ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମ୍ କୋର୍ଟର ୨୩ ଜଣ ବିଚାରପତିଙ୍କ ମଧ୍ୟରୁ ମାତ୍ର ୧୨ ଜଣ ବିଚାରପତି ସେମାନଙ୍କର ସଂପତ୍ତି ତାଲିକା ସୁପ୍ରିମ୍ କୋର୍ଟର ପୋର୍ଟାଲରେ ଘୋଷଣା କରିଛନ୍ତି। ଅବଶିଷ୍ଟ ୧୧ ଜଣ ବିଚାରପତି ସେମାନଙ୍କର ସଂପତ୍ତି ସଂପର୍କିତ କୌଣସି ପ୍ରକାରର ତଥ୍ୟ ସୁପ୍ରିମ୍ କୋର୍ଟ ପୋର୍ଟାଲରେ ସ୍ଥାନିତ କରିନାହାନ୍ତି। ସୁପ୍ରିମ୍ କୋର୍ଟର ଯେଉଁ ୧୧ ଜଣ ବିଚାରପତି ସେମାନଙ୍କର ସଂପତ୍ତି ତାଲିକା ଘୋଷଣା କରି ନାହାନ୍ତି ସେମାନେ ହେଲେ, ଜଷ୍ଟିସ୍ ଆର୍ ଏଫ୍ ନରିମାନ୍, ଏ ଏମ୍ ସାପ୍ରେ, ୟୁ ୟୁ ଲଲିତ, ଡି ଓ୍ଵାଇ ଚନ୍ଦ୍ରଚୂଡ଼, ଏଲ୍ ନାଗେଶ୍ୱର ରାଓ, ସଞ୍ଜୟ କ୍ରିଷ୍ଣ କୌଲ୍, ମୋହନ ଏମ୍ ସାନ୍ତନାଗୌଦାର, ଏସ୍ ଅବଦୁଲ ନଜିର, ନଭିନ୍ ସିହ୍ନା, ଦୀପକ ଗୁପ୍ତା ଏବଂ ଇନ୍ଦୁ ମାଲହୋତ୍ରା।
ଅନ୍ୟପକ୍ଷରେ ସୁପ୍ରିମ୍ କୋର୍ଟର ଯେଉଁ ବିଚାରପତିମାନେ ନିଜ ନିଜର ସଂପତ୍ତି ତାଲିକା ଘୋଷଣା କରିଛନ୍ତି, ସେମାନଙ୍କ ମଧ୍ୟରେ ମୁଖ୍ୟ ବିଚାରପତିଙ୍କ ସମେତ କଲେଜିୟମ୍ର ସଦସ୍ୟ ଥିବା ୪ ବିଚାରପତି ଓ ଅନ୍ୟ ୭ ବିଚାରପତି ଅନ୍ତର୍ଭୁକ୍ତ ଅଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଏବଂ ବରିଷ୍ଠତା ଭିତ୍ତିରେ ତାଙ୍କ ତଳକୁ ଥିବା ବିଚାରପତି ଜଷ୍ଟିସ୍ ରଞ୍ଜନ ଗୋଗେଇଙ୍କ କୌଣସି ପ୍ରକାରର ଗାଡ଼ି ନାହିଁ। ଜଷ୍ଟିସ୍ ମଦନ ବି ଲୋକୁରଙ୍କର ଗୋଟିଏ ମାରୁତି ସ୍ୱିଫ୍ଟ ଗାଡ଼ି ଥିବାବେଳେ ଜଷ୍ଟିସ୍ କୁରିଅନ୍ ଯୋସେଫ୍ଙ୍କର ଗୋଟିଏ ସେକେଣ୍ଡହାଣ୍ଡ ମାରୁତି ଏଷ୍ଟିମ୍ ଏବଂ ଜଷ୍ଟିସ୍ ଏ କେ ସିକ୍ରିଙ୍କର ଗୋଟିଏ ହୋଣ୍ଡା ସିଭିକ୍ ଗାଡ଼ି ଅଛି।