ମହାରାଷ୍ଟ୍ର: ମାତ୍ର ଗୋଟିଏ ପିଲାକୁ ପଢ଼ାଇବାକୁ ଜଣେ ଶିକ୍ଷକ ପାହାଡ଼ ଉପର ଦେଇ ଯାଇଥିବା ବିପଦଶଙ୍କୁଳ କାଦୁଆ ରାସ୍ତା ଦେଇ ଦୈନିକ ୧୨ କିଲୋମିଟର ଯାଉଛନ୍ତି। ପାହାଡ଼ିଆ ରାସ୍ତା ଦୁଇ ପଟରେ ରହିଛି ୪୦୦ ଫୁଟ୍ର ଖାଇ।
ଗତ ୮ ବର୍ଷ ହେବ ଏଇ ବାଟରେ ୨୯ ବର୍ଷିୟ ଶିକ୍ଷକ ରଜନୀକାନ୍ତ ମେନ୍ଧେ ନିଜ କର୍ମସ୍ଥଳୀରେ ପହଞ୍ଚୁଛନ୍ତି। ମେନ୍ଧେ ସରକାରଙ୍କ ଦ୍ୱାରା ନିଯୁକ୍ତି ପାଇଥିବା ଭୋର୍ ଅନ୍ତର୍ଗତ ଚନ୍ଦର ଗାଁ ସ୍କୁଲ୍ର ଶିକ୍ଷକ।
ପୁଣେ ଠାରୁ ୧୦୦ କିଲୋମିଟର୍ରୁ ଊର୍ଦ୍ଧ୍ୱ ଦୂରରେ ଅବସ୍ଥିତ ଏଇ ଗାଁ’ରେ ରହିଛି ୧୫ଟି କୁଡ଼ିଆ। ସେଠାରେ ରହନ୍ତି ମାତ୍ର ୬୦ ଜଣ ବାସିନ୍ଦା। ଦୁଇ ବର୍ଷ ହେବ ସେ ଗାଁ’ ସ୍କୁଲ୍ରେ ପଢୁଛି ଯୁବରାଜ ସଙ୍ଗାଲେ ନାମକ ଜଣେ ମାତ୍ର ପିଲା।
ସ୍କୁଲ୍ରେ ପହଞ୍ଚିବା ପରେ ମାନ୍ଧେଙ୍କର ପ୍ରଥମ କାମ ହେଲା ଛାତ୍ରଜଣକୁ ଖୋଜିବା। ମାନ୍ଧେ କହନ୍ତି: ସବୁବେଳେ ସେ ଗଛରେ ଚଢ଼ି ଲୁଚିଥାଏ। ବେଳେ ବେଳେ ଥାଏ ତାଙ୍କ କୁଡ଼ିଆ ଘରେ। ସ୍କୁଲ୍କୁ ଆସିବାକୁ ସେ ଭାରି କୁଣ୍ଠିତ। ବିନା କୌଣସି ସାଙ୍ଗସାଥୀରେ ତାକୁ ସ୍କୁଲ୍ ଆସିବାକୁ ପଡୁଛି। ତେଣୁ କିଏ କାହିଁକି ପଢ଼ିବାକୁ ଆସିବ ଏଠାକୁ।
ତଥାପି ବିପଦଶଙ୍କୁଳ ରାସ୍ତାରେ ଗତ ଆଠ ବର୍ଷ ହେବ ମଟର୍ସାଇକେଲ୍ ଚଢ଼ି ମାନ୍ଧେ ଏହି ସ୍କୁଲ୍କୁ ଆସୁଛନ୍ତି। ବର୍ଷାଦିନେ ରାସ୍ତାରେ ଯେଉଁ କାଦୁଅ ହୁଏ ସେଥିରେ ପଶି ସ୍କୁଲ୍ରେ ପହଞ୍ଚିବା କାଠିକର ପାଠ।
ମାନ୍ଧେଙ୍କର ଘର ନାଗପୁର। ଚନ୍ଦର ଗାଁ ସ୍କୁଲ୍ରେ ପଢ଼ାଇବାକୁ ଆସିବା ବେଳେ ସେ ସ୍କୁଲ୍ରେ ଥିଲେ ୧୧ ଜଣ ପିଲା। କିନ୍ତୁ ଉଚ୍ଚ ଶିକ୍ଷା ସୁବିଧା ୧୨ କିଲୋମିଟର ଦୂରରେ ମନଗାଓଁରେ ଥିବାରୁ ଭଲ ପଢ଼ୁଥିବା ପିଲା ବି ପାଠ ଛାଡ଼ି ଦେଲେ। ଅନେକ ବାଳିକା ଦିନ ମଜୁରିଆ ଭାବେ ଗୁଜରାଟ ଚାଲିଗଲେ।
୧୯୮୫ ମସିହାରେ ତିଆରି ହୋଇଥିଲା। ପ୍ରଥମେ ଏଥିରେ ଛାତ ନ ଥିଲା। ପରେ ଆଜ୍ବେଷ୍ଟସ୍ ପଡ଼ିଲା। ଦିନେ ସେଥିରୁ ମାନ୍ଧେଙ୍କ ଉପରକୁ ଗୋଟାଏ ସାପ ଖସିପଡ଼ିଲା। କିଛି ମାସ ତଳେ କାଦୁଅରେ ମଟରସାଇକେଲ୍ ଚଳାଇ ଯାଉଥିବାବେଳେ ସେ ନିଜେ ଗୋଟାଏ ସାପ ଉପରେ ପଡ଼ିଗଲେ। ସେ କହନ୍ତି, କିଏ ଜାଣେ ଆଗକୁ କ’ଣ ହେବ?
ଏବେ ସ୍କୁଲ୍ରେ ସାମାନ୍ୟ ଉନ୍ନତି ଘଟିଛି। ସେଠାରେ ଟିଭିଟାଏ ରଖି ଇ-ଲର୍ନିଙ୍ଗ୍ ବ୍ୟବସ୍ଥା କରାଇଛନ୍ତି ମାନ୍ଧେ। ଗାଁ’ରେ ବିଜୁଳି ନ ଥିବାରୁ ୧୨ ଭୋଲ୍ଟ୍ ସୋଲାର୍ ପାନେଲ୍ରେ ଚାଲିଛି ଏହି ଟିଭି। ବାହାର ଦୁନିଆ ବିଷୟରେ ଯୁବରାଜର ଆଗ୍ରହ ଦେଖି ସେ ନିଜେ ଦୁଇଟି ଟ୍ୟାବ୍ଲେଟ୍ କିଣି ଦେଇଛନ୍ତି।