ଅନ୍‌ ଲାଇନ୍‌ ସର୍ଭେ: ମୋଦୀଙ୍କୁ ୪୮ ପ୍ରତିଶତ ସମର୍ଥନ

ରାହୁଲ ୧୧, କେଜ୍ରିଓ୍ଵାଲ ୯.୩ ପ୍ରତିଶତ

ନୂଆଦିଲ୍ଲୀ: ଦେଶର ୧୭୨ ଜିଲ୍ଲାରେ ୫୫ ଦିନ ବ୍ୟାପୀ କରାଯାଇଥିବା ଏକ ଅନ୍‌୍‌ଲାଇନ୍‌ ସର୍ଭେରେ ୫୭ ଲକ୍ଷରୁ ଅଧିକ ଲୋକ ଅଂଶ ଗ୍ରହଣ କରିଥିବା ବେଳେ ସେଥିରୁ ୪୮ ପ୍ରତିଶତ ଦେଶର ନେତୃତ୍ୱ ନେବାପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଏହି ସର୍ଭେ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ମାର୍ଗଦର୍ଶନରେ ଚାଲିଥିବା ଇଣ୍ଡିଆନ୍‌ ପଲିଟିକାଲ ଆକ୍ସନ କିମିଟି (ଆଇ-ପିଏସି) ଦ୍ୱାରା କରାଯାଇଥିଲା। ଆଇ-ପିଏସି ତରଫରୁ ଦେଶବ୍ୟାପୀ ହୋଇଥିବା ଏହି ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକଙ୍କୁ ୯୨୩ ଜଣ ନେତାଙ୍କ ମଧ୍ୟରୁ ନିର୍ବାଚିତ କରିବା ପାଇଁ ବିକଳ୍ପ ଦିଆଯାଇଥିଲା।
ସର୍ଭେରେ ମୋଦୀ ୪୮ ପ୍ରତିଶତ ଭୋଟ୍‌ ପାଇ ପ୍ରଥମ ସ୍ଥାନରେ ରହିଥିବା ବେଳେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ୧୧ ପ୍ରତିଶତ ଭୋଟ୍‌ ପାଇ ଦ୍ୱିତୀୟ ସ୍ଥାନରେ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ୯.୩ ପ୍ରତିଶତ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ। ଉତ୍ତର ପ୍ରଦେଶ ପୂର୍ବ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ ୭ ପ୍ରତିଶତ ଭୋଟ୍‌ ପାଇଥିବା ବେଳେ ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୪.୨ ଏବଂ ବିଏସ୍‌୍‌ପି ସୁପ୍ରିମୋ ମାୟାବତୀ ୪.୧ ପ୍ରତିଶତ ଭୋଟ୍‌ ପାଇଥିଲେ। ଏହି ସର୍ଭେରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ସିପିଏମ୍‌ ସାଧାରଣ ସଂପାଦକ ସୀତାରାମ ୟେଚୁରୀ, ଏନ୍‌ସିପି ସୁପ୍ରିମୋ ଶରଦ ପାଓ୍ଵାର ଏବଂ ଅନ୍ୟ ଜାତୀୟ ଓ ଆଞ୍ଚଳିକ ନେତାମାନଙ୍କୁ ମଧ୍ୟ ବିକଳ୍ପ ଭାବେ ରଖାଯାଇଥିଲା।

ସମ୍ବନ୍ଧିତ ଖବର