ହୋମ ଆଇସୋଲେସନରେ ଥିବା ରୋଗୀ ଶିଖିବେ ଯୋଗ, ଦିଲ୍ଲୀ ସରକାର ଆରମ୍ଭ କଲେ ଅନଲାଇନ ଯୋଗ ଶିବିର

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ସଂକ୍ରମଣ ଥମିବାର ନାମ ନେଉନାହିଁ | କରୋନାକୁ ନିୟନ୍ତ୍ରଣ କରିବା ପାଇଁ ସରକାର ପ୍ରସ୍ତୁତି ଚଳାଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଙ୍ଗଳବାର ଦିନ ଯୋଗ ଶ୍ରେଣୀ ବାବଦରେ ଘୋଷଣା କରିଛନ୍ତି । ଦିଲ୍ଲୀର ଲୋକଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ସମସ୍ତ ରୋଗୀ ଯେଉଁମାନେ ଘରେ ଆଇସୋଲେସନରେ ଅଛନ୍ତି, ସେମାନଙ୍କୁ ଯୋଗ କରିବା ପାଇଁ ଏକ ଲିଙ୍କ ପଠାଯିବ। ଏହି କ୍ଲାସଗୁଡିକ ଆଠ ଘଣ୍ଟା ଧରି ଚାଲିବ | ଆପଣଙ୍କ ସୁବିଧା ଅନୁଯାୟୀ କ୍ଲାସ୍ ପାଇଁ ପଞ୍ଜିକରଣ କରନ୍ତୁ | ଚାଳିଶ ହଜାର ଲୋକ ଏକାସାଙ୍ଗରେ ଏହାର ଲାଭ ଉଠାଇ ପାରିବେ | ଗୋଟିଏ କ୍ଲାସରେ କେବଳ ପନ୍ଦର ଜଣ ରୋଗୀ ରହିବେ | ଆସନ୍ତାକାଲି ଠାରୁ ଏହି କ୍ଲାସ୍ ଆରମ୍ଭ ହେବ | ସେହିପରି ଡାକ୍ତରଖାନା ପରିଦର୍ଶନ ପାଇଁ ଏନସିଡିସି(ନ୍ୟାସନାଲ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ) ର ଏକ ଟିମ୍ ଗଠନ କରାଯାଇଛି |

ଏଥିରେ ଉଭୟ ଦିଲ୍ଲୀ ଏବଂ କେନ୍ଦ୍ରୀୟ ଡାକ୍ତରଖାନା ଅନ୍ତର୍ଭୁକ୍ତ ରହିବେ | ଏହି ଟିମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କରୋନା ରୋଗୀଙ୍କ ବୟସ, ସାମ୍ପ୍ରତିକ ଅବସ୍ଥା, ସଂକ୍ରମଣର ଉତ୍ସ, ହସ୍ପିଟାଲରେ ରହିବାର ଅବଧି, ମୃତ୍ୟୁର ବିବରଣୀ, ସଂକ୍ରମଣ ଏବଂ ଟିକା ନେବା ପୂର୍ବରୁ କୌଣସି ରୋଗ ଇତ୍ୟାଦି ବିଷୟରେ ଏକ ସମ୍ପୂର୍ଣ୍ଣ ସର୍ଭେ କରିବେ | ଏହା ପରେ ଟିମ କେନ୍ଦ୍ରକୁ ସମ୍ପୂର୍ଣ୍ଣ ରିପୋର୍ଟ ଦେବ। ସୂଚନା ଥାଉ କି ଦିଲ୍ଲୀରେ କରୋନା ସଂକ୍ରମଣ ଅନିୟନ୍ତ୍ରିତ ହେବାରେ ଲାଗିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥିବାରୁ କଟକଣା କଡ଼ାକଡ଼ି କରୁଛନ୍ତି ସରକାର।

ଆଜି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ବାରା ଜାରି କରାଯାଇଥିବା ନୂତନ ଗାଇଡଲାଇନରେ କୁହାଯାଇଛି ଯେ, ଅତ୍ୟାବଶ୍ୟକ ସେବା ସହିତ ଜଡ଼ିତ କାର୍ଯ୍ୟାଳୟ ବ୍ୟତୀତ ସମସ୍ତ ଘରୋଇ କାର୍ଯ୍ୟାଳୟ ବନ୍ଦ ରହିବ। ଏହା ସହିତ, ସମସ୍ତ ରେସ୍ତୋରାଁ ଏବଂ ବାରଗୁଡିକ ବନ୍ଦ ରହିବ। କେବଳ ପାର୍ସଲ ଏବଂ ଅନଲାଇନ ବିତରଣକୁ ଅନୁମତି ଦିଆଯିବ।

ସମ୍ବନ୍ଧିତ ଖବର