ଗୁପ୍ତରୋଗ ପାଇଁ ଖୋଜୁଥିଲେ ଔଷଧ, ଆକାଉଣ୍ଟରୁ କଟିଗଲା ଲକ୍ଷାଧିକ ଟଙ୍କା

ଲଖନଉ: ଗୁପ୍ତରୋଗ ପାଇଁ ଇଣ୍ଟରନେଟରେ ଔଷଧ ଓ ଡାକ୍ତର ଖୋଜିବା ଯୁବକଙ୍କୁ ମହଙ୍ଗା ସାବ୍ୟସ୍ତ ହୋଇଛି | ଉତ୍ତରପ୍ରଦେଶ ରାଜଧାନୀ ଲଖନଉର ଜଣେ ଯୁବକ ଇଣ୍ଟରନେଟରେ ଗୁପ୍ତ ରୋଗ ପାଇଁ ମିଳିଥିବା ଫୋନ ନମ୍ବରରେ କଥା ହେବା ପରେ ଔଷଧ ଲୋଭରେ ଟଙ୍କା ପଠାଇଲେ | ଯେତେବେଳେ ତାଙ୍କୁ ଔଷଧ ମିଳିନଥିଲା ସେତେବେଳେ ସେ ଉକ୍ତ ଫୋନ ନମ୍ବରରେ ଯୋଗାଯୋଗ କରିଥିଲେ ବି ଏହା ବନ୍ଦ ଥିଲା | ଶେଷରେ ଆଉ କୌଣସି ବାଟ ନ ପାଇ ସେ ପୁଲିସ ନିକଟରେ ଅଭିଯୋଗ କରିଛନ୍ତି | ଯୁବକଙ୍କ ଅଭିଯୋଗ ପରେ ବିକେଟି ପୁଲିସ ଏକ ମାମଲା ରୁଜୁ କରିଛି। ସାଇବର କ୍ରାଇମ୍ ସେଲ୍ ମଧ୍ୟ ଏହି ଘଟଣାର ଅନୁସନ୍ଧାନ କରୁଛି।

ମିଳିଥିବା ସୂଚନା ମୁତାବକ ଯେ ଜଣେ ଯୁବକ ଅନେକ ମାସ ଧରି ଗୁପ୍ତ ରୋଗରେ ପୀଡିତ ଥିଲେ। ଯୁବକ ଜଣକ ଗୁପ୍ତ ରୋଗ ପାଇଁ ଔଷଧ ଏବଂ ଡାକ୍ତରଙ୍କ ନାମ ଜାଣିବା ପାଇଁ ଇଣ୍ଟରନେଟରେ ଖୋଜିଥିଲେ। ସେ ଏକ କମ୍ପାନୀର କଷ୍ଟ୍ୟୁମର କେୟାର ନମ୍ବର ପାଇଥିଲେ | ଏହା ପରେ ଏହି ଫୋନ ନମ୍ବରରେ ସେ ତାଙ୍କ ଅସୁସ୍ଥତା ବିଷୟରେ କହିଥିଲେ। ଫୋନ୍ ଗ୍ରହଣ କରିଥିବା ବ୍ୟକ୍ତି ଏକ ଆକାଉଣ୍ଟ ନମ୍ବର ଦେଇ ୪୯୯୯ ଟଙ୍କା ଜମା କରି ଔଷଧ ନେବାକୁ କହିଥିଲେ |

ଔଷଧ ଫଳପ୍ରଦ ନ ହେଲେ ଟଙ୍କା ଫେରସ୍ତ ହେବ ବୋଲି କୁହାଯାଇଥିଲା | ଏହା ପରେ ଯୁବକ ଜଣକ ଆକାଉଣ୍ଟ ନମ୍ବରରେ ଟଙ୍କା ପଠାଇଥିଲେ | ତେବେ ମେଡ଼ିସିନ ପଠାଇବା ଦୂରରେ ଥାଉ, ଏହା ପରେ ତାଙ୍କ ଆକାଉଣ୍ଟରୁ ହ୍ୟାକରମାନେ ୯୫ ହଜାର ଟଙ୍କା ଲୁଟିନେଇଥିଲେ | ଯେତେବେଳେ ଯୁବକ ଜଣକ ପୁନର୍ବାର କଲ ସେଣ୍ଟରରେ ଫୋନ ଡାଏଲ କଲେ, ତାହା ବନ୍ଦ ହୋଇଯାଇଥିଲା | ଏହା ପରେ ଯୁବକଜଣକ ଥାନାରେ ଅଭିଯୋଗ କରିଛନ୍ତି |

ସମ୍ବନ୍ଧିତ ଖବର