ନୂଆଦିଲ୍ଲୀ: ଦେଶରେ ପିଆଜର ବଢୁଥିବା  ପିଆଜ ମୂଲ୍ୟକୁ ନିୟନ୍ତ୍ରଣରେ ରଖିବା ଏବଂ ବଜାରରେ ପିଆଜର ଉପଲବ୍ଧତା ବଜାୟ ରଖିବା ପାଇଁ ଗ୍ରାହକ ମନ୍ତ୍ରଣାଳୟ ବର୍ତ୍ତମାନ ପିଆଜର ଅଧିକ ଚାହିଦା ଥିବା ସହରଗୁଡିକ ପାଇଁ କାନ୍ଦା ଏକ୍ସପ୍ରେସ ଚଳାଇବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ପିଆଜର ବଢୁଥିବା ମୂଲ୍ୟକୁ ନିୟନ୍ତ୍ରଣ କରିବା ପାଇଁ ସରକାର  ପ୍ରଥମ ଥର ପାଇଁ ମହାରାଷ୍ଟ୍ରରୁ ଦିଲ୍ଲୀକୁ ରେଳପଥ ଦେଇ ୧୬୦୦ ଟନ୍ ପିଆଜ ପରିବହନ କରିବେ। ଏହା ଦ୍ବାରା ଦୀପାବଳି ପୂର୍ବରୁ ପିଆଜ ଦର ଶସ୍ତା ହେବାର ଆଶା ରହିଛି। ପିଆଜ ପରିବହନ ପାଇଁ ରେଳର ବ୍ୟବହାର କରିବା କାର୍ଯ୍ୟ ପ୍ରଥମ ଥର ଲାଗି ହେବାକୁ ଯାଉଛି। 

ଏହି ପ୍ରସଙ୍ଗରେ ଗ୍ରାହକ ମନ୍ତ୍ରଣାଳୟ କହିଛନ୍ତି ଯେ ପିଆଜ ଦର ବୃଦ୍ଧି ହେବାର କାରଣ ହେଉଛନ୍ତି ହୋର୍ଡିଂ ବ୍ୟବସାୟୀ। ଯେଉଁମାନେ ଜାଣିଶୁଣି ବଜାରକୁ ପିଆଜ ଆଣୁ ନାହାନ୍ତି। କିନ୍ତୁ ବଜାରକୁ ସରକାରୀ ପିଆଜ ଆସିବା ସହିତ  ପିଆଜର ମୂଲ୍ୟ ମଧ୍ୟ ହ୍ରାସ ପାଇବ।

ଏହି ପରିପ୍ରେକ୍ଷୀରେ, 'କାନ୍ଦା ଏକ୍ସପ୍ରେସ' ନାମକ ଏକ ସ୍ୱତନ୍ତ୍ର ଟ୍ରେନ୍ ମହାରାଷ୍ଟ୍ରର ଲାସାଲଗାଓଁ ରେଳ ଷ୍ଟେସନରୁ ବାହାରି ୨୦ ଅକ୍ଟୋବର ରବିବାର ଦିନ ଦିଲ୍ଲୀର କିଶାନଗଞ୍ଜ ରେଳ ଷ୍ଟେସନରେ ପହଞ୍ଚିବ। ସରକାର ଆଶା କରୁଛନ୍ତି ଯେ ଏହି ଯୋଗାଣ ଦିଲ୍ଲୀ-ନ୍ୟାସନାଲ କ୍ୟାପିଟାଲ୍ ରିଜିଅନ୍ (ଏନସିଆର)ରେ ମୂଲ୍ୟ ସ୍ଥିର କରିବାରେ ସହାୟକ ହେବ, ଯେଉଁଠାରେ ବଫର ଷ୍ଟକ ପିଆଜ ବର୍ତ୍ତମାନ କିଲୋଗ୍ରାମ ପିଛା ୩୫ଟଙ୍କା ମୂଲ୍ୟରେ ବିକ୍ରି ହେଉଛି।

ବର୍ତ୍ତମାନ ଦେଶର ବିଭିନ୍ନ ସହରରେ ପିଆଜର ଖୁଚୁରା ମୂଲ୍ୟ ୭୫ କିଲୋଗ୍ରାମରେ ପହଞ୍ଚିଛି।  ଆସାମ, ନାଗାଲାଣ୍ଡ ଏବଂ ମଣିପୁର ସମେତ ଲକ୍ଷ୍ନୌ, ବାରାଣସୀ ଏବଂ ଉତ୍ତର-ପୂର୍ବ ରାଜ୍ୟରେ ମଧ୍ୟ ସମାନ ବ୍ୟବସ୍ଥା କରାଯିବ ବୋଲି ସରକାର କହିଛନ୍ତି। କ୍ଷତି ହ୍ରାସ କରିବା ପାଇଁ 'ସିଲ୍ କଣ୍ଟେନର' ପରିବହନ ପାଇଁ ସରକାର ଲଜିଷ୍ଟିକ୍ କମ୍ପାନୀ କନକୋର୍ଡ ସହିତ ମଧ୍ୟ ଆଲୋଚନା କରୁଛନ୍ତି।

ହୋଲସେଲ ମୂଲ୍ୟ ହ୍ରାସ କରିବାକୁ ବର୍ତ୍ତମାନର ବଜାର ହାରରେ ପିଆଜ ନିଲାମ ହେବ। ଏହି ପରିପ୍ରେକ୍ଷୀରେ ନାଶିକରୁ ଦିଲ୍ଲୀକୁ ରେଳ ଯୋଗେ ଗୋଟିଏ ଟ୍ରେନ୍ (୫୬ ଟ୍ରକ୍ ସହ ସମାନ) ପରିବହନ ମୂଲ୍ୟ ୭୦.୨୦ ଲକ୍ଷ ଟଙ୍କା ହୋଇଥିବାବେଳେ ସଡ଼କ ଦ୍ୱାରା  ଏଥିରେ ୮୪ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ। ତେଣୁ ଟ୍ରେନରେ ପିଆଜ ପରିବହନ ଦ୍ବାରା ୧୩.୮୦  ଲକ୍ଷ ଟଙ୍କା ସଞ୍ଚୟ ହେଉଛି ବୋଲି ସରକାର କହିଛନ୍ତି।

ସେପ୍ଟେମ୍ବର  ୫ ତାରିଖରୁ ସରକାର ମୋବାଇଲ୍ ଭ୍ୟାନ୍, ନ୍ୟାସନାଲ କୋଅପରେଟିଭ୍ କଞ୍ଜ୍ୟୁମର ଫେଡେରେସନ୍ ଅଫ୍ ଇଣ୍ଡିଆ (ଏନସିସିଏଫ୍) ଏବଂ ନ୍ୟାସନାଲ କୃଷି ସମବାୟ ମାର୍କେଟିଂ ଫେଡେରେସନ୍ ଅଫ୍ ଇଣ୍ଡିଆ (ନାଫେଡ୍) ଦୋକାନ, ଇ-କମର୍ସ ପ୍ଲାଟଫର୍ମ, ମଦର ଡାଏରି ମାଧ୍ୟମରେ ବିଭିନ୍ନ ଷ୍ଟୋରରେ ପିଆଜ କମ୍ ଦରରେ ବିକ୍ରି କରୁଛନ୍ତି।

କେନ୍ଦ୍ରୀୟ ଷ୍ଟୋର୍‌ଗୁଡ଼ିକରେ ଗଚ୍ଛିତ ପିଆଜ ରିହାତି ମୂଲ୍ୟରେ ବିକ୍ରି ହେଉଛି | ଖୁଚୁରା ମୂଲ୍ୟ ହ୍ରାସ କରିବାକୁ ଏହି ପଦକ୍ଷେପକୁ ଆଗକୁ ବଢ଼ାଇ ଦୀପାବଳି ପୂର୍ବରୁ 'ମୋବାଇଲ୍ ଭ୍ୟାନ୍' ସଂଖ୍ୟା ୬୦୦ ରୁ  ୧୦୦୦କୁ ବୃଦ୍ଧି କରାଯିବ।

ବର୍ତ୍ତମାନ ୪.୭ଲକ୍ଷ ଟନ୍ ପିଆଜ ବଫର୍ ଷ୍ଟକ୍ ମଧ୍ୟରୁ ୯୧,୯୬୦ ଏନସିସିଏଫ ଏବଂ ନାଫେଡ କୁ ଆବଣ୍ଟିତ ହୋଇଛି। ଗୁଜୁରାଟ, ମହାରାଷ୍ଟ୍ର, କର୍ଣ୍ଣାଟକ, ଗୋଆ, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଏବଂ ମଣିପୁର ସମେତ ବିଭିନ୍ନ ରାଜ୍ୟକୁ ୮୬,୦୦୦ ଟନ୍ ପିଆଜ ପଠାଯାଇଛି। ଏହି ପଦକ୍ଷେପ ଏବଂ ମହାରାଷ୍ଟ୍ରରୁ ନୂଆ ଫସଲର ଆଶା କରାଯାଉଥିବା ବେଳେ ମୂଲ୍ୟ ସ୍ଥିରତାକୁ ନେଇ ସରକାର ଆଶାବାଦୀ ଅଛନ୍ତି।

ଏହାଦ୍ବାରା ଦୋକାନରେ ପିଆଜର ହାରାହାରି କ୍ରୟ ଦର  କିଲୋଗ୍ରାମ ପିଛା ୨୮ ଟଙ୍କା ହୋଇ ପାରିବ ବୋଲି ସରକାର ଚିନ୍ତା କରୁଛନ୍ତି।

ବର୍ତ୍ତମାନ ଖୁଚୁରା ବଜାରରେ ପିଆଜ ୫୫ ରୁ ୮୦ଟଙ୍କା ମଧ୍ୟରେ ବିକ୍ରି ହେଉଥିବାବେଳେ ଗ୍ରାହକ ମନ୍ତ୍ରଣାଳୟ ସମାନ ପିଆଜକୁ ଏନସିସିଏଫ ଏବଂ ନାଫେଡ ମାଧ୍ୟମରେ ୩୫ ଟଙ୍କାରେ ଉପଲବ୍ଧ କରୁଛନ୍ତି। ଆଶା କରାଯାଉଛି ଯେ ଦୀପାବଳି ପୂର୍ବରୁ ଖୁଚୁରା ବଜାରରେ ପିଆଜ କିଲୋଗ୍ରାମ୍ ପିଛା ୩୫ ଟଙ୍କାରୁ କମରେ ବିକ୍ରି ଆରମ୍ଭ ହେବ।