ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ କ୍ଷତିପୂରଣ ରାଶି ଧାର୍ଯ୍ୟ

ନୂଆଦିଲ୍ଲୀ : ଦୁଷ୍କର୍ମ ପୀଡ଼ିତା ଏବଂ ଏସିଡ୍‌ ଆକ୍ରମଣର ଶିକାର ହେଉଥିବା ମହିଳାଙ୍କ ପାଇଁ ସରକାର ଆଜି କ୍ଷତିପୂରଣ ସ୍କିମ୍‌ ଘୋଷଣା କରିଛନ୍ତି। ନ୍ୟାସନାଲ୍‌ ଲିଗାଲ୍‌ ସର୍ଭିସ୍‌ ଅଥରିଟି (ନାଲ୍‌ସା) ସହ ବିଚାର ବିମର୍ଶ କରି କେନ୍ଦ୍ର ସରକାର ଘୋଷଣା କରିଥିବା କ୍ଷତିପୂରଣ ସ୍କିମ୍‌ ଅନୁଯାୟୀ ପୀଡ଼ିତାଙ୍କୁ ୫ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ମିଳିବ। ଦୁଷ୍କର୍ମ ଯୋଗୁଁ ପ୍ରାଣ ହରାଉଥିବା ପୀଡ଼ିତାର ପରିବାର କିମ୍ବା ଗଣଦୁଷ୍କର୍ମ ଶିକାର ହେଉଥିବା ପୀଡ଼ିତାଙ୍କ ଲାଗି ସର୍ବନିମ୍ନ ୫ ଲକ୍ଷ ଏବଂ ସର୍ବାଧିକ ୧୦ ଲକ୍ଷ କ୍ଷତିପୂରଣ ମିଳିବ। ଦୁଷ୍କର୍ମ କିମ୍ବା ଅପ୍ରାକୃତିକ ଯୌନ କ୍ରିୟାର ପୀଡ଼ିତାଙ୍କୁ ସର୍ବନିମ୍ନ ୪ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଦୁଷ୍କର୍ମ ଯୋଗୁଁ ଗର୍ଭପାତ ହେଲେ ଉକ୍ତ ମହିଳାଙ୍କୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବ। ଗଣଦୁଷ୍କର୍ମ ପୀଡ଼ିତାଙ୍କ ମୃତୁ୍ୟୁ ଘଟିଲେ ତାଙ୍କ ପରିବାରକୁ ଅତି କମ୍‌ରେ ୧୦ ଲକ୍ଷ ଟଙ୍କାର ସହାୟତା ମିଳିବ।

ବର୍ତ୍ତମାନ ବିଭିନ୍ନ ରାଜ୍ୟ ସରକାର ଦୁଷ୍କର୍ମ ପୀଡ଼ିତାଙ୍କ ପାଇଁ ବିଭିନ୍ନ ପ୍ରକାର ସହାୟତା ରାଶି ଘୋଷଣା କରୁଛନ୍ତି। ଓଡ଼ିଶାରେ ସର୍ବନିମ୍ନ ୧୦ ହଜାର ଟଙ୍କାରୁ ଆରମ୍ଭ କରି ଗୋଆରେ ସର୍ବାଧିକ ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ଦିଆଯାଉଛି। ବିଭିନ୍ନ ରାଜ୍ୟରେ ଭିନ୍ନ ପ୍ରକାର କ୍ଷତିପୂରଣ ରାଶି ଦିଆଯାଉଥିବାରୁ ଏହାକୁ ହଟାଇ ଦିଆଯାଇଛି। ସୁପ୍ରିମକୋର୍ଟରେ ବିଚାରପତି ମଦନ ବି ଲୋକୁର ଏବଂ ଜଷ୍ଟିସ ଦୀପକ ଗୁପ୍ତାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନୂଆ ସ୍କିମ୍‌କୁ ମଞ୍ଜୁରି ପ୍ରଦାନ କରିଛନ୍ତି। ସେମାନେ କହିଛନ୍ତି ଯେ ବିଭିନ୍ନ ରାଜ୍ୟ ବିଭିନ୍ନ ପ୍ରକାର କ୍ଷତିପୂରଣ ଦେଇ ପାରିବେ ନାହିଁ। ଆଜି ଯେଉଁ ନୂଆ ସ୍କିମ୍‌ ଘୋଷଣା କରାଯାଇଛି ତାହାକୁ ମାନିବା ପାଇଁ ସମସ୍ତ ରାଜ୍ୟ ବାଧ୍ୟ।

ଏହି ସ୍କିମ୍‌ ଅନୁଯାୟୀ ଏସିଡ୍‌ ଆକ୍ରମଣ ଯୋଗୁଁ ସଂପୂର୍ଣ୍ଣ ରୂପେ ବିକୃତ ହୋଇଯାଉଥିବା ପୀଡ଼ିତାଙ୍କୁ ସର୍ବନିମ୍ନ ୭ ଲକ୍ଷ ଟଙ୍କାର ସହାୟତା ମିଳିବ। ୫୦ ଭାଗ ପୋଡ଼ିଥିଲେ ୫ ଲକ୍ଷ ଟଙ୍କାର ସହାୟତା ମିଳିବ। ତେବେ ଦୁଷ୍କର୍ମ ଶିକାର ହେଉଥିବା ନାବାଳିକାଙ୍କ କ୍ଷେତ୍ରରେ ଉପରୋକ୍ତ ସ୍କିମ୍‌ର ଅଧା କ୍ଷତିପୂରଣ ମିଳିବ।

ସମ୍ବନ୍ଧିତ ଖବର