ନୂଆଦିଲ୍ଲୀ: ଅନ୍‌ଲାଇନ୍ ମନି ଗେମ୍ ବା ଟଙ୍କା ଲଗାଯାଉଥିବା ଗେମ୍‌ଗୁଡ଼ିକୁ ନିଷିଦ୍ଧ କରିବା ଲାଗି ଆଗତ କରାଯାଇଥିବା ‘ଅନ୍‌ଲାଇନ୍ ଗେମିଂର ପ୍ରସାର ଓ ନିୟନ୍ତ୍ରଣ ବିଲ୍‌ ୨୦୨୫’ ଗୁରୁବାର ରାଜ୍ୟସଭାରେ ପାରିତ ହୋଇଛି। ସଂସଦର ଉଭୟ ଗୃହରେ ପାସ୍ ‌ହୋଇଥିବାରୁ ତାହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଁ ପଠାଯିବ। ଏହି ବିଲ୍‌ରେ ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ସ୍ପଷ୍ଟ। ଅର୍ଥହାନି, ଆତ୍ମହତ୍ୟା, ଋଣଯନ୍ତା, ଆର୍ଥିକ ଠକେଇ, ମନି ଲଣ୍ଡରିଂର କାରଣ ପାଲଟିଥିବା ମନି ଗେମ୍‌ଗୁଡ଼ିକୁ କୌଣସି ପରିସ୍ଥିତିରେ ସହ୍ୟ କରାଯିବ ନାହିଁ। ସେଗୁଡ଼ିକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯିବ। ଏହି ବିଲ୍‌ରେ ଟଙ୍କା ଲଗାଯାଉଥିବା‌ ଗେମ୍‌ଗୁଡ଼ିକୁ ନିଷିଦ୍ଧ କରିବା ଏବଂ ଇ-ସ୍ପୋର୍ଟସ୍‌ ଓ ସୋସିଆଲ୍‌ ଗେମ୍‌ଗୁଡ଼ିକର ପ୍ରସାର କରିବା ଲାଗି ବ୍ୟବସ୍ଥା ରହିଛି। କାହିଁକି ଟଙ୍କା ଲଗାଯାଉଥିବା ଗେମ୍‌ଗୁଡ଼ିକୁ ନିଷିଦ୍ଧ କରିବାକୁ ସରକାର ଚାହିଲେ ତାହାର କାରଣ ସମ୍ପର୍କରେ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ସେ କହିଛନ୍ତି ଯେ ମନି ଗେମ୍‌ ଏକ ନିଶାରେ ପରିଣତ ହୋଇଛି। ଏଥିରେ ଟଙ୍କା ହରାଇବାର ଥିବା ବିପଦକୁ ଲୋକମାନେ ଜାଣିପାରୁନାହାନ୍ତି। ରାତାରାତି ଧନୀ ହୋଇଯିବା ଆଶାରେ ଦେଶର କୋଟି କୋଟି‌ ଲୋକ ନିଜ ସଞ୍ଚିତ ଅର୍ଥକୁ ଗେମ୍‌ରେ ଲଗାଉଛନ୍ତି। ବର୍ଷକୁ ୪୫ କୋଟି ଲୋକ ଏହି ବାଟରେ ୨୦ ହଜାର କୋଟି ଟଙ୍କା ହରାଇଛନ୍ତି। ଏହା ମଧ୍ୟବିତ୍ତ ପରିବାରଗୁଡ଼ିକର ସଞ୍ଚିତ ରାଶି ଶୂନ କରିଦେଇଛି। କୋଟି କୋଟି ପରିବାରକୁ ଆର୍ଥିକ ସ୍ତରରେ ଦୁର୍ବଳ କରିଦେଇଛି। 

Advertisment

ସଂସଦରେ ଅନ୍‌ଲାଇନ୍ ଗେମିଂ ବିଲ୍ ପାସ୍
ଦୋଷୀ ହେଲେ ୫ ବର୍ଷ ଜେଲ୍, ୨ ‌କୋଟି ଜରିମାନା

ଅନ୍‌ଲାଇନ୍ ମନି ଗେମ୍‌ର ସର୍ବାଧିକ ଶିକାର ହୋଇଛନ୍ତି ଯୁବପିଢ଼ି ଓ ଛୋଟ ପିଲା। ସେଥିରେ ବ୍ୟାପକ ଆର୍ଥିକ ଠକେଇ ହେଉଛି। ଲୋକମାନେ ଟଙ୍କା ଜିତିବା ଆଶାରେ କ୍ରେଡିଟ୍‌ କାର୍ଡରେ ଋଣ ଆଣି ତାହାକୁ ଗେମ୍‌ରେ ଲଗାଉଛନ୍ତି। ଫଳରେ ସେମାନେ ଋଣ ଜାଲରେ ଛନ୍ଦି ହୋଇ ପଡୁଛନ୍ତି। କିଛି ଲୋକ ମାନସିକ ଦୁଶ୍ଚିନ୍ତାରେ ଆତ୍ମହତ୍ୟା ମଧ୍ୟ କରିଛନ୍ତି। ଅନ୍‌ଲାଇନ୍ ମନି ଗେମ୍‌ ଜରିଆରେ ମନି ଲଣ୍ଡରିଂ ଓ ଆତଙ୍କବାଦ କାର୍ଯ୍ୟକଳାପ ଲାଗି ପାଣ୍ଠି ଯୋଗାଡ଼ କରାଯାଉଥିବା ସରକାର ସନ୍ଦେହ କରୁଛନ୍ତି। ସିନେ ତାରକା, ଚର୍ଚ୍ଚିତ କ୍ରୀଡ଼ାବିତମାନଙ୍କୁ ନେଇ ପ୍ରସ୍ତୁତ ବିଜ୍ଞାପନକୁ ଲୋକମାନେ ସହଜରେ ବିଶ୍ବାସକୁ ନେଇ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି। ଅନ୍‌ଲାଇନ୍ ମନି ଗେମ୍‌ ଜାଲରୁ ଲୋକମାନଙ୍କୁ ସୁରକ୍ଷା ଦେବା ଲାଗି ଏହି ବିଲ୍ ଅଣାଯାଇଛି। ଏଥିରେ ତାଲିମ ଆଧାରିତ ଇ-ସ୍ପୋର୍ଟସ୍‌ର ପ୍ରସାର କରାଯିବ, ଯାହା ସାଧାରଣତଃ ଟିମ୍‌ଗୁଡ଼ିକ ମଧ୍ୟରେ ଖେଳାଯାଇଥାଏ। ଇ-ସ୍ପୋର୍ଟସ୍‌ର ପ୍ରସାର କରିବା ଲାଗି ସରକାର ସ୍କିମ୍‌ ଓ କାର୍ଯ୍ୟକ୍ରମ ଆରମ୍ଭ କରିବେ। କୌତୁକିଆ, ଶିକ୍ଷଣୀୟ ଓ ଗୋଷ୍ଠୀ ଆଧାରିତ ସୋସିଆଲ୍ ଗେମ୍‌ଗୁଡ଼ିକର ମଧ୍ୟ ପ୍ରସାର କରାଯିବ। 

ଅନ୍‌ଲାଇନ୍ ମନି ଗେମ୍‌ ନିଷିଦ୍ଧ କରିବା ସହ ଆଇନ ଉଲ୍ଲଂଘନକାରୀମାନଙ୍କ ଲାଗି ବିଲ୍‌ରେ କଠୋର ଦଣ୍ଡବିଧାନ କରାଯାଇଛି। ସଂସ୍ଥାମାନଙ୍କ ଉପରେ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ୩ ବର୍ଷ ଜେଲ୍ ଦଣ୍ଡ ବ୍ୟବସ୍ଥା ରହିଛି। ଏଭଳି ଗେମ୍‌ର ବିଜ୍ଞାପନ ଦେଲେ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ। ମନି ଗେମ୍ ସମ୍ପର୍କିତ ଯେକୌଣସି ପ୍ରକାର ଆର୍ଥିକ କାରବାର ଉପରେ ୧ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ଓ ତିନି ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ହେବ। ବାରମ୍ବାର ନିୟମ ଉଲ୍ଲଂଘନ କଲେ ଜରିମାନା ରାଶି ୨ କୋଟି ଟଙ୍କା ପର୍ଯ୍ୟନ୍ତ ଓ ଜେଲ୍ ଦଣ୍ଡ ୫ ବର୍ଷ ପର୍ଯ୍ୟନ୍ତ ବଢ଼ିବ ବୋଲି ବିଲ୍‌ରେ ଉଲ୍ଲେଖ ରହିଛି। ଏହି ବିଲ୍‌ ଦ୍ବାରା ଡ୍ରିମ୍‌୧୧, ଗେମ୍‌ସ ୨୪୭, ମୋବାଇଲ୍‌ ପ୍ରିମିୟର୍‌ ଲିଗ୍, ଗେମିଂ ସଂସ୍ଥା ନଜାରା ଟେକ୍ନୋଲୋଜିସ୍‌ ଓ ପ୍ରାୟ ୪୦୦ କମ୍ପାନି ପ୍ରଭାବିତ ହେବାର ଆଶଙ୍କା ରହିଛି। ଏଥି ସହିତ ଏହି ସଂସ୍ଥାଗୁଡ଼ିକର ବିଜ୍ଞାପନ ପ୍ରଚାର କରି କୋଟି କୋଟି ଟଙ୍କା ଆୟ କରୁଥିବା ସେଲିବ୍ରିଟି, କ୍ରୀଡ଼ାବିତ୍‌ ଓ ସିନେ ତାରକାମାନେ ପ୍ରଭାବିତ ହେବେ। କେବଳ ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (ବିସିସିଆଇ) ବିପୁଳ କ୍ଷତି ସହିବା ଆକଳନ କରାଯାଇଛି। ଭାରତୀୟ ଗେମିଂ ଶିଳ୍ପ ୩୮୦ କୋଟି ଡଲାର ଆକଳନ କରାଯାଇଛି। କେବଳ ମନି ଗେମ୍‌ ପରିଚାଳନା କରୁଥିବା ସଂସ୍ଥାଗୁଡ଼ିକରେ କାମ କରୁଥିବା ୨ ଲକ୍ଷରୁ ଅଧିକ କର୍ମଚାରୀଙ୍କ ଚାକିରି ପ୍ରତି ବିପଦ ସୃଷ୍ଟି ହୋଇଛି। ଏଥି ସହିତ ସରକାର ବର୍ଷକୁ ପାଉଥିବା ୨୦ ହଜାର କୋଟି ଟଙ୍କାର ଜିଏସ୍‌ଟି ରାଜସ୍ବ ମଧ୍ୟ ହରାଇବେ।