ନିର୍ଭୟା ମାମଲାରେ ଦୋଷୀଙ୍କୁ ଫାଶୀ ମିଳିବାକୁ ପୂରିଲା ଗୋଟିଏ ବର୍ଷ

ନୂଆଦିଲ୍ଲୀ: ଆଜିଠାରୁ ଠିକ୍ ଗୋଟିଏ ବର୍ଷ ପୂର୍ବରୁ ନିର୍ଭୟା ଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦିଆ ଯାଇଥିଲା । ୨୦୨୦ ମାର୍ଚ୍ଚ ୨୦ ଦିନ ନିର୍ଭୟା ଦୁଷ୍କର୍ମ ଓ ହତ୍ୟାକାରୀ ଅକ୍ଷୟ ଠାକୁର (୩୧), ପୱନ ଗୁପ୍ତା (୨୫), ବିନୟ ଶର୍ମା(୨୬) ଓ ମୁକେଶ ସିଂ (୩୨) ଫାଶୀରେ ଝୁଲିଥିଲେ । ଏହି ୪ ଜଣଙ୍କୁ ଦିଲ୍ଲୀର ତିହାର ଜେଲରେ ଭୋର ସମୟରେ ଫାଶୀଖୁଣ୍ଟରେ ଝୁଲାଇ ଦିଆ ଯାଇଥିଲା।  ଫାଶୀର ଠିକ୍ ଘଣ୍ଟାଏ ପୂର୍ବରୁ ଅଭିଯୁକ୍ତମାନଙ୍କର କ୍ଷମା ଆବେଦନକୁ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହି ଫାଶୀଦଣ୍ଡକୁ ନେଇ ସାରା ଦେଶରୁ ସମର୍ଥନ ମିଳିଥିଲା।

କ’ଣ ସେମାନଙ୍କୁ ଫାଶୀଦଣ୍ଡରେ ଦଣ୍ଡିତ କରିବା ପରେ ଭାରତୀୟ ପୁରୁଷମାନଙ୍କ ମନରେ ମହିଳା ମାନଙ୍କ ପ୍ରତି ଥିବା ଦୁଷ୍କର୍ମ ମନୋଭାବକୁ ରୋକାଯାଇ ପାରିଲା କି ? ଦେଶରେ ଘଟୁଥିବା ବଳାତ୍କାର, ମହିଳାମାନଙ୍କ ପ୍ରତି ଅମାନୁଷିକ ଅତ୍ୟାଚାର ରେକର୍ଡ ଦେଖିଲେ ଏଭଳି ଫାଶୀଦଣ୍ଡ ଯେ ମହିଳା ହିଂସାକୁ ରୋକିବାରେ ସମର୍ଥ ହୋଇଛି ବୋଲି କହିହେବନାହିଁ । ହେଲେ କ’ଣ  ଆମ ଆଇନ ଦୁଷ୍କର୍ମ ଭଳି ପାଶବିକ କାର୍ଯ୍ୟ କରୁଥିବା ଅପରାଧୀଙ୍କୁ ଦଣ୍ଡିତ ନକରି ଛାଡି ଦେଇ ପାରିବ କି ? ଏହାର ଉତ୍ତର ହେବ ନା। କାରଣ ଦୋଷୀକୁ ଦଣ୍ଡ ମିଳିବା ବିଧେୟ।

ହେଲେ ମୃତ୍ୟୁଦଣ୍ଡକୁ ନେଇ ନେଇ ସାରା ବିଶ୍ୱରେ ବି ବିତର୍କ ଚାଲୁ ରହିଛି । କିଛି ବୁଦ୍ଧିଜୀବୀ ମୃତ୍ୟୁଦଣ୍ଡ ବିରୋଧରେ ମତ ରଖୁ ଥିବା ବେଳେ କିଛି ଏହାକୁ ସମର୍ଥନ କରୁଛନ୍ତି । ଏ ନେଇ କିଛି ଦେଶ ବି ସେମାନଙ୍କ ସମ୍ବିଧାନରୁ ମୃତ୍ୟୁଦଣ୍ଡକୁ ବାଦ ଦେଇ ସାରିଛନ୍ତି । କିନ୍ତୁ ନିର୍ଭୟା ମାମଲାରେ ଅଭିଯୁକ୍ତମାନଙ୍କୁ ଏଭଳି ଦଣ୍ଡ ମିଳିବା ପରେ ‘ଜଷ୍ଟିସ ଫର ନିର୍ଭୟା’ ନାମରେ ଚାଲିଥିବା ଆନ୍ଦୋଳନକୁ ରୋକାଯାଇ ପାରିବା ସହ ଦୁଷ୍କର୍ମ ଭଳି ଅସଭ୍ୟ, ଅସାମାଜିକ ଓ କ୍ରୁରତା ମନୋଭାବ ରଖୁଥିବା ପୁରୁଷମାନଙ୍କ ମନରେ ଆଇନ ପ୍ରତିଥିବା ଭ୍ରାନ୍ତ ଧାରଣା ଦୂର ହୋଇ ପାରିଛି। ତୁମେ ଅନ୍ୟପ୍ରତି କ୍ରୁର ହେଲେ ଆଇନ ଯେ ତୁମ ପ୍ରତି କ୍ରୁର ହେବ ତାହା ନିର୍ଭୟା ମାମଲାରେ କୋର୍ଟ ପ୍ରମାଣ କରିଦେଇଛି।

ସମ୍ବନ୍ଧିତ ଖବର