ହିଂସାରେ ସଂପୃକ୍ତ ରାଜନୈତିକ ଦଳର ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ଦିଆଯାଉ : କେଜ୍ରିଓ୍ଵାଲ

ନୂଆଦିଲ୍ଲୀ : ଦିଲ୍ଲୀ ହିଂସାରେ ସଂପୃକ୍ତ ବ୍ୟକ୍ତିମାନଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ । ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, ଦଙ୍ଗା ଓ ହିଂସାକୁ ନେଇ ଚାଲିଥିବା ରାଜନୀତି ବନ୍ଦ ହେଉ । ହିଂସାକାଣ୍ଡରେ ସଂପୃକ୍ତ ବ୍ୟକ୍ତି ଆମ ଆଦମୀ ପାର୍ଟିର ହୁଅନ୍ତୁ ଅଥବା ବିଜେପି, କଂଗ୍ରେସ, କାହାରିକୁ ଛଡ଼ାଯିବା ଉଚିତ ନୁହେଁ । ଏପରିକି ସେ ଯଦି ଆମ ଆଦମୀ ପାର୍ଟିରୁ ହୋଇଥିବେ ତେବେ ତାଙ୍କୁ ଅଧିକ ଦଣ୍ଡ ଦିଆଯାଉ ।
ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ହୋଇଥିବା ହିଂସା ଓ ଗୁଇନ୍ଦା ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ମାମଲାରେ ଆପ କର୍ପୋରେଟର ତାହିର ହୁସେନଙ୍କ ସଂପୃକ୍ତି ନେଇ ପ୍ରମାଣ ମିଳିବା ପରେ ତାଙ୍କୁ ଗିରଫ କରିବାକୁ ସବୁଆଡୁ ଦାବି ଉଠିଛି । ଏପରିପ୍ରେକ୍ଷୀରେ କେଜ୍ରିଓ୍ଵାଲଙ୍କ ବକ୍ତବ୍ୟର ଗୁରୁତ୍ୱ ବଢିଯାଇଛି ।
ଅନ୍ୟପକ୍ଷରେ ଦିଲ୍ଲୀର ଦଙ୍ଗା ପ୍ରପୀଡ଼ିତ ଅଞ୍ଚଳର ଲୋକମାନଙ୍କ ପାଇଁ ସହାୟତା ଘୋଷଣା କରିଛନ୍ତି  କେଜ୍ରିଓ୍ଵାଲ ସରକାର । ମୃତବ୍ୟକ୍ତିଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା । ନାବାଳକ ମୃତ୍ୟୁବରଣ କରିଥିଲେ ୫ ଲକ୍ଷ ଟଙ୍କା ମିଳିବ । ଗୁରୁତର ଭାବେ ଆହତ ବ୍ୟକ୍ତିମାନଙ୍କୁ ମଧ୍ୟ ୫ ଲକ୍ଷ ଟଙ୍କା ସହାୟତା ରାଶି ମିଳିବ । ହିଂସା ଯୋଗୁଁ ଆହତ ହୋଇ ବିଭିନ୍ନ ହସପିଟାଲରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନଙ୍କ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବେ । ଏହା ସହିତ ପ୍ରଭାବିତ ଅଞ୍ଚଳରେ ମାଗଣା ଖାଦ୍ୟ ଯୋଗାଣ ଆରମ୍ଭ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଦଙ୍ଗାରେ ଯେଉଁ ଲୋକମାନଙ୍କ ବିଭିନ୍ନ ଜରୁରୀ କାଗଜପତ୍ର ପୋଡ଼ିଯାଇଛି ସେମାନଙ୍କୁ ନୂଆ କାଗଜପତ୍ର ଯୋଗାଇବା ଲାଗି ସ୍ୱତନ୍ତ୍ର କ୍ୟାମ୍ପ ଆୟୋଜନ କରାଯିବ ।

ସମ୍ବନ୍ଧିତ ଖବର