ଜଣେ ଭୋଟରଙ୍କ ପାଇଁ ଘଞ୍ଚ ଜଙ୍ଗଲରେ ପହଞ୍ଚିଲା ୧୦ ଜଣିଆ ପୋଲିଂ ଦଳ

ନୂଆଦିଲ୍ଲୀ: ଦେଶରେ ଲୋକସଭା ନିର୍ବାଚନ (୨୦୨୪) ପାଇଁ ତୃତୀୟ ପର୍ଯ୍ୟାୟ ମତଦାନ ମଙ୍ଗଳବାର ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ୯୩ଟି ଆସନରେ ମତଦାନ ହୋଇଥିଲା। ଗୁଜରାଟରେ ଗୋଟିଏ ଆସନ ବିନା ପ୍ରତିଦ୍ୱନ୍ଦ୍ୱିତାରେ ସ୍ଥିର ହୋଇଥିବାରୁ ୨୬ଟି ଆସନରୁ ୨୫ଟିରେ ମତଦାନ ହୋଇଥିଲା ।

କୌଣସି ଭୋଟର ଯେପରି ମତଦାନରୁ ବଞ୍ଚିତ ନ ହୁଅନ୍ତି ସେଥିପାଇଁ ନିର୍ବାଚନ ଆୟୋଗ ପକ୍ଷରୁ ଅନେକ ପ୍ରୟାସ କରାଯାଇଥିଲା। ଗୁଜୁରାଟର ଗିର ଜଙ୍ଗଲର ଏକ ଦୁର୍ଗମ ଅଂଚଳରେ ମାତ୍ର ଜଣେ ଭୋଟରଙ୍କ ପାଇଁ ଏକ ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା । ମହନ୍ତ ହରିଦାସ ନାମକ ଜଣେ ପୂଜକ ଭୋଟ୍ ଦେଇଥିଲେ। ଉନା ଜିଲ୍ଲାର ବନେଜଠାରେ ଏହି ମତଦାନ କେନ୍ଦ୍ର ସ୍ଥାପନ କରାଯାଇଥିଲା। ଉକ୍ତ ଭୋଟର ଯେପରି ସୁବିଧାରେ ଭୋଟ ପାଇଁ ଏକ ୧୦ ଜଣିଆ ନିର୍ବାଚନ  ଟିମ୍ ଏଠାରେ ଉକ୍ତ ଜଙ୍ଗଲରେ ପହଞ୍ଚିଥିଲା । ମହନ୍ତ ହରିଦାସ ଗିର ଜଙ୍ଗଲ ଭିତରେ ଥିବା ବନେଜ ପୋଲିଂ ବୁଥରେ ଭୋଟ ଦେଇଥିଲେ । ଏହି ପୋଲିଂ ବୁଥରେ ସେ ଥିଲେ ଏକମାତ୍ର ଭୋଟର । ଫଳରେ ଉକ୍ତ ବୁଥରେ ୧୦୦ ପ୍ରତିଶତ ଭୋଟ ହୋଇଛି ।

ସୂଚନାଯୋଗ୍ୟ ଯେ ମହନ୍ତ ହରିଦାସ ଗିର ଜଙ୍ଗଲ ମଧ୍ୟରେ ଥିବା ଏକ ଶିବ ମନ୍ଦିରରେ ରହୁଛନ୍ତି । ୨୦୦୭ରୁ ତାଙ୍କ ପାଇଁ ସ୍ବତନ୍ତ୍ର ପୋଲିଂ ବୁଥ ସ୍ଥାପନ କରାଯାଉଛି ।

ସମ୍ବନ୍ଧିତ ଖବର