ନୂଆଦିଲ୍ଲୀ: ଡିଜିଟାଲ୍ ଅର୍ଥନୀତିରୁ ଦେଶରେ ଗୋଟାଏ ସଂସ୍କୃତି ମଧ୍ୟ ଜନ୍ମ ନେଉଛି ବୋଲି ମାସିକ ବେତାର କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୮୭ତମ ସଂସ୍କରଣରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।
ଦେଶରେ ‘ୟୁପିଆଇ’ ପେମେଣ୍ଟ୍ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଦେଶବାସୀଙ୍କୁ ଉତ୍ସାହିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଲୋକେ ‘କ୍ୟାସ୍ଲେସ୍ ଡେଆଉଟ୍’ରେ ଯିବା ଉଚିତ। ନଗଦ ଟଙ୍କା ବିନା ଜଣେ ଦିନ ତମାମ ସମଗ୍ର ନଗରୀରେ ବୁଲିପାରିବ ବୋଲି ଦୃଢ଼ମନା ହୋଇ ଏବେ ଯେକୌଣସି ଲୋକ ଘରୁ ବାହାରି ପାରିବେ। ସମସ୍ତେ ଏହି ଅଭିନବ ‘କ୍ୟାସ୍ଲେସ୍ ଡେ’ ଆଉଟ୍’ ବ୍ୟବସ୍ଥାକୁ ପରୀକ୍ଷା କରି ଦେଖନ୍ତୁ ଓ ଡିଜିଟାଲ୍ ଦେଣନେଣ କରି ସମସ୍ତେ ‘କ୍ୟାସ୍ଲେସ୍’ ହୁଅନ୍ତୁ ବୋଲି ସେ କହିଛନ୍ତି।
ଅଳ୍ପ କିଛି ବର୍ଷ ପୂର୍ବେ ଉତ୍ତମ ଇଣ୍ଟର୍ନେଟ୍ ସୁବିଧା ନ ଥିବା ସ୍ଥାନଗୁଡ଼ିକରେ ମଧ୍ୟ ‘ୟୁପିଆଇ’ ମାଧ୍ୟମରେ ଦେୟ ପୈଠକ ସୁବିଧା ହେଲାଣି। ଛୋଟ ଛୋଟ ଗାଁ ଏବଂ ବଜାରରେ ଲୋକେ ‘ୟୁପିଆଇ’ ବ୍ୟବହାର କରୁଛନ୍ତି। ଏହା ଦୋକାନୀ ଓ ଜନସାଧାରଣଙ୍କୁ ଉପକୃତ କରୁଛି। ଅନ୍ଲାଇନ୍ ପେମେଣ୍ଟ୍ ଡିଜିଟାଲ୍ ଅର୍ଥନୀତିର ବିକାଶ କରୁଛି। ଦୈନିକ ୨୦,୦୦୦ କୋଟି ଟଙ୍କାର ଅନ୍ଲାଇନ୍ କାରବାର ହେଉଛି। ଗତ ମାର୍ଚରେ ‘ୟୁପିଆଇ’ ଦେଣନେଣ ପ୍ରୟ ୧୦ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଥିଲା। ଏଥିଯୋଗୁଁ ଦେଶରେ ସୁବିଧା ମଧ୍ୟ ହେଉଛି ଏବଂ ସାଧୁତା ବାତାବରଣ ସୃଷ୍ଟି ହେଉଛି। ଡିଜିଟାଲ୍ ଅର୍ଥନୀତିରୁ ଦେଶରେ ଗୋଟାଏ ସଂସ୍କୃତି ମଧ୍ୟ ଜନ୍ମ ନେଉଛି।
/sambad/media/post_attachments/wp-content/uploads/2022/04/pmm-5.jpg)
ପ୍ରଧାନମନ୍ତ୍ରୀ କହିଛନ୍ତି, ଗଣିତ ହେଉଛି ଗୋଟାଏ ବିଷୟ ଯାହା ଭାରତୀୟମାନଙ୍କ ପାଇଁ ସହଜ କଥା ହେବା ଉଚିତ। ସମଗ୍ର ବିଶ୍ବକୁ ଗଣିତ ଶାସ୍ତ୍ର କ୍ଷେତ୍ରରେ ଭାରତୀୟମାନେ ଅଧିକ ଗବେଷଣା ଏବଂ ଅବଦାନ ଦେଇଛନ୍ତି। ‘କାଲ୍କୁଲସ୍’ରୁ ଆରମ୍ଭ କରି ‘କମ୍ପ୍ୟୁଟର୍’ ପର୍ଯ୍ୟନ୍ତ ସମସ୍ତ ପ୍ରକାରର ବୈଜ୍ଞାନିକ ଉଦ୍ଭାବନ ‘ଶୂନ୍ୟ’ ଉପରେ ଆଧାରିତ। ‘ଶୂନ୍ୟ’ର ଉଦ୍ଭାବନ ଓ ତା’ର ଗୁରୁତ୍ବ ଉପରେ ଆପଣମାନେ ବହୁତ କଥା ଶୁଣିଥିବେ। ‘ଶୂନ୍ୟ’ ଆବିଷ୍କୃତ ହୋଇ ନ ଥିଲେ ବିଶ୍ବରେ ଏତେ ବୈଜ୍ଞାନିକ ଅଗ୍ରଗତି ସମ୍ଭବ ହୋଇ ନ ଥାନ୍ତା।
କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନମନ୍ତ୍ରୀ କହିଲେ, ଚଳିତ ବର୍ଷ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀରେ ‘ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ’କୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ଦେଶବାସୀଙ୍କ ପାଇଁ ଉନ୍ମୁକ୍ତ ଥିବା ଏହି ସଂଗ୍ରହାଳୟ ଦେଶ ପାଇଁ ବଡ଼ ଗୌରବର ବିଷୟ।
ଦେଶ ଗଠନରେ ଭାରତର ସମସ୍ତ ପ୍ରଧାନମନ୍ତ୍ରୀଙ୍କ ଅବଦାନକୁ ଏହି ସଂଗ୍ରହାଳୟ ସମ୍ମାନିତ କରାଯାଇଛି। ଆଦର୍ଶ ଏବଂ ପଦବୀରେ ରହିବା ସମୟ ନିର୍ବିଶେଷରେ ସ୍ବାଧୀନତା ଠାରୁ ପ୍ରତ୍ୟେକ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଏହା ହେଉଛି ଏକ ଶ୍ରଦ୍ଧାଞ୍ଜଳି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ସଂଗ୍ରହାଳୟ ବିଷୟରେ ସମଗ୍ର ଦେଶରୁ ଲୋକେ ତାଙ୍କ ନିକଟକୁ ଚିଠି ଓ ବାର୍ତ୍ତା ପଠାଇଥିବା କଥା ସେ କହିଛନ୍ତି।
କ୍ରୀଡ଼ାରେ ପାରଦର୍ଶିତା ପ୍ରଦର୍ଶନ କଲା ଭଳି କଳା, ଶିକ୍ଷା ଏବଂ ଅନ୍ୟାନ୍ୟ ବହୁ କ୍ଷେତ୍ରରେ ମଧ୍ୟ ଦିବ୍ୟାଙ୍ଗଜନ ଚମତ୍କାର ପାରଦର୍ଶିତା ଦେଖାଉଛନ୍ତି। ସେମାନଙ୍କ ସହାୟତା ପାଇଁ ପ୍ରଯୁକ୍ତିବିଦ୍ୟା ଖୁବ୍ ସହାୟକ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଟୋକିଓ ପାରାଲିମ୍ପିକ୍ସ୍ରେ ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ସଫଳତା ଆମେ ଦେଖିଛନ୍ତି।
‘ସ୍ବାଧୀନତାର ଅମୃତ ମହୋତ୍ସବ’ରେ ଜଳ ସଂରକ୍ଷଣ ପ୍ରତିବଦ୍ଧତା ସହ ଦେଶ ଆଗଇେ ଚାଲିଛି। ଭାରତର ପ୍ରତ୍ୟେକ ଜିଲ୍ଲାରେ ୭୫ଟି ଅମୃତ ସରୋବର ଖନନ କରାଯିବ। ଆମର ଧର୍ମଗ୍ରନ୍ଥମାନଙ୍କରେ ସ୍ପଷ୍ଟ ରୂପେ କୁହାଯାଇଛି ଯେ, ପ୍ରତ୍ୟେକ ଜୀବସତ୍ତାର ମୂଳାଧାର ହେଉଛି ଜଳ, ବିଶ୍ବରେ ଜଳ ମଧ୍ୟ ବୃହତ୍ତମ ସମ୍ପଦ। ମଧ୍ୟ ପ୍ରଦେଶର ଭୀଲ୍ ଜନଜାତି ଜଳ ସଂରକ୍ଷଣ ନିମନ୍ତେ ତାଙ୍କର ଐତିହାସିକ ପରମ୍ପରା ‘ହଲ୍ମା’ ଉପଯୋଗ କରୁଛନ୍ତି। ଏହି ପରମ୍ପରା ଅନୁସାରେ, ଜଳ ସମ୍ବନ୍ଧୀୟ ସମସ୍ୟାର ସମାଧାନ ପାଇଁ ଭୀଲ୍ ଜନଜାତିର ଲୋକେ ଗୋଟାଏ ସ୍ଥାନରେ ଏକତ୍ର ହୁଅନ୍ତି।