ଡ୍ୟୁଟିକୁ ନ ଆସି ଧାରଣା ଦେଉଥିବା ୧ହଜାର ସ୍ୱାସ୍ଥ୍ୟ କର୍ମୀଙ୍କୁ ଚାକିରିରୁ ହଟାଇବାକୁ ନିର୍ଦ୍ଦେଶ

ଚଣ୍ଡୀଗଡ଼: କୋଭିଡ ମହାମାରୀ ସମୟରେ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀଙ୍କର ସବୁଠାରୁ ଅଧିକ ଦାୟିତ୍ୱ ରହୁଛି | ତେବେ ମେଡିକାଲମାନଙ୍କରେ ରୋଗୀଙ୍କର ସେବା କରିବା ପାଇଁ ନିୟୋଜିତ ସ୍ୱାସ୍ଥ୍ୟ କର୍ମୀମାନେ ଡ୍ୟୁଟିରେ ଯୋଗ ଦେଇନଥିବାରୁ ଏବେ ସେମାନଙ୍କ ଉପରେ ବଡ କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛନ୍ତି ପଞ୍ଜାବ ସରକାର | ଆଉ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ପ୍ରାୟ ୧ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଚାକିରିରୁ ହଟାଇ ସେମାନଙ୍କ ବଦଳରେ ନୂଆ ନିଯୁକ୍ତି କରିବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି |

ମିଳିଥିବା ସୂଚନା ମୁତାବକ ସ୍ଥାୟୀ ନିଯୁକ୍ତି ଦାବିରେ ପଞ୍ଜାବରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନେ ଧାରଣାରେ ବସିଥିଲେ | ତେବେ ପଞ୍ଜାବ ସରକାରଙ୍କ ପକ୍ଷରୁ ସେମାନଙ୍କ ଦାବିକୁ ବିଚାର କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା | ଆଉ ସ୍ୱାସ୍ଥ୍ୟ କର୍ମୀମାନେ ଧାରଣାରୁ ଓହରିଥିଲେ ବି ଡ୍ୟୁଟିରେ ଯୋଗ ଦେଇନଥିଲେ | ଆଉ ଏହି ଘଟଣାକୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ବଲବୀର ସିଧୁ ଚେତାଇଦେଇଥିଲେ ଯେ ଡ୍ୟୁଟିରେ ଯୋଗ ନ ଦେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ | ଆଉ ଏହି ଘଟଣାକୁ ନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ (ଏନ୍ଏଚ୍ଏମ୍) ର ପରିଚାଳନା ନିର୍ଦ୍ଦେଶକ କୁମାର ରାହୁଲ ସମସ୍ତ ଡେପୁଟି କମିଶନରଙ୍କୁ ଏକ ଚିଠି ଲେଖି କହିଛନ୍ତି ଯେ ଡ୍ୟୁଟିରେ ନଥିବା କର୍ମଚାରୀଙ୍କୁ ଛଟେଇ କରାଯାଉ।

ଏହିପରି କର୍ମଚାରୀଙ୍କ ସଂଖ୍ୟା ପ୍ରାୟ ୧ ହଜାର ବୋଲି ଆକଳନ କରାଯାଇଥିବାବେଳେ ଡେପୁଟି କମିଶନରଙ୍କୁ ଏହି କର୍ମଚାରୀଙ୍କ ବଦଳରେ ନୂତନ କର୍ମଚାରୀ ନିଯୁକ୍ତି କରିବାକୁ କୁହାଯାଇଛି | ଏଥିସହ କରୋନା ମାମଲା ବୃଦ୍ଧି ପାଉଥିବାରୁ ଆବଶ୍ୟକତା ଅନୁଯାୟୀ ଅତିରିକ୍ତ କର୍ମଚାରୀ ମଧ୍ୟ ନିଯୁକ୍ତି କରାଯାଇପାରିବ ବୋଲି ଚିଠିରେ ଦର୍ଶାଯାଇଛି। ସେମାନଙ୍କୁ ପ୍ରତିଦିନ ୧୦୦୦ ଟଙ୍କା ଦିଆଯିବ | ସୂଚନା ଥାଉ କି ଯେ କରୋନା ମହାମାରୀ ସମୟରେ ଜାତୀୟ ସ୍ୱାସ୍ଥ୍ୟ ମିଶନର ସ୍ୱାସ୍ଥ୍ୟ କର୍ମୀଙ୍କ ସହ ୭୭୬ଜଣ କମ୍ୟୁନିଟି ହେଲଥ୍ ଅଫିସର (ସିଓଏ) ଧାରଣାରେ ବସିଥିଲେ | ଆଉ ଏଥିଯୋଗୁଁ ପଞ୍ଜାବର ଡାକ୍ତରଖାନାମାନଙ୍କରେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି ହୋଇଥିଲା |

ସମ୍ବନ୍ଧିତ ଖବର