ନୂଆଦିଲ୍ଲୀ: ସ୍ତ୍ରୀଧନ ସଂକ୍ରାନ୍ତ ଏକ ମାମଲାର ଶୁଣାଣି ବେଳେ ସୁପ୍ରିମକୋର୍ଟ ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ସ୍ତ୍ରୀଧନ ମହିଳାଙ୍କ ସ୍ୱତନ୍ତ୍ର ସମ୍ପତ୍ତି ଏବଂ ମହିଳାଙ୍କ ସମ୍ମତି ବିନା ତାଙ୍କ ବାପା  ମଧ୍ୟ ତାଙ୍କ ଶ୍ୱଶୁରଙ୍କଠାରୁ ସ୍ତ୍ରୀଧନ ଫେରସ୍ତ ଦାବି କରିପାରିବେ ନାହିଁ । ସୁପ୍ରିମ୍‌କୋର୍ଟରେ ଜଷ୍ଟିସ୍ ଜେକେ ମାହେଶ୍ୱରୀ ଏବଂ ଜଷ୍ଟିସ୍ ସଞ୍ଜୟ କରୋଲଙ୍କୁ ନେଇ ଗଠିତ ଖଣ୍ଡପୀଠ ଛାଡ଼ପତ୍ରପ୍ରାପ୍ତ ମହିଳାଙ୍କ ପିତାଙ୍କ ଦ୍ୱାରା ଦାଏର ହୋଇଥିବା ଏଫ୍‌ଆଇଆରକୁ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିରେ ଝିଅର ଛାଡ଼ପତ୍ର ପରେ ଶ୍ୱଶୁରଘର ଲୋକଙ୍କଠାରୁ ସ୍ତ୍ରୀଧନ (ବିବାହ ସମୟରେ ଦିଆଯାଇଥିବା ଉପହାର ଓ ଗହଣା) ଫେରାଇ ଦେବାକୁ ବାପା ଦାବି କରିଥିଲେ। କୋର୍ଟ ଏହି ମାମଲାରେ କହିଛନ୍ତି ଯେ ସ୍ତ୍ରୀଧନର ଏକମାତ୍ର ମାଲିକ ହେବା ପାଇଁ ମହିଳାଙ୍କ (ପତ୍ନୀ କିମ୍ବା ପୂର୍ବତନ ପତ୍ନୀ)  ଏକମାତ୍ର ଅଧିକାର ସମ୍ପର୍କରେ ଅଦାଲତଙ୍କ ପୂର୍ବ ଆଦେଶ ସ୍ପଷ୍ଟ ରହିଛି। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ, ସ୍ତ୍ରୀଧନ ଉପରେ ସ୍ୱାମୀଙ୍କର କୌଣସି ଅଧିକାର ନାହିଁ ଏବଂ  ଯେ ପର୍ଯ୍ୟନ୍ତ ଝିଅ ଜୀବିତ ଅଛି କିମ୍ବା ନିଜେ ନିଷ୍ପତ୍ତି ନେବାରେ ସକ୍ଷମ, ସେ ପର୍ଯ୍ୟନ୍ତ ତାଙ୍କ ବାପାଙ୍କର ମଧ୍ୟ ସ୍ତ୍ରୀଧନ ଫେରାଇବା ଦାବି କରିବାର ଅଧିକାର ନାହିଁ।

Advertisment

ସୂଚନାଯୋଗ୍ୟ, ୧୯୯୯ ମସିହାରେ ବିବାହ ସମୟରେ ଦିଆଯାଇଥିବା ସ୍ତ୍ରୀଧନକୁ ଶାଶୂଘର ଲୋକେ  ଫେରାଉନଥିବା ନେଇ ମହିଳାଙ୍କ ବାପାଙ୍କ ପକ୍ଷରୁ ଅଭିଯୋଗ କରାଯାଇଥିଲା। ମହିଳା ଜଣକ ୨୦୧୬ରେ ତାଙ୍କ ସ୍ୱାମୀଙ୍କୁ ଛାଡ଼ପତ୍ର ଦେଇଥିଲେ ଏବଂ ୨୦୧୮ରେ ବ୍ରିଟେନରେ ପୁଣି ଥରେ ବିବାହ କରିଥିଲେ। ଅଦାଲତ କହିଛନ୍ତି ଯେ ମହିଳାଙ୍କ ଛାଡ଼ପତ୍ରର ପାଞ୍ଚ ବର୍ଷରୁ ଅଧିକ ସମୟ ପରେ ଏବଂ ପୁନଃବିବାହର ତିନି ବର୍ଷ ପରେ ରୁଜୁ ହୋଇଥିବା  ଏହି ଏଫ୍‌ଆଇଆରରେ  କୌଣସି ଦମ୍‌ ନାହିଁ। ୨୨ ଡିସେମ୍ବର ୨୦୨୨ରେ ମହିଳାଙ୍କ ଶ୍ୱଶୁର ଘର ପକ୍ଷରୁ ତେଲେଙ୍ଗାନା ହାଇକୋର୍ଟରେ ଏତଲାକୁ ରଦ୍ଦ କରିବା ପାଇଁ ଏକ ପିଟିସନ୍ ଦାଖଲ କରାଯାଇଥିଲା। କିନ୍ତୁ କୋର୍ଟ ଏହାକୁ ବାତିଲ କରିବାକୁ ମନା କରିଦେଇଥିଲେ। ଏହାପରେ ଅଦାଲତ ଏହି ଅଭିଯୋଗକୁ ପ୍ରାଥମିକ ଦୃଷ୍ଟିରୁ ବିଚାରଯୋଗ୍ୟ ବୋଲି କହିଥିଲେ।  ଏହି ନିଷ୍ପତ୍ତିକୁ ମହିଳାଙ୍କ ଶାଶୂଘର ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।