ଆଫଗାନିସ୍ତାନରୁ ଆସିଲା ୧୦୦ ଟ୍ରକ ପିଆଜ, ଉତ୍ତର-ଭାରତରେ ଦର କମିଲା

ନୂଆଦିଲ୍ଲୀ : ଦେଶରେ ଏବେ ପିଆଜର ଆକାଶଛୁଆଁ ଦରକୁ ନେଇ ସରକାରଙ୍କଠାରୁ ଅରମ୍ଭ କରି ସାଧାରଣ ଖାଉଟିଙ୍କ ପର୍ଯ୍ୟନ୍ତ ସମସ୍ତେ ଚିନ୍ତାରେ । ଦେଶର ଅନେକ ଅଞ୍ଚଳରେ ପିଆଜ ଦର ୧୫୦ ଟଙ୍କା ଉପରେ ରହିଛି । ତେବେ ଆଶ୍ୱସ୍ତିର ବିଷୟ ହେଉଛି ଆଫଗାନିସ୍ତାନରୁ ମଗାଯାଇଥିବା ପିଆଜ ଏବେ ଭାରତରେ ପହଞ୍ଚିବା ଆରମ୍ଭ କରିଛି । ଗତ ତିନିଦିନ ମଧ୍ୟରେ ଆଫଗାନିସ୍ତାନରୁ ପ୍ରାୟ ୧୦୫ ଟ୍ରକ ପିଆଜ ଆସିଛି । ଏହାଛଡା ରାଜସ୍ଥାନରେ ପିଆଜର ନୂଆ ଅମଳ ବଜାରକୁ ଆସିବା ଆରମ୍ଭ କରିଛି । ଏହା ଫଳରେ ଦେଶର ଉତ୍ତର ଓ ପଶ୍ଚିମ ଭାଗରେ ପିଆଜର ଦର ୧୦୦ ଟଙ୍କାକୁ ହ୍ରାସ ପାଇଛି ।

ଆଜି ଆଫଗାନିସ୍ତାନରୁ ପ୍ରାୟ ୫୦ ଟ୍ରକ ପିଆଜ ପଞ୍ଜାବର ଅଟାରୀ ସୀମା ଦେଇ ଭାରତରେ ପହଞ୍ଚିଛି । ଗତ ସୋମବାରଦିନ ମଧ୍ୟ ୫୫ ଟ୍ରକ ପିଆଜ ଆଫଗାନିସ୍ତାନରୁ ଆସିଥିଲା । ଆଫଗାନିସ୍ତାନର ବ୍ୟବସାୟୀମାନେ ନିଜ ଦେଶର ଚାଷୀ ଏବଂ ଇରାନ, ଉଜବେକିସ୍ତାନରୁ ପିଆଜ ମଗାଇ ଭାରତକୁ ରପ୍ତାନି କରୁଛନ୍ତି । ଏସବୁ ପିଆଜ ପହଞ୍ଚିବା ପରେ ରାଜସ୍ତାନ, ପଞ୍ଜାବ,ହିମାଚଳପ୍ରଦେଶ, ଦିଲ୍ଲୀ,ଉତ୍ତରପ୍ରଦେଶ ଓ ହରିୟାଣାରେ ପିଆଜର ହୋଲସେଲ ଦର ହ୍ରାସ ପାଇଛି । ଦେଶରେ ପିଆଜର ଉପଲବ୍ଧତା ବୃଦ୍ଧି ପାଇଁ କେନ୍ଦ୍ର ସରକାର ପ୍ରାୟ ୨୧ ହଜାର ଟନ ପିଆଜ ଆମଦାନୀ କରିବାକୁ ଅର୍ଡର ଦେଇଛନ୍ତି । ଇଜିପ୍ଟ ଓ ତୁର୍କୀରୁ ଏହି ପିଆଜ ଆମଦାନୀ କରାଯିବ । ଆସନ୍ତା କିଛି ସପ୍ତାହ ମଧ୍ୟରେ ଏହା ଭାରତରେ ପହଞ୍ଚିବା ଆରମ୍ଭ କରିବ । ଏହାଫଳରେ ଡିସେମ୍ବର ୩ୟ ସପ୍ତାହଠାରୁ ଦେଶରେ ପିଆଜ ଦର ଉଲ୍ଲେଖନୀୟଭାବେ କମିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର