ନୂଆଦିଲ୍ଲୀ: ଲଣ୍ଡନ୍ ଭାଷଣରେ କେବଳ ଭାରତର ଗଣତନ୍ତ୍ର ଉପରେ ସନ୍ଦେହ ବ୍ୟକ୍ତ କରିଥିବା କଥା ଶନିବାର ଦିନ କଂଗ୍ରେସ ସାଂସଦ ରାହୁଲ୍ ଗାନ୍ଧୀ ‘ପାର୍ଲାମେଣ୍ଟାରି ପାନେଲ୍’ ବୈଠକରେ କହିଛନ୍ତି ବୋଲି ବିଶେଷସୂତ୍ରରୁ ଜଣାପଡ଼ିଛି।
ଭାରତର ‘ଜି-୨୦’ ଅଧ୍ୟକ୍ଷତା ସଂକ୍ରାନ୍ତ ଉକ୍ତ ପରାମର୍ଶଦାତା କମିଟି ବୈଠକରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ଅଧ୍ୟକ୍ଷତା କରିଥିଲେ। ସେଥିରେ ଅଂଶ ଗ୍ରହଣ କରିଥିବା ୱାୟନାଡ଼ ସାଂସଦ ରାହୁଲ୍ ଗାନ୍ଧୀ ଲଣ୍ଡନ ଗସ୍ତ ସମୟରେ ଦେଇଥିବା ମନ୍ତବ୍ୟଗୁଡ଼ିକର ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ, ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅନ୍ୟ କୌଣସି ଦେଶକୁ ହସ୍ତକ୍ଷେପ କରିବା ଲାଗି ସେ କହି ନାହାନ୍ତି।
ରାହୁଲ୍ କହିଛନ୍ତି ଯେ, ସେ କେବଳ ଭାରତର ଗଣତନ୍ତ୍ର ଉପରେ ସନ୍ଦେହ ବ୍ୟକ୍ତ କରି ଉପସ୍ଥିତ ନେତାମାନଙ୍କୁ କହିଥିଲେ କି, ତାଙ୍କର ମନେହୁଏ ଏହା ହେଉଛି ଭାରତର ଅଭ୍ୟନ୍ତରୀଣ ବ୍ୟାପାର ଏବଂ ଭାରତୀୟ ନେତାମାନେ ତାହାର ସମାଧାନ କରିବେ।
/sambad/media/post_attachments/wp-content/uploads/2023/03/ppm-1024x589.jpg)
ସେ ଆହୁରି ମଧ୍ୟ କହିଛନ୍ତି ଯେ, ‘ବିଜେପି’ ଯେମିତି ଭାବେ ତାଙ୍କ ବକ୍ତବ୍ୟ ଉପସ୍ଥାପନ କରି ତାଙ୍କୁ ‘ଦେଶଦ୍ରୋହୀ’ ବୋଲି କହୁଛି, ସେଭଳି ଢଙ୍ଗରେ ସେ କୌଣସି ମନ୍ତବ୍ୟ ନେଇନାହାନ୍ତି।
ସୂଚନାଯୋଗ୍ୟ, ଏହି ବୈଠକର ଉଦ୍ଘାଟନୀ ଅଧିବେଶନରେ ରାହୁଲ୍ ଗାନ୍ଧୀ କୌଣସି ବିବୃତି ଦେଇ ନ ଥିଲେ। କିନ୍ତୁ, ପରେ ବିଭିନ୍ନ ବିଷୟରେ ସେ ତାଙ୍କର ମତବ୍ୟକ୍ତ କରିବା ବେଳେ ‘ବିଜେପି’ ସାଂସଦମାନେ ବିଭ୍ରାଟ ସୃଷ୍ଟି କରିଥିଲେ। ସେମାନେ କହିଥିଲେ କି, ଏ ସଂକ୍ରାନ୍ତରେ କହିବା ପାଇଁ ଏ ବୈଠକ ଉପଯୁକ୍ତ ସ୍ଥାନ ନୁହେଁ।
ବୈଠକରେ ଅଧ୍ୟକ୍ଷତା କରୁଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କର ମଧ୍ୟ ରାହୁଲ୍ ଗାନ୍ଧୀଙ୍କୁ ବାଧା ଦେଇ କହିଲେ ଯେ, ସେ କେବଳ ଆଲୋଚ୍ୟ ବିଷୟ ଉପରେ କହିବା ଉଚିତ। ଏହାର ପ୍ରତ୍ୟୁତ୍ତରରେ ରାହୁଲ୍ କହିଲେ କି, କେତେକ ସାଂସଦ ବିଷୟ ବହିର୍ଗତ କଥା କହିଥିବାରୁ ସେ ସେମାନଙ୍କ କଥାର ଜବାବ ଦେବେ।
ଜୟଶଙ୍କର ପୁଣି ତାଙ୍କୁ ବାଧା ଦେଇ କହିଲେ, ବୈଠକର ବିଷୟବସ୍ତୁ ଉପରେ ଆଲୋଚନା ହେବା ଉଚିତ, ରାଜନୈତିକ ବିଷୟ ଉପରେ ନୁହେଁ। ଆପଣଙ୍କର ଯାହା କହିବା କଥା ତାହା ପାର୍ଲାମେଣ୍ଟ୍ରେ କହିପାରିବେ।