କୋରିଆର ଏକ ତୃତୀୟାଂଶ କୋଭିଡ୍‌ ରୋଗୀଙ୍କ ପାଇଁ ରେମଡେସିଭିର ସଫଳ

କୋରିଆର ଏକ ତୃତୀୟାଂଶ କୋଭିଡ୍‌ ରୋଗୀଙ୍କ ପାଇଁ ରେମଡେସିଭିର ସଫଳ ନୂଆଦିଲ୍ଲୀ, ୧୩/୭: ଦକ୍ଷିଣ କୋରିଆରେ ଭୁତାଣୁ ପ୍ରତିରୋଧୀ ଇଞ୍ଜେକ୍ସନ୍‌ ରେମଡେସିଭିର ନେଇଥିବା ଗୁରୁତର କୋଭିଡ୍-୧୯ ରୋଗୀଙ୍କ ମଧ୍ୟରୁ ଏକ ତୃତୀୟାଂଶ ରୋଗୀଙ୍କର ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହୋଇଥିବା ଜଣାଯାଇଛି। ତେବେ ଆମେରିକୀୟ କମ୍ପାନି ଜିଲିଆଡ୍‌ ସାଇନ୍ସେସ ଦ୍ବାରା ପ୍ରସ୍ତୁତ ଏହି ଇଞ୍ଜେକ୍ସନ୍‌ର ପ୍ରୟୋଗ ଯୋଗୁଁ ନା ରୋଗୀର ରୋଗପ୍ରତିରୋଧକ ଶକ୍ତି ଏବଂ ଅନ୍ୟାନ୍ୟ ଉପଚାର ଦ୍ବାରା ସେମାନେ ଏପରି ଆରୋଗ୍ୟଲାଭ କରିଛନ୍ତି, ତାହା ଜାଣିବା ପାଇଁ ଆହୁରି ଗବେଷଣାର ଆବଶ୍ୟକତା ରହିଛି ବୋଲି କୋରିଆର ସ୍ବାସ୍ଥ୍ୟାଧିକାରୀମାନେ କହିଛନ୍ତି। ଉକ୍ତ ଇଞ୍ଜେକ୍ସନ୍‌କୁ ବିଭିନ୍ନ ଡାକ୍ତରଖାନାରେ ପ୍ରୟୋଗ କରାଯାଇଥିବା ପ୍ରଥମ ୨୭ ଜଣ ଗୁରୁତର ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ କୋରିଆର ରୋଗ ନିୟନ୍ତ୍ରଣ ଓ ନିବାରଣ କେନ୍ଦ୍ର(କେସିଡିସି) ପକ୍ଷରୁ ପ୍ରକାଶିତ ସୂଚନା ଅନୁଯାୟୀ, ୯ ଜଣଙ୍କର ଉନ୍ନତି ଗଟିଥିବା ବେଳେ ୧୫ଜଣଙ୍କ ସ୍ବାସ୍ଥ୍ୟରେ କିଛି ପରିବର୍ତ୍ତନ ଜଣାପଡ଼ିନାହିଁ। ସେହିପରି ବାକି ତିନି ଜଣଙ୍କର ସ୍ବାସ୍ଥ୍ୟରେ ଅବନତି ଘଟିଛି।

ତେବେ ଏହାର ବ୍ୟାପକ ବ୍ୟବହାରରୁ ହିଁ କୌଣସି ଫଳାଫଳ ସମ୍ପର୍କରେ ନିଶ୍ଚିତ କରିହେବ ବୋଲି କେସିଡିସିର ଉପନିର୍ଦ୍ଦେଶକ କ୍ୟୋନ୍‌ ଜନ୍‌ ଉକ୍‌ କହିଛନ୍ତି। ସୂଚନା ଥାଉ କି, ଆମେରିକାରେ ରେମଡେସିଭିରର ନୈଦାନିକ ପରୀକ୍ଷଣ ବେଳେ ରୋଗୀଙ୍କର ସେମାନଙ୍କ ଆରୋଗ୍ୟ ହାର ବଢ଼ିବା ସହ ଆରୋଗ୍ୟଲାଭ ଅବଧି କମିଥିବା ଜଣାପଡ଼ିବା ପରେ ଉକ୍ତ ଇଞ୍ଜେକ୍ସନ୍‌ କୋଭିଡ୍ ରୋଗୀ ତଥା ଚିକିତ୍ସକଙ୍କ ମନରେ ନୂତନ ଆଶା ସଂଚାର ହୋଇଛି। ଅପରପକ୍ଷେ, ଏହି ମହାମାରୀ ପାଇଁ ଅଦ୍ୟାବଧି କୌଣସି ଟିକା ବାହାରିନଥିବା ବେଳେ ଦକ୍ଷିଣ କୋରିଆ ସମେତ ଅନେକ ଦେଶ ରେମଡେସିଭିରକୁ ଉପଚାର ପଦ୍ଧତିରେ ସାମିଲ କରିଛନ୍ତି। ତେବେ ଗତ ଶୁକ୍ରବାର ଜିଲିଆଡ୍‌ କମ୍ପାନି ପକ୍ଷରୁ ରେମଡେସିଭିର ସମ୍ପର୍କିତ ସଦ୍ୟ ଫଳାଫଳା ଘୋଷଣା କରିବା ଅବସରରେ ଏହା ରୋଗୀଙ୍କର ଆରୋଗ୍ୟ ଅବଧି ୩୧ ପ୍ରତିଶତ ଦ୍ରୁତତର କରିବା ସହ ଗୁରୁତର ରୋଗୀଙ୍କର ମୃତ୍ୟୁହାର ମଧ୍ୟ କମାଇଥିବା କୁହାଯାଇଥିଲା। ତେବେ ଏହାର ଫଳପ୍ରଦତା ଦିଗରେ ଅଧିକ ଗବେଷଣାର ଆବଶ୍ୟକତା ରହିଛି ବୋଲି କମ୍ପାନି ପକ୍ଷରୁ ସତର୍କ କରାଇ ଦିଆଯାଇଛି।

ସମ୍ବନ୍ଧିତ ଖବର