ମାନବାଧିକାରକୁ ନେଇ ପକ୍ଷପାତପୂର୍ଣ୍ଣ ଚିନ୍ତନ ଗଣତନ୍ତ୍ର ପାଇଁ ବିପଦ: ମୋଦୀ

ନୂଆଦିଲ୍ଲୀ: ମାନବ ଅଧିକାର ଉଲ୍ଲଂଘନକୁ ନେଇ ଯେଉଁମାନେ ପକ୍ଷପାତ ନୀତି ଅବଲମ୍ବନ କରୁଛନ୍ତି ଏବଂ ଭେଦଭାବ ସୃଷ୍ଟି କଲାଭଳି ବୟାନ ଦେଉଛନ୍ତି ସେମାନଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଡ଼ା ସମାଲୋଚନା କରିଛନ୍ତି। କୌଣସି ବ୍ୟକ୍ତି କିମ୍ବା ଅନୁଷ୍ଠାନର ନାମ ନନେଇ ମୋଦୀ କହିଛନ୍ତି ଯେ ମାନବାଧିକାରକୁ ନେଇ କିଛି ଲୋକଙ୍କ ସୁବିଧାବାଦୀ ନୀତି ଓ ଭେଦଭାବପୂର୍ଣ୍ଣ ପ୍ରତିକ୍ରିୟା ଅନର୍ଥକାରୀ ସାବ୍ୟସ୍ତ ହେଉଛି। ମୋଦୀ କହିଛନ୍ତି, କିଛି ଲୋକ କେବଳ ‌କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ମାନବାଧିକାର ଉଲ୍ଲଂଘନ ହେଉଥିବା ଦେଖୁଛନ୍ତି ଏବଂ ନିଜର ରାଜନୈତିକ ସ୍ବାର୍ଥକୁ ସୁହାଇଲା ଭଳି କାମ କରୁଛନ୍ତି। କିନ୍ତୁ ଅନ୍ୟ କ୍ଷେତ୍ରରେ ସେହି ସମାନ ଘଟଣାରେ ମଧ୍ୟ ସେମାନେ ମାନବାଧିକାର ଉଲ୍ଲଂଘନ ହେଉଥିବା ଦେଖିପାରୁନାହାନ୍ତି। ମୋଦୀ କହିଛନ୍ତି, ମାନବ ଅଧିକାରକୁ ନେଇ ପକ୍ଷପାତ ଚିନ୍ତନ ଗଣତନ୍ତ୍ରକୁ କ୍ଷତି ପହଞ୍ଚାଉଛି ।

ଆମେ ଏଭଳି ରାଜନୀତି ପ୍ରତି ସତର୍କ ରହିବା ଉଚିତ ବୋଲି ମୋଦୀ ଆଜି ୨୮ତମ ଏନଏଚଆରସି (ଜାତୀୟ ମାନବାଧିକାର କମିସନ୍‌) ପ୍ରତିଷ୍ଠା ଦିବସ କାର୍ଯ୍ୟକ୍ରମରେ କହିଛନ୍ତି। ଅଧିକାର ପରି କର୍ତ୍ତବ୍ୟ ବି ଗୁରୁତ୍ବପୂର୍ଣ୍ଣ। ଏହି ୨ଟି ବିଷୟ ପୃଥକ୍‌ ଭାବେ ଆଲୋଚନା ହେବା ଉଚିତ ନୁହେଁ। ‌ତେବେ ରାଜନୈତିକ ଫାଇଦା ଦୃଷ୍ଟିକୋଣରୁ ମାନବ ଅଧିକାରକୁ ଦେଖିବା ଦ୍ବାରା ଉଭୟ ମାନବାଧିକାର ଏବଂ ଗଣତନ୍ତ୍ରର କ୍ଷତି ହେଉଛି। ଏ ଦିଗରେ ସଚେତନ ରହି ନ୍ୟାୟୋଚିତ ବ୍ୟବହାରକୁ ଗୁରୁତ୍ବ ଦିଆଯିବା ଆବଶ୍ୟକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର