ନୂଆଦିଲ୍ଲୀ: ଫେବ୍ରୁଆରି ୨୪, ୨୦୨୦ରେ ଭାରତ ଗସ୍ତରେ ଆସିଥିଲେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ସହ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ ଏବଂ ତାଙ୍କ ଝିଅ-ଜ୍ବାଇଁ ମଧ୍ୟ ଆସିଥିଲେ। ପ୍ରଥମେ ସେ ଗୁଜୁରାଟର ଅହମଦାବାଦରେ ପହଞ୍ଚି ସେଠାରେ ଥିବା ସର୍ବବୃହତ କ୍ରିକେଟ ଷ୍ଟାଡିୟମର ଉଦଘାଟନ କରିଥିଲେ। ତେବେ ଟ୍ରମ୍ପଙ୍କ ଅହମଦାବାଦ ଗସ୍ତ ପାଇଁ ଗୁଜୁରାଟ ସରକାର ୧୦୦କୋଟି ଟଙ୍କା ଖର୍ଚ୍ଚ କରିଦେଇଥିବା ନେଇ ବିରୋଧି ଦଳ ଦାବି କରୁଥିବା ବେଳେ ଏବେ ଗୁଜୁରାଟ ସରକାର ପ୍ରକୃତ ଖର୍ଚ୍ଚ ବିଷୟରେ ଜଣାଇଛନ୍ତି। ୧୦୦କୋଟି ନୁହେଁ ବରଂ ଟ୍ରମ୍ପଙ୍କ ଗସ୍ତ ପାଇଁ ଗୁଜୁରାଟ ସରକାର ୧୨.୫କୋଟି ଟଙ୍କା ଖର୍ଚ୍ଚ କରିଥିଲେ ବୋଲି ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ଦାବି କରିଛନ୍ତି।
ବିଧାନସଭାରେ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ କହିଛନ୍ତି, ରାଜ୍ୟ ସରକାର ଟ୍ରମ୍ପଙ୍କ ଗସ୍ତକୁ ଆଖି ଆଗରେ ରଖି ପ୍ରସ୍ତୁତି ପାଇଁ ୮କୋଟି ଟଙ୍କାର ମଞ୍ଜୁରୀ କରିଥିଲେ। ସେହିଭଳି ଭାବେ ଅହମଦାବାଦ ନଗର ନିଗମ ୪.୫କୋଟି ଟଙ୍କା ଦେଇଥିଲେ, ଯାହାକୁ ସଡ଼କ ନିର୍ମାଣ କାମରେ ଲଗାଯାଇଥିଲା। ୧୦୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବାର କଂଗ୍ରେସ ଯେଉଁ ଦାବି କରିଥିଲା, ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ତାଙ୍କୁ ଏଭଳି ଭୁଲ ତଥ୍ୟ କେଉଁଠୁ ମିଳିଲା, ମୁଁ ତାହା ଭାବୁଛି।
ଉଲ୍ଲେଖ୍ୟଯୋଗ୍ୟ, କଂଗ୍ରେସ ନେତା ଅଜୁର୍ନ ମୋଧ୍ୟୱାଡିଆ ଶୁକ୍ରବାର ଟୁଇଟ୍ କରି ଲେଖିଥିଲେ, ଟ୍ରମ୍ପଙ୍କ ୩ଘଣ୍ଟାର ଯାତ୍ରା ପାଇଁ ଗୁଜୁରାଟ ସରକାର ୧୦୦କୋଟି ଟଙ୍କା ଖର୍ଚ୍ଚ କରିଦେଇଥିଲେ। ତାଙ୍କର ଏଭଳି ଟୁଇଟ୍ ଦେଖି ଆଜି ବିଧାନସଭାରେ ପ୍ରକୃତ ଖର୍ଚ୍ଚ ବିଷୟରେ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ।