ଲସ୍ ଏଞ୍ଜେଲେସ୍: ‘କ୍ରୁ’ ନିଯୁକ୍ତି କ୍ଷେତ୍ରରେ ନିର୍ଦ୍ଦିଷ୍ଟ ଶାରୀରିକ ବୈଶିଷ୍ଟ୍ୟ ଓ ବୟସ ବର୍ଗର ମହିଳାମାନଙ୍କୁ ନିଯୁକ୍ତି ଦେଉଥିବାରୁ ‘ପ୍ରଫେସ୍ନାଲ୍’ ଓ ‘କଲେଜ୍ ସ୍ପେର୍ଟସ୍ ଟିମ୍’କୁ ସେବା ଯୋଗାଉଥିବା ଆମେରିକାର ‘ୟୁନାଇଟେଡ୍ ଏୟାର୍ଲାଇନ୍ସ୍’ ନାମରେ ମାମଲା ରୁଜୁ କରାଯାଇଥିବା କଥା ‘ଲସ୍ ଏଞ୍ଜେଲେସ୍ ଟାଇମ୍ସ୍’ ରିପୋର୍ଟ କରିଛି।
‘ଲସ୍ ଏଞ୍ଜେଲେସ୍ ଟାଇମସ୍’ ରିପୋର୍ଟ ଅନୁସାରେ, ‘ୟୁନାଇଟେଡ୍ ଏୟାର୍ଲାଇନ୍ସ୍’ର ୨ଜଣ ‘କ୍ରୁ’ ଦାଏର କରିଥିବା ମାମଲାରେ ଉଲ୍ଲେଖ କରିଛନ୍ତି ଯେ, ‘ଲସ୍ ଏଞ୍ଜେଲେସ୍ ଡଜର୍ସ୍ ବେସ୍ ବଲ୍ ଟିମ୍’ର ଖେଳାଳିମାନେ ନିର୍ଦ୍ଦିଷ୍ଟ ସୌନ୍ଦର୍ଯ୍ୟ ଥିବା ଗୋରୀ (ଶ୍ବେତାଙ୍ଗୀ), ସ୍ବଳ୍ପବୟସୀ, ତନୁପାତେଳୀ ହେବା ସହିତ ସାମାନ୍ୟ ହଳିଦିଆ ରଙ୍ଗର କେଶଥିବା ନୀଳନୟନା ପରିଚାରିକା ପସନ୍ଦ କରୁଥିବାରୁ ସେମାନଙ୍କୁ ‘ଚାର୍ଟର୍ ବିମାନ’ରେ କାମ ଦିଆଗଲା ନାହିଁ।
ମାମଲା ରୁଜୁ କରିଥିବା ୫୦ ବର୍ଷୀୟ ଡନ୍ ଟଡ୍ ଓ ୪୪ ବର୍ଷିୟ ଦାର୍ବି କ୍ବେଜାଡା ଗୁରୁତ୍ବାରୋପ କରି କହିଛନ୍ତି ଯେ, ସ୍ବଳ୍ପବୟସୀ ଓ ତନୁପାତେଳୀ ମହିଳା ‘କ୍ରୁ’ଙ୍କୁ ଅଗ୍ରାଧିକାର ଦିଆଗଲା ଏବଂ ସେମାନଙ୍କୁ (ମାମଲା ରୁଜୁକାରିଣୀ) ଅସମ୍ମାନଜନକଭାବେ ବିମାନ ସେବାରୁ ବାଦ ଦିଆଗଲା।
‘ଲସ୍ ଏଞ୍ଜେଲ୍ସ୍ ଟାଇମ୍ସ୍’ ରିପୋର୍ଟ ଅନୁସାରେ, ଅକ୍ଟୋବର ୨୫ ତାରିଖ ଦିନ ‘ଲସ୍ ଏଞ୍ଜେଲେସ୍ କାଉଣ୍ଟି ସୁପରିୟର୍ କୋର୍ଟ’ରେ ଦୁହେଁ ଏହି ମାମଲା ରୁଜୁ କରିଛନ୍ତି।
ମାମଲାରୁ ସଂଗୃହୀତ ତଥ୍ୟରୁ ଜଣାପଡ଼ିଛି ଯେ, ଟଡ୍ ଓ କ୍ବେଜାଡ଼ା ୧୫ ବର୍ଷରୁ ଅଧିକ ସମୟ ହେବ ‘ୟୁନାଇଟେଡ୍ ଏୟାର୍ଲାଇନ୍ସ୍’ରେ କାର୍ଯ୍ୟ କଲେଣି। ‘ଡଜର୍ସ୍ ଫ୍ଲାଇଟ୍’ରେ (ଖେଳାଳି ଟିମ୍ ନେଉଥିବା ବିମାନ) କାମ କରିବାକୁ ପ୍ରାୟ ୧୦ ବର୍ଷ ହେବ ଉଦ୍ୟମ କରି ସେମାନେ ବିଫଳ ହୋଇଛନ୍ତି। ଏଥିରେ କାମ କରୁଥିବା ‘କ୍ରୁ’ମାନଙ୍କୁ ଅଧିକ ପାରିଶ୍ରମିକ ମିଳେ। କାରଣ ଏହି ବିମାନର ଯାତ୍ରା ସମୟ ଖୁବ୍ ଦୀର୍ଘ ଓ ଅନ୍ୟାନ୍ୟ ଖର୍ଚ୍ଚ ମିଳୁଥିବାରୁ ସାଧାରଣ ବିମାନରେ ମିଳୁଥିବା ପାରିଶ୍ରମିକଠାରୁ ତାହାର ପାରିଶ୍ରମିକ ଅଧିକ ହୋଇଥାଏ।