ଶ୍ରୀନଗର : ଭାରତର ପ୍ରଧାନ ବିଚାରପତି ଏନ୍‌ଭି ରମଣା ଶନିବାର ଦିନ ଶ୍ରୀନଗର ଗସ୍ତରେ ଆସି ନୂଆ ହାଇକୋର୍ଟ ଭବନର ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ପ୍ରଧାନ ବିଚାରପତି କହିଛନ୍ତି ଯେ ଲୋକଙ୍କ ଅଧିକାର ଓ ସମ୍ମାନର ସୁରକ୍ଷା ହେଲେ ହିଁ ଶାନ୍ତି କାଏମ ରହିପାରିବ। କେବଳ ଆଇନ ହିଁ ପରମ୍ପରା ନିର୍ମାଣ ପାଇଁ ପର୍ଯ୍ୟାପ୍ତ ନୁହେଁ। ଏଥିରେ ଆଦର୍ଶବାନ ଲୋକଙ୍କ ଦ୍ବାରା ଆଇନର ଢାଞ୍ଚାରେ ପ୍ରାଣ ଭରିଦେବା ଉଚିତ।

Advertisment

ଏହି ଅବସରରେ ଯୋଗ ଦେଇଥିବା ଜିଲ୍ଲା ବିଚାରପତିମାନଙ୍କୁ ପ୍ରଧାନ ବିଚାରପତି କହିଥିଲେ ଯେ ଆପଣମାନେ ହିଁ ପ୍ରଥମେ ମକଦ୍ଦମାକାରୀଙ୍କ ସହିତ ସିଧାସଳଖ ସଂପର୍କରେ ଆସିଥାନ୍ତି। ମକଦ୍ଦମାକାରୀମାନେ ଯେଭଳି ମାନସିକ ଚାପରେ ନ ରହିବେ ସେ ଦିଗରେ ବିଚାରପତିମାନେ ସଚେତନ ରହି କାର୍ଯ୍ୟ କରିବାକୁ ହେବ ବୋଲି ପ୍ରଧାନ ବିଚାରପତି କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ମଧ୍ୟ ଉପସ୍ଥିତ ଥିଲେ। ଶ୍ରୀନଗରରେ ନୂଆ ହାଇକୋର୍ଟ ଭବନ ନିର୍ମାଣରେ ୩୨୦ କୋଟି ଟଙ୍କା ଖର୍ଚ୍ଚ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।