ଗଲଓ୍ବାନ ସଂଘର୍ଷକୁ ବର୍ଷେ, ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲା ଭାରତୀୟ ସେନା

ଲେହ : ଗଲଓ୍ବାନ ସଂଘର୍ଷକୁ ଆଜି ଏକ ବର୍ଷ ପୂରଣ ହୋଇଛି । ଗତ ବର୍ଷ ଏହି ସଂଘର୍ଷରେ ସହିଦ ହୋଇଥିବା ୨୦ ଜଣ ଯବାନଙ୍କୁ ଆଜି ଭାରତୀୟ ସେନା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯ଼ାଇଛି । ଲେହଠାରେ ଅବସ୍ଥିତ ଯୁଦ୍ଧ ସ୍ମାରକୀରେ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ।ସେନାର ଫାୟାର ଏଣ୍ଡ ଫୁରି କୋରର ମୁଖ୍ୟ ମେଜର ଜେନେରାଲ ଆକାଶ କୌଶିକ ଏହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ଗତ ବର୍ଷ ଏପ୍ରିଲମାସରେ ଯ଼ୁଦ୍ଧାଭ୍ୟାସ କରିବା ନାଁରେ ଚୀନ ସେନା ପୂର୍ବ ଲଦାଖର କେତେକ ଭାରତୀୟ ଅଞ୍ଚଳରେ ଅନୁପ୍ରବେଶ କରିବା ପରେ ଦୁଇପକ୍ଷ ମଧ୍ୟରେ ଏକ ବଡ଼ ଧରଣର ବିବାଦ ଆରମ୍ଭ ହୋଇଥିଲା । ବିବାଦ ତୀବ୍ର ରୂପ ଧାରଣ କରି ଜୁନ ୧୫ରେ ଗଲଓ୍ବାନ ଘାଟିରେ ତାହା ଏକ ରକ୍ତାକ୍ତ ସଂଘର୍ଷର ରୂପ ନେଇଥିଲା । ଏହି ସଂଘର୍ଷରେ ଭାରତର ୨୦ ଜଣ ଯ଼ବାନ ସହିଦ ହୋଇଥିଲେ । ତେବେ ଏହି ସଂଘର୍ଷରେ କେତେ ଜଣ ଚୀନ ସୈନ୍ୟ ମରିଥିଲେ ତାହା ସେ ସମ୍ପର୍କରେ ଚୀନ ଏପର୍ୟ୍ୟନ୍ତ କୌଣସି ସ୍ପଷ୍ଟ ଉତ୍ତର ଦେଇନାହିଁ । ଏହି ସଂଘର୍ଷରେ ମାତ୍ର ୪ ଜଣ ଚୀନ ଯବାନ ମରିଥିବା ଚୀନ ଦାବି କରୁଛି । ମାତ୍ର ଋଷିଆ, ଆମେରିକାର ଗୁଇନ୍ଦା ସଂସ୍ଥାଙ୍କ ରିପୋର୍ଟ ଅନୁସାରେ ଏଥିରେ ଚୀନର ପ୍ରାୟ ୪୦ ରୁ ୪୫ ସୈନିକ ମୃତ୍ୟୁବରଣ କରିଥିଲେ ।

ସମ୍ବନ୍ଧିତ ଖବର