ପିଆଜ ପାଇଁ ସଂସଦ ସରଗରମ, ସୀତାରମଣ କହିଲେ ମୁଁ ଅଧିକ ପିଆଜ ଖାଏ ନାହିଁ

ସଂସଦ ଭବନ ପରିସରରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ

ନୂଆଦିଲ୍ଲୀ: ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବାରେ ସରକାରଙ୍କ ପ୍ରୟାସ ବିଫଳ ହୋଇଥିବା ଅଭିଯୋଗ କରି ବିରୋଧୀ ଦଳମାନେ ଆଜି ସଂସଦରେ ସରକାରଙ୍କୁ ଘେରିଛନ୍ତି। ଲୋକସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ ମୁଁ ଅଧିକ ପିଆଜ, ରସୁଣ ଖାଏନାହିଁ। ଆମ ଭଳି ପରିବାରରେ ପିଆଜ-ରସୁଣ ଅତି କମ୍‌ ବ୍ୟବହାର କରାଯାଉ ଥିବାରୁ ଦର ବଢ଼ିଲେ ବିଶେଷ ଫରକ୍‌ ପଡ଼େନାହିଁ ବୋଲି ସେ କହିଥିଲେ। ଏନ୍‌ସିପି ସାଂସଦ ସୁପ୍ରିୟା ସୁଲେଙ୍କ ପ୍ରଶ୍ନର ଉତ୍ତର ଦେଇ ଅର୍ଥମନ୍ତ୍ରୀ ଏଭଳି ମତ ରଖିଥିଲେ। ପିଆଜ ଦର ବୃଦ୍ଧି ନିୟନ୍ତ୍ରଣ ପାଇଁ ସରକାର ନେଉଥିବା ପଦକ୍ଷେପ ସଂପର୍କରେ ଅର୍ଥମନ୍ତ୍ରୀ କହିଥିଲେ ଯେ ସରକାର ଏବେ ଉତ୍ପାଦନ ବଢ଼ାଇବାକୁ ପ୍ରୋତ୍ସାହନ ଦେଉଛନ୍ତି ଏବଂ ଏଥିପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରାଯାଇଛି । ପିଆଜ ଦର ନିୟନ୍ତ୍ରଣ କରିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି। ଏହା ବ୍ୟତୀତ ଇଜିପ୍ଟ ଏବଂ ତୁର୍କୀରୁ ମଧ୍ୟ ପିଆଜ ଆମଦାନି ହେଉଛି । ମହାରାଷ୍ଟ୍ର ଏବଂ ରାଜସ୍ଥାନର ଅଲୱରରୁ ଅନ୍ୟ ରାଜ୍ୟକୁ ପିଆଜ ପଠାଯାଉଛି।ପିଆଜ ଦରବୃଦ୍ଧିର ପ୍ରତିବାଦ କରି ଆଜି କଂଗ୍ରେସ ନେତା ପି. ଚିଦମ୍ବରମ, ଅଧିର ରଂଜନ ଚୌଧୁରୀ ଏବଂ ଗୌରବ ଗର୍ଗଙ୍କ ନେତୃତ୍ବରେ ସଂସଦ ଭବନ ପରିସରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କଂଗ୍ରେସ ସାଂସଦମାନେ ବ୍ୟାନର୍‌ ଧରି କେନ୍ଦ୍ର ସରକାରଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ। ବିକ୍ଷୋଭ ସମୟରେ ଅନେକ କଂଗ୍ରେସ ସମର୍ଥକ ହାତରେ ପିଆଜ ଭର୍ତ୍ତି ବାସ୍କେଟ୍‌ ଧରିଥିବା ଦେଖିବାକୁ ମିଳିଥିଲା। ସରକାର ଗରିବଙ୍କ ଜୀବନକୁ ଦୁର୍ବିସହ କରିଦେଇଛନ୍ତି ବୋଲି କଂଗ୍ରେସ ନେତାମାନେ କହିଥିଲେ।

ନିର୍ମଳା କ’ଣ ପିଆଜ ନଖାଇ ଏଭୋକାଡ଼ୋ ଖାଆନ୍ତି
ନୂଆଦିଲ୍ଲୀ: ପିଆଜର ଦରବୃଦ୍ଧି ପ୍ରସଙ୍ଗରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଇଥିବା ବୟାନ-‘ମୁଁ ଅଧିକ ପିଆଜ-ରସୁଣ ଖାଏନାହିଁ’କୁ କଂଗ୍ରେସ ଦଳ କଡ଼ା ସମାଲୋଚନା କରିଛି। ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମ କହିଛନ୍ତି ଯେ ଯଦି ଅର୍ଥମନ୍ତ୍ରୀ ଅଧିକ ପିଆଜ ଖାଆନ୍ତି ନାହିଁ, ତା’ହେଲେ ସେ କ’ଣ ଖାଆନ୍ତି। ସେ କ’ଣ ଏଭୋକାଡ଼ୋ ଖାଆନ୍ତି କି ବୋଲି ଚିଦମ୍ବରମ ପ୍ରଶ୍ନ କରିଛନ୍ତି। ସୁପରଫୁଡ୍‌ ତାଲିକାରେ ସାମିଲ ଥିବା ଏଭୋକାଡ଼ୋକୁ ନେଇ ଆଜି ସୋସିଆଲ୍‌ ମିଡିଆରେ ମଧ୍ୟ ବେଶ୍‌ ଚର୍ଚ୍ଚା ଚାଲିଛି ।

ସମ୍ବନ୍ଧିତ ଖବର