ଗତ ବର୍ଷ ମାତ୍ର ୫୧ ଜଣ ବାଂଲାଦେଶୀଙ୍କୁ ପ୍ରତ୍ୟର୍ପଣ କରାଯାଇଛି

ନୂଆଦିଲ୍ଲୀ : ବିଗତ ପାଞ୍ଚ ବର୍ଷ ମଧ୍ୟରେ ବାଂଲାଦେଶକୁ ପ୍ରାୟ ୭ ହଜାର ୫୬ ଜଣ ବାଂଲାଦେଶୀ ନାଗରିକଙ୍କୁ ଭାରତ ସରକାର ପ୍ରତ୍ୟର୍ପଣ କରିଛନ୍ତି । ଏହି ୫ ବର୍ଷ ମଧ୍ୟରୁ ୨୦୧୩ରେ ସର୍ବାଧିକ ୫୨୩୪ ଜଣଙ୍କୁ ପ୍ରତ୍ୟର୍ପଣ କରାଯାଇଥିବାବେଳେ ୨୦୧୭ରେ ସର୍ବନିମ୍ନ ମାତ୍ର ୫୧ ଜଣଙ୍କୁ ପ୍ରତର୍ପଣ କରାଯାଇଛି ବୋଲି ସରକାରୀ ସୁତ୍ରରୁ ଜଣାପଡିଛି ।

ସେହିପରି ୨୦୧୪ ରେ ୯୮୯ ଜଣ ବାଂଲା ନାଗରିକଙ୍କୁ ପ୍ରତ୍ୟର୍ପଣ କରାଯାଇଥିବା ବେଳେ, ୨୦୧୫ ରେ ୪୭୪ ଜଣ,୨୦୧୬ ରେ ୩୦୮ ଜଣ ଜଣଙ୍କୁ ପଠାଯାଇଛି । କିନ୍ତୁ ଭାରତରେ ବେଆଇନ ଭାବେ ପ୍ରବେଶ କରୁଥିବା ବାଂଲାଦେଶୀ ନାଗରିକମାନଙ୍କ ପ୍ରତ୍ୟର୍ପଣ ପାଇଁ ଭାରତ ଓ ବାଂଲାଦେଶ ମଧ୍ୟରେ କୌଣସି ନିର୍ଦ୍ଦିଷ୍ଟ ବୁଝାମଣା କିମ୍ବା ଚୁକ୍ତିନାମା ହୋଇନାହିଁ । ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନ୍ସରେ କେବଳ ଭାରତୀୟ ନାଗରିକଙ୍କ ନାମ ଉଲ୍ଲେଖ କରାଯାଇଛି । ବେଆଇନ ଭାବେ ପ୍ରବେଶ କରୁଥିବା ବିଦେଶୀ ନାଗରିକଙ୍କୁ ଦେଶାନ୍ତର କରିବାକୁ ସଂପୃକ୍ତ ଦେଶର ବିଦେଶ ମନ୍ତ୍ରଣାଳୟ କିମ୍ବା ଦୂତାବାସ ସହ ଭାରତ ସରକାରଙ୍କ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଯୋଗାଯୋଗ କରାଯାଇଥାଏ । ସେମାନଙ୍କର ନାଗରିକତ୍ୱ ନେଇ ନିର୍ଦ୍ଦିଷ୍ଟ ଦେଶ ପକ୍ଷରୁ ସୂଚନା ମିଳିବା ପରେ ସଂପୃକ୍ତ ଦେଶର ଦୂତାବାସ ପକ୍ଷରୁ ପାସପୋର୍ଟ ଓ ଭିସା ଜାରି କରାଯାଇଥାଏ ବୋଲି କହିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ କିରେନ ରିଜିଜୁ ।

ବେଆଇନ ଭାବେ ଦେଶରେ ପ୍ରବେଶ କରୁଥିବା ଲୋକମାନଙ୍କୁ ଅଟକ ରଖିବା ଏବଂ ପ୍ରତ୍ୟର୍ପଣ କରିବା ଏକ ନିୟମିତ ପ୍ରକ୍ରିୟା । ପ୍ରତ୍ୟର୍ପଣ ପ୍ରକ୍ରିୟା ଚାଲୁଥିବା ବେଳେ ସଂପୃକ୍ତ ନାଗରିକମାନଙ୍କୁ ଡିଟେନ୍ସନ ସେଣ୍ଟରରେ ରଖାଯାଇଥାଏ । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଡିଟେନ୍ସନ ସେଣ୍ଟରରେ ଅଟକ ଥିବା ଲୋକମାନଙ୍କ ତଥ୍ୟ କେନ୍ଦ୍ର ନିକଟରେ ଉପଲବ୍ଧ ନାହିଁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର