ଲକ୍ଷ୍ନୌ : ଲୋକସଭାକୁ ସର୍ବାଧିକ ୮୦ ସାଂସଦ ପଠାଉଥିବା ରାଜ୍ୟ ଉତ୍ତରପ୍ରଦେଶରେ ୬ କୋଟିରୁ ଅଧିକ ମହିଳା ଭୋଟର ଅଛନ୍ତି। କିନ୍ତୁ ଉତ୍ତରପ୍ରଦେଶରୁ ମାତ୍ର ୭ ଜଣ ମହିଳା ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି। ଲୋକସଭା ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୧୦ ପ୍ରତିଶତରୁ କମ୍‌ ରହିଛନ୍ତି ମହିଳା। ଉତ୍ତରପ୍ରଦେଶରେ ମୋଟ୍‌ ୮୫୧ ପ୍ରାର୍ଥୀ ନିର୍ବାଚନ ଲଢ଼ିଛନ୍ତି। ସେମାନଙ୍କ ମଧ୍ୟରେ ୭୭୧ ଜଣ ପୁରୁଷ ଏବଂ ୮୦ ଜଣ ମହିଳା ଥିଲେ। ତେବେ ମହିଳା ପ୍ରାର୍ଥୀଙ୍କ ମଧ୍ୟରୁ ମାତ୍ର ୮.୭୫% ବିଜୟୀ ହୋଇଛନ୍ତି।ଉତ୍ତରପ୍ରଦେଶରୁ ସଂସଦକୁ ନିର୍ବାଚିତ ହୋଇଥିବା ୭ ମହିଳା ସାଂସଦଙ୍କ ମଧ୍ୟରୁ ୫ ଜଣ ସମାଜବାଦୀ ପାର୍ଟିର। କେବଳ ଜଣେ ବିଜେପିର ଓ ସେ ହେଉଛନ୍ତି ହେମା ମାଳିନୀ। ଅନ୍ୟପକ୍ଷେ ମିର୍ଜାପୁରରୁ ନିର୍ବାଚନ ଜିତିଥିବା ଅନୁପ୍ରିୟା ପଟେଲ ବିଜେପିର ସହଯୋଗୀ ଆପ୍‌ନା ଦଳ (ସୋନେ ଲାଲ୍‌)ର ଅଟନ୍ତି। ସମାଜବାଦୀ ପାର୍ଟିର ୫ ମହିଳା ସାଂସଦ ହେଉଛନ୍ତି ଡିମ୍ପଲ ଯାଦବ, ଇକରା ଚୌଧାରୀ, ପ୍ରିୟା ସରୋଜ, ରୁଚି ବୀରା ଏବଂ କ୍ରୀଷ୍ଣା‌ ଦେବୀ। ବିଜେପି ଏବଂ ରାଷ୍ଟ୍ରୀୟ ଲୋକଦଳ ଉତ୍ତରପ୍ରଦେ‌ଶରେ ୭୯ ଆସନରେ ୬ ମହିଳା ପ୍ରାର୍ଥୀ ଦେଇଥିଲା। ଅନ୍ୟ ଏକ ଆସନ ଅନୁପ୍ରିୟା ପଟେଲଙ୍କ ପାଇଁ ସୁରକ୍ଷିତ ରଖାଯାଇଥିଲା। ଅନ୍ୟପକ୍ଷେ ସମାଜବାଦୀ ପାର୍ଟି ୬୩ ଆସନରେ ୧୨ ମହିଳା ପ୍ରାର୍ଥୀ ଦେଇଥିଲା। ବିଏସପି ୩ ମହିଳାଙ୍କୁ ଟିକେଟ ଦେଇଥିଲା।