ନୂଆଦିଲ୍ଲୀ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଚାଲିଥିବା ଯୁଦ୍ଧକୁ ରୋକିବା ପାଇଁ ପ୍ରସ୍ତୁତ ଅଛନ୍ତି, କିନ୍ତୁ ୟୁକ୍ରେନ ତାଙ୍କ ସର୍ତ୍ତ ଗ୍ରହଣ କଲେ ଏହା ସମ୍ଭବ ବୋଲି ସେ କହିଛନ୍ତି। ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗନଙ୍କ ସହ ଆଲୋଚନା ପରେ ଏହି ଦାବି କରାଯାଇଛି। ଆଜି ତୁର୍କୀ ରାଷ୍ଟ୍ରପତି ଏରଡୋଗନ ଏବଂ ରାଷ୍ଟ୍ରପତି ପୁଟିନ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଥିଲେ।
ରୁଷର ଏକ ବଡ ସର୍ତ୍ତ ହେଉଛି ୟୁକ୍ରେନ ନାଟୋରେ ଯୋଗଦେବା ଉଚିତ୍ ନୁହେଁ। ରୁଷ ବହୁ ବର୍ଷ ଧରି କହିଆସୁଛି ଯେ ୟୁକ୍ରେନ ଯାହା ଚାହିଁବ ତାହା କରିବା ଉଚିତ, କିନ୍ତୁ ନାଟୋରେ ଯୋଗଦେବା ଉଚିତ ନୁହେଁ। ରୁଷ ଦାବି କରିଛି ଯେ ୟୁକ୍ରେନର ନାଟୋ ସଦସ୍ୟ ହେବା ଆମର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି। କୁହାଯାଉଛି ଯେ ୟୁକ୍ରେନ ସହିତ ରୁଷର ଯୁଦ୍ଧ ହେବା ପଛରେ ଏହା ହେଉଛି ମୁଖ୍ୟ କାରଣ। ତେବେ ୟୁକ୍ରେନ ରୁଷର କଥା ମାନିବା ପରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି ପୁଟିନ ଏରଡୋଗନକୁ କହିଥିବା ନେଇ ଚର୍ଚ୍ଚା ହେଉଛି।
ଏହା ପୂର୍ବରୁ ପୁଟିନ କହିଥିଲେ ଯେ, ୟୁକ୍ରେନ୍କୁ ରୁଷୀୟ ସେନା ପଠାଇବା ନିଷ୍ପତ୍ତି ଥିଲା କଠିନ, ଏଥିରେ ସନ୍ଦେହ ନାହିଁ। ଅଭିଯାନ ଆରମ୍ଭ ବେଳେ ବି ମୁଁ ଏ କଥା କହିଥିଲି। ନିଷ୍ପତ୍ତି ଗ୍ରହଣ କରାଯିବା ପୂର୍ବରୁ ମୁଁ ଏ ବିଷୟରେ ଆଲୋଚନା କରିଥିଲି। ନିଃସନ୍ଦେହ, ଏହା ଖୁବ୍ କଠିନ ନିଷ୍ପତ୍ତି। ଏହାକୁ ଯଥାର୍ଥ ବୋଲି ସାବ୍ୟସ୍ତ କରିବା ଲାଗି ପୁଟିନ ଗୁଡ଼ାଏ ଘଟଣାକ୍ରମ ବର୍ଣ୍ଣନା କରିଥିଲେ। ତାଙ୍କ ମତରେ, ସେ ଘଟଣାଗୁଡ଼ିକ ୟୁକ୍ରେନ୍ ଆକ୍ରମଣ ପାଇଁ ବାଧ୍ୟ କଲା।