କୋଚି: କୋଚିର କଲାମସେରିସ୍ଥିତ ଏକ କନଭେନ୍ସନ୍ ସେଣ୍ଟରରେ ରବିବାର ହୋଇଥିବା ବିସ୍ଫୋରଣ ପାଇଁ ଜଣେ ବ୍ୟକ୍ତି ନିଜକୁ ଦାୟୀ କରି ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । କେରଳର ଆଇନ ଶୃଙ୍ଖଳା ବିଭାଗର ଅତିରିକ୍ତ ପୁଲିସ ମହାନିର୍ଦ୍ଦେଶକ (ଏଡିଜିପି) ଏମ୍.ଆର୍. ଅଜିତ କୁମାର ଏହି ସୂଚନା ଦେଇଛନ୍ତି। ଏହି ବିସ୍ଫୋରଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେକ ଗୁରୁତର ଅଛନ୍ତି।
ଅଧିକାରୀ ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଡୋମିନିକ ମାର୍ଟିନ ନାମକ ଜଣେ ବ୍ୟକ୍ତି ତ୍ରିସୁର ଜିଲ୍ଲାର କୋଡାକାରା ପୋଲିସ ଷ୍ଟେସନରେ ଆତ୍ମସମର୍ପଣ କରିଛି ଏବଂ ଦାବି କରିଛି ଯେ ସେ ହିଁ ବିସ୍ଫୋରଣ କରିଥିଲା ।
"ଜେହୋବାଙ୍କ ସାକ୍ଷୀ" ନାମକ ଏକ ଧାର୍ମିକ ସମାବେଶ ସମୟରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଖ୍ରୀଷ୍ଟିଆନ ଧାର୍ମିକ ଗୋଷ୍ଠୀ ୧୯ଶ ଶତାବ୍ଦୀରେ ଆମେରିକାରେ ସ୍ଥାପିତ ହୋଇଥିଲା । ଆଶ୍ଚର୍ଯ୍ୟ କଥା ହେଉଛି ଆତ୍ମସମର୍ପଣ କରିଥିବା ବ୍ୟକ୍ତି ଏହି ସଂପ୍ରଦାୟର ଜଣେ ସଦସ୍ୟ ଥିବା କୁହାଯାଉଛି । ତେବେ ଏହା ଏକ ଆତଙ୍କବାଦୀ ଆକ୍ରମଣ କି ନା ସେ ସମ୍ପର୍କରେ ରାଜ୍ୟ ପୁଲିସ ପକ୍ଷରୁ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇନାହିଁ । ତଦନ୍ତ ପରେ ସ୍ଥିତି ସ୍ପଷ୍ଟ ହେବ ବୋଲି ଡିଜିପି ସେଖ ଦରବେଶ ସାହାବ କହିଛନ୍ତି ।