ମାତ୍ର ୬% ହିଟ୍‌-ଆଣ୍ଡ୍-ରନ୍ ମାମଲାରେ କ୍ଷତିପୂରଣ ମିଳିଛି

ନୂଆଦିଲ୍ଲୀ : ସରକାରୀ ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାର ୨୦୧୭-୧୮ରୁ ଏ ପର୍ଯ୍ୟନ୍ତ ମାତ୍ର ୫,୦୩୬ଟି ହିଟ୍‌-ଆଣ୍ଡ୍-ରନ୍ ମାମଲାରେ ମୃତ ବା ଗୁରୁତର ଆହତଙ୍କୁ ଅନୁକମ୍ପା ରାଶି ପ୍ରଦାନ କରିଛନ୍ତି। ୩,୨୦୯ଟି ମୃତ୍ୟୁ ଓ ୧,୮୨୭ଟି ଗୁରୁତର ଆହତ ଘଟଣାରେ ଏହି କ୍ଷତିପୂରଣ ପ୍ରଦାନ କରାଯାଇଛି। ଏହା ହେଉଛି ମୋଟ୍‌ ମୃତାହତଙ୍କ ସଂଖ୍ୟାର ମାତ୍ର ୬ ପ୍ରତିଶତ।

ଭାରତରେ ପ୍ରତିବର୍ଷ ହାରାହାରି ୮୦,୦୦୦ ଲୋକ ସଡ଼କ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି ବା ଗୁରୁତର ଆହତ ହେଉଛନ୍ତି।

ବିଜେଡିର ଅନୁଭବ ମହାନ୍ତିଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ସଡ଼କ-ପରିବହନ ଓ ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଲୋକସଭାରେ କୁହାଯାଇଛି ଯେ, ୨୦୧୭ ଏପ୍ରିଲରୁ ଚଳିତ ବର୍ଷ ଫେବ୍ରୁଆରି ଭିତରେ ୫,୦୩୬ଟି ମାମଲାରେ ମୋଟ ୧୨ କୋଟି ଟଙ୍କା କ୍ଷତିପୂରଣ ଆକାରରେ ଦିଆଯାଇଛି। ସରକାରଙ୍କ ପକ୍ଷରୁ ସ୍ବୀକାର କରାଯାଇଛି ଯେ, ଯେଉଁ ହାରରେ କ୍ଷତିପୂରଣ ଦିଆଯାଇଛି ତାହା ଚିନ୍ତାଜନକ ଏବଂ ଏହା ଉପରେ ତୁରନ୍ତ ଦୃଷ୍ଟି ଦିଆଯିବା ଆବଶ୍ୟକ।
ହିଟ୍-ଆଣ୍ଡ୍-ରନ୍ ମାମଲା କହିଲେ ତାକୁ ବୁଝାଏ, ଯେଉଁଠି ପୁଲିସ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର, ଗାଡ଼ି ବା ଗାଡ଼ି ମାଲିକର ଟେର୍ ପାଏ ନାହିଁ। ତେଣୁ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ସମ୍ଭବ ହୁଏ ନାହିଁ। ଏ କ୍ଷେତ୍ରରେ ସରକାର ତାଙ୍କ ସୋଲେସିୟମ୍ (କ୍ଷତିପୂରଣ) ପାଣ୍ଠିରୁ ଯାହା କ୍ଷତିପୂରଣ ରାଶି ପ୍ରଦାନ କରିଥାନ୍ତି। ଆଗରୁ ମୃତକଙ୍କ ପାଇଁ ୨୫,୦୦୦ ଓ ଗୁରୁତର ଆହତଙ୍କ ପାଇଁ ୧୨,୫୦୦ ଟଙ୍କା କ୍ଷତିପୂରଣ ଦିଆଯାଉଥିଲା। ମଟର ଭେହିକ୍‌ଲ ଆକ୍ଟର ସଂଶୋଧନ ପରେ ଏହି ରାଶିକୁ ଯଥାକ୍ରମେ ୨ ଲକ୍ଷ ଓ ୫୦,୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏପ୍ରିଲ ୨୦୨୨ରୁ ନୂଆ ଆଇନ ଲାଗୁ କରାଯାଇଛି।

ତଥ୍ୟ ଅନୁଯାୟୀ ଏପ୍ରିଲ ୨୦୨୨ରୁ ଫେବ୍ରୁଆରି ୨୦୨୩ ଭିତରେ ୭୨ଟି ମୃତ୍ୟୁ ଓ ୬ଟି ଆହତ ଘଟଣା ପାଇଁ ମୋଟ ୧.୪୭ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ଏତେ କମ୍ ଲୋକ କ୍ଷତିପୂରଣ ପାଇବାର ମୁଖ୍ୟ କାରଣ ହେଉଛି ଅଧିକାଂଶ ଲୋକ ସେଥିପାଇଁ ଆବେଦନ ହିଁ କରନ୍ତି ନାହିଁ। ଏହି ସମସ୍ୟାର ସମାଧାନ ପାଇଁ, ଲୋକଙ୍କୁ ସଚେତନ କରାଇବା ପାଇଁ ଏବଂ ଅଧିକ ଲୋକ କିପରି କ୍ଷତିପୂରଣ ପାଇପାରିବେ ସେ ଦିଗରେ ପଦକ୍ଷେପ ନେବାକୁ ସରକାର ଯୋଜନା କରିଛନ୍ତି।

ସମ୍ବନ୍ଧିତ ଖବର