଥିଲେ। ଆଉ ମନ୍ଦିରର ଦାୟିତ୍ୱ ନେବାକୁ ଦେବେନ୍ଦ୍ର, ବିନୋଦ, ପ୍ରବୀଣ କୁମାର ନାମକ ତିନି ଜଣ ସେବାୟତ ଥିଲେ |

ଆଉ ଗୁରୁବାର ରାତିରେ କିଛି ଯୁବକ ଆସି ମନ୍ଦିର ପରିସରରେ ବସି ମଦ୍ୟପାନ କରିବା ସହିତ ମାଂସ ଖାଉଥିଲେ। ଏହି ସମୟରେ ଦେବେନ୍ଦ୍ର, ବିନୋଦ ଏବଂ ପ୍ରବୀଣ କୁମାର ସେଠାରେ ପହଞ୍ଚି ଯୁବକମାନଙ୍କୁ ମନ୍ଦିର ପରିସରରେ ଏହା ନକରିବାକୁ କହିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ଦୃବୁର୍ତ୍ତମାନେ ତିନି ଜଣ ସେବାୟତଙ୍କୁ ଆକ୍ରମଣ କରିଥିଲେ |

ଆକ୍ରମଣକାରୀମାନେ ଲୁହା ରଡ ଏବଂ ପାଇପ ସାହାଯ୍ୟରେ ତିନିଜଣଙ୍କୁ ଆକ୍ରମଣ କରିଥିଲେ। ସୂଚନା ପାଇବା ପରେ ମହନ୍ତ ମୁକେଶ ଗୋସ୍ୱାମୀ ଏହି ତିନିଜଣଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ, ଯେଉଁଠାରେ ଡାକ୍ତର ପ୍ରବୀଣଙ୍କୁ ମୃତ ଘୋଷଣା କରିଥିଲେ । ଉଭୟ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଉଭୟଙ୍କୁ ଦିଲ୍ଲୀ ପଠାଯାଇଛି।

ସମ୍ବନ୍ଧିତ ଖବର