ଚଣ୍ଡିଗଡ଼: ଓଡ଼ିଶାର ବାଲେଶ୍ବର ବାହାନଗାକୁ ରେଳ ଦୁର୍ଘଟଣାକୁ ବର୍ଷେ ପୁରିଛି। ରବିବାର ପୁଣି ଏକ ବଡ଼ ଟ୍ରେନ୍‌ ଦୁର୍ଘଟଣା ପଞ୍ଜାବରେ ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଲୋକୋ-ପାଇଲଟ ଗୁରୁତର ହୋଇଛନ୍ତି। ଏହା ବାହାନଗା ଘଟଣାକୁ ମନେ ପକାଇ ଦେଇଛି।

Advertisment

ପଞ୍ଜାବର ଫତେହଗଡ ସାହିବର ସରହିନ୍ଦର ମାଧୋପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ଦୁଇ ମାଲବାହୀ ଟ୍ରେନ୍‌ ପରସ୍ପର ଧକ୍କା ହୋଇଛି । ଏଥିରେ ଦୁଇ ଟ୍ରେନ୍‌ ଡ୍ରାଇଭର ଗୁରୁତର ଆହତ ହୋଇଛନ୍ତି।

ପଞ୍ଜାବର ଫତେହଗଡ ସାହିବରେ ଏକ ବଡ଼ ଟ୍ରେନ୍ ଦୁର୍ଘଟଣା ଘଟିଛି। ରବିବାର ଭୋର୍ ପ୍ରାୟ ସାଢ଼େ ୩ଟାରେ ସରହିନ୍ଦ ରେଳ ଷ୍ଟେସନଠାରୁ କିଛି ଦୂରରେ ଥିବା ମାଧୋପୁର ଚୌକି ନିକଟରେ ଏକ ଟ୍ରେନ ଦୁର୍ଘଟଣା ଘଟିଛି। ୨ ମାଲ୍ ଗାଡ଼ି ସହ ପାସେଞ୍ଜର ଟ୍ରେନ୍ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଯୋଗୁ ଏକ ମାଲ୍ ଗାଡ଼ିର ଇଞ୍ଜିନ୍ ଓଲଟି ପଡିଥିଲା। ଏହା ଯୋଗୁ ପାସେଞ୍ଜର ଟ୍ରେନ୍ ସହିତ ମଧ୍ୟ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ଦୁଇ ଜଣ ଲୋକ ପାଇଲଟ ଆହତ ହୋଇଛନ୍ତି। ସେମାନେ ସାହାରନପୁର ୟୁପିର ବିକାଶ କୁମାର ଏବଂ ହିମାଂଶୁ କୁମାର ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ସାହାଯ୍ୟରେ ସିଭିଲ ହସ୍ପିଟାଲ ଫତେହଗଡ ସାହିବରେ ଭର୍ତ୍ତି କରାଯାଇଥିଲା। ତେବେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ପଟିଆଲାର ରାଜୀନ୍ଦ୍ର ଡାକ୍ତରଖାନାକୁ ପଠାଇଥିଲେ।

ସିଭିଲ୍ ହସ୍ପିଟାଲ୍ ଫତେହଗଡ ସାହିବରେ ଥିବା ଡାକ୍ତର ଇଭେନପ୍ରୀତ କୌର କହିଛନ୍ତି ଯେ ବିକାଶ କୁମାରଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କ ପିଠିରେ ଆଘାତ ଲାଗିଛି, ତାଙ୍କ ଅବସ୍ଥା ଗୁରୁତର ରହିଛି। ସୂଚନା ଅନୁଯାୟୀ, ମାଲ୍ ଗାଡ଼ି ପାଇଁ ନିର୍ମିତ ଡିଏଫସିସି ଟ୍ରାକର ନ୍ୟୁ ସରହିନ୍ଦ ଷ୍ଟେସନ ନିକଟରେ ଏହି ଦୁର୍ଘଟଣା ଘଟିଛି। କୋଇଲା ଭର୍ତ୍ତି ଦୁଇଟି ମାଲ୍ ଗାଡ଼ି ଏଠାରେ ଛିଡ଼ା ହୋଇଇଥିଲା। ଗୋଟିଏ ମାଲ୍ ଗାଡ଼ିର ଇଞ୍ଜିନ୍ ଖୋଲି ହୋଇ ଅନ୍ୟଟି ସହିତ ମୁହାଁମୁହିଁ ଧକ୍କା ହୋଇଥିଲା ଏବଂ ପରେ ଇଞ୍ଜିନଟି ଓଲଟି ପଡି ଅମ୍ବାଲା ଠାରୁ ଜମ୍ମୁ ତାୱି ଯାଉଥିବା ଯାତ୍ରୀବାହୀ ଟ୍ରେନ୍ ସମର ସ୍ପେଶାଲ ସହ ଧକ୍କା ହୋଇଥିଲା।

ଏହି ଦୁର୍ଘଟଣାରେ ମାଲ୍ ଗାଡ଼ିର ବଗି ପରସ୍ପର ଉପରେ ଚଢ଼ି ଯାଇଥିଲା। ପାସେଞ୍ଜା ଟ୍ରେନ୍ ଧକ୍କା ହେବା ମାତ୍ରେ ଏଥିରେ ଯାତ୍ରା କରୁଥିବା ଶହ ଶହ ଯାତ୍ରୀ ଭୟରେ ଚିତ୍କାର କରିବା ଆରମ୍ଭ କରିଥିଲେ। ଏହି ଦୁର୍ଘଟଣାରେ ବହୁ ଲୋକ ଆହତ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ, ଦୁର୍ଘଟଣା ଯୋଗୁ ଅମ୍ବାଲା ରୁ ଲୁଧିଆନା ଅପ୍ ଲାଇନରେ ରେଳ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅମ୍ବାଲା ଡିଭିଜନର ଡିଆରଏମ ସମେତ ରେଳବାଇ, ଜିଆରପି ଏବଂ ଆରପିଏଫର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।