ରାସ୍ତାରୁ ହଜିଯିବ ପେଟ୍ରୋଲ/ଡିଜେଲ ଗାଡ଼ି, ୨୦୨୫ ପରେ କେବଳ ବିଦ୍ୟୁତଚାଳିତ ବାଇକ୍‌

ନୂଆଦିଲ୍ଲୀ : ୨୦୨୩ ପରେ ପେଟ୍ରୋଲ/ଡିଜେଲ ଚାଳିତ ତିନି ଚକିଆ ଗାଡ଼ି ଭାରତୀୟ ରାସ୍ତାରେ ଆଉ ଗଡ଼ି ନପାରେ। ସେହିପରି ୨୦୨୫ ପରେ ଏଭଳି ଦୁଇ ଚକିଆ ଗାଡ଼ି ମଧ୍ୟ ଗଡ଼ିବ ନାହିଁ। ପ୍ରଦୂଷଣକୁ ରୋକିବ‌ା ଉଦ୍ଦେଶ୍ୟରେ ଏଭଳି ପ୍ରସ୍ତାବ ଦେଇଛି ନିତି ଆୟୋଗ। ପେଟ୍ରୋଲ/ଡିଜେଲ ଗାଡ଼ି ବଦଳରେ ବିଦ୍ୟୁତ ଗାଡ଼ି ଉତ୍ପାଦନକୁ ପ୍ରୋତ୍ସାହିତ କରିବା ଲାଗି ଭାରତ ସରକାର ବଡ଼ ଧରଣର ‌େଯାଜନା କରିଛନ୍ତି। ୨୦୦୧ରୁ ଭାରତୀୟ ରାସ୍ତା ଉପରେ ବିଦ୍ୟୁତ ଯାନ ଗଡ଼ିବା ଆରମ୍ଭ କରିଥିଲେ ମଧ୍ୟ ୨୦୧୭ରୁ ଏହା ଉପରେ ଅଧିକ ଗୁରୁତ୍ବ ଦିଆଯାଉଛି। କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟରେ ଏଥିଲାଗି ୧୦ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। ବିଦ୍ୟୁତ ଯାନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲାଗି ଜିଏସଟି ୫%କୁ କମାଇ ଦିଆଯାଇଥିବା ବେଳେ ଏଭଳି ଯାନ କିଣୁଥିବା ବ୍ୟକ୍ତିଙ୍କ ଲାଗି ଆୟକର ଛାଡ଼ ସୁବିଧ‌ା ମଧ୍ୟ କରାଯାଇଛି।

ବଜେଟରେ ଏଭଳି ଘୋଷଣା ପରେ ଭାରତୀୟ ବଜାରରେ ବିଦ୍ୟୁତ ଯାନ ପ୍ରତି ଉତ୍ସାହ ଦେଖାଯାଉଛି। ଯଦି ଏଭଳି ଉତ୍ସାହ ଜାରି ରହେ ତାହାହେଲେ ୟୁରୋପ ଓ ଚୀନ ସହିତ ଯୋଡ଼ି ହୋଇଯିବ ଭାରତ। ପ୍ରଦୂଷଣରୁ ମୁକ୍ତି ପାଇବା ଉଦ୍ଦେଶ୍ୟରେ ନରୱେ, ବ୍ରିଟେନ ଏବଂ ଚୀନ ବିଦ୍ୟୁତ ଯାନ ଉତ୍ପାଦନକୁ ତ୍ବରାନ୍ବିତ କରିଛନ୍ତି। ନରୱେରେ ଏବେ ବିକ୍ରି ହେଉଥିବା କାର ମଧ୍ୟରୁ ୨୦ ଭାଗ ବିଦ୍ୟୁତ ଚାଳିତ ଥିବା ବେଳେ ୨୦୪୦ ସୁଦ୍ଧା ଯାନଗୁଡ଼ିକୁ ଶତ ପ୍ରତିଶତ ବିଦ୍ୟୁତ ଚାଳିତ କରିବାକୁ ଲକ୍ଷ୍ୟ ରଖିଛି ବ୍ରିଟେନ। ଏହି ଜ୍ଞାନକୌଶଳରେ ଆଗୁଆ ଥିବା ଚୀନ ଏଥିରୁ ଫାଇଦା ଉଠାଇବା ଲାଗି ଭରପୂର ଉଦ୍ୟମ ଚଳାଇଛି। ୨୦୨୫ ସୁଦ୍ଧା ବିଶ୍ବ ବଜାରରେ ଚୀନର ୬୦ ଭାଗ ବିଦ୍ୟୁତ ଯାନ ଚାଲିବ ବୋଲି ଲକ୍ଷ୍ୟ ଧାର୍ଯ୍ୟ କରିଛି। ଆମେରିକାରେ ମଧ୍ୟ ବିଦ୍ୟୁତ ଗାଡ଼ି ବେପାର ବଢ଼ିବାରେ ଲାଗିଛି।

ଏହି ବଜାରରେ ଭାରତ ଯେପରି ପଛୁଆ ନହୁଏ ସେଥିଲାଗି ଉଦ୍ୟମ ଆରମ୍ଭ ହୋଇଯାଇଛି। ବିଦ୍ୟୁତ ଯାନ ଚାଲିଲେ ଭାରତକୁ ଦୁଇଟି ଲାଭ ମିଳିବ। ପ୍ରଥମଟି ହେଲା ପେଟ୍ରୋଲ ଆମଦାନୀ ଯଥେଷ୍ଟ ହ୍ରାସ ପାଇବ। ଏବେ ଭାରତରେ ବ୍ୟବହୃତ ପେଟ୍ରୋଲ/ଡିଜେଲର ମଧ୍ୟରୁ ୮୦ ଭାଗ ବିଦେଶରୁ ଆମଦାନୀ ହେଉଛି। ଦ୍ବିତୀୟଟି ହେଉଛି ପ୍ରଦୂଷଣ ମାତ୍ରା ହ୍ରାସ ପାଇବ। ନିତି ଆୟୋଗର ହିସାବ ଅନୁଯାୟୀ ୨୦୩୦ ସୁଦ୍ଧା ଯଦି ୩୦ ଭାଗ ପ୍ରାଇଭେଟ୍ କାର, ୭୦ ଭାଗ ବ୍ୟାବସାୟିକ କାର, ୪୦ ଭାଗ ବସ୍ ଏବଂ ୮୦ ଭାଗ ଦୁଇ/ତିନି ଚକିଆ ଗାଡ଼ି ବିଦ୍ୟୁତ ଚାଳିତ ହେବ ତାହାହେଲେ ପ୍ରାୟ ୪୭୫ ନିୟୁତ ଟନ୍ ତେଲ ସଂଚୟ ହୋଇପାରିବ।

ମିଳିଥିବା ସୂନା ଅନୁଯାୟୀ ଏବେ ଦେଶରେ ୫ଟି କଂପାନି ବିଦ୍ୟୁତ କାର ନିର୍ମାଣ କରୁଥିବା ବେଳେ ୨୭ଟି କଂପାନି ବିଦ୍ୟୁତ ସ୍କୁଟର, ୧୪ଟି କଂପାନି ବଦ୍ୟୁତ ମୋଟର ସାଇକଲ, ୧୮ଟି କଂପାନି ବିଦ୍ୟୁତ ରିକ୍ସା, ୧୪ଟି କଂପାନି ବିଦ୍ୟୁତ ସାଇକଲ ଏବଂ ଅଶୋକ ଲେଲାଣ୍ଡ ତଥା ଟାଟା ମୋଟର୍ସ ବସ୍ ନିର୍ମାଣ କରୁଛନ୍ତି। ୨୦୧୪ରେ ବେଙ୍ଗାଲୁରୁରେ ପ୍ରଥମ ଥର ଲାଗି ବିଦ୍ୟୁତ ବସ୍ ଚାଲିଥିଲା।
ଅତ୍ୟଧିକ ମୂଲ୍ୟ ଯୋଗୁଁ ବିଗତ ବର୍ଷମାନଙ୍କରେ ଭାରତୀୟ ବଜାରରେ ବିଦ୍ୟୁତ ଗାଡ଼ିର ବିକ୍ରୟ ସେପରି ଉତ୍ସାହଜନକ ନଥିଲା। ଗତବର୍ଷ ୨ କୋଟିରୁ ଅଧିକ ଦୁଇ ଚକିଆ ଗାଡ଼ି ବିକ୍ରି ହୋଇଥିବା ବେଳେ ସେଥିମଧ୍ୟରୁ ବିଦ୍ୟୁତ ଗାଡ଼ି ସଂଖ୍ୟା ଥିଲା ମାତ୍ର ଲକ୍ଷେ।‌ ସେହିଭଳି ୩ ଲକ୍ଷ କାର ବିକ୍ରି ହୋଇଥିବା‌ ବେଳେ ମାତ୍ର ୧୦ ହଜାର ଥିଲା ବିଦ୍ୟୁତ କାର। ତେବେ ଏଭଳି ଗାଡ଼ିର ଚାହିଦା ଓ ଉତ୍ପାଦନ ବୃଦ୍ଧି ଲାଗି କେନ୍ଦ୍ର ସରକାର ଅନେକ ପଦକ୍ଷେପ ଘୋଷଣା କରିବା ପରେ କେତେକ ରାଜ୍ୟ ସରକାର ମଧ୍ୟ ଆଗେଇ ଆସିଛନ୍ତି। ସବସିଡି ଦେବା ସହିତ ସେମାନେ ରୋଡ୍ ଟିକସ ଛାଡ଼ କରିଛନ୍ତି। ଏହାସତ୍ତ୍ବେ ବିଦ୍ୟୁତ ଯାନର ମୂଲ୍ୟ ଅଧିକ ରହିଛି। ଏହାର ମୁଖ୍ୟ କାରଣ ହେଉଛି ଏଭଳି ଯାନର ଜ୍ଞାନକୌଶଳ ଏବଂ ବ୍ୟାଟେରି ଲାଗି ଭାରତକୁ ଚୀନ ଉପରେ‌ ନିର୍ଭର କରିବାକୁ ପଡ଼ୁଛି। ଏଥିରୁ ମୁକ୍ତି ପାଇବା ଲାଗି କେନ୍ଦ୍ର ସରକାର ବ୍ୟାଟେରି ତିଆରିରେ ବ୍ୟବହୃତ ହେଉଥିବା ଲିଥିୟମ୍‌ର ଆମଦାନୀ ଶୁଳ୍କକୁ କମାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର