ଆଇଏସ୍‌ଆଇ ମୁଖା ଖୋଲିଲେ ପାକ୍‌ ବିଚାରପତି

ନ୍ୟାୟପାଳିକା, ଗଣମାଧ୍ୟମକୁ ନିୟନ୍ତ୍ରଣ କରୁଛି

ଲାହୋର: ପାକିସ୍ତାନର ଗୋଇନ୍ଦା ଏଜେନ୍ସି ଆଇଏସ୍‌ଆଇ ଉପରେ ଆଜି ଇସ୍‌ଲାମାବାଦ ହାଇକୋର୍ଟର ବରିଷ୍ଠ ବିଚାରପତି ବର୍ଷିଛନ୍ତି। ଇଣ୍ଟର ସର୍ଭିସେସ୍‌ ଇଣ୍ଟେଲିଜେନ୍ସ (ଆଇଏସ୍‌ଆଇ) ଦେଶର ନ୍ୟାୟପାଳିକା ଓ ଗଣମାଧ୍ୟମକୁ ନିୟନ୍ତ୍ରଣ କରିବା ପାଇଁ ଚେଷ୍ଟା କରୁଛି। ଫଳରେ ଦେଶରେ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଛି। ବିଭିନ୍ନ ମାମଲାରେ ରାୟ ଘୋଷଣା ସକାଶେ ସେମାନେ ମୁଖ୍ୟ ବିଚାରପତି ଓ ଅନ୍ୟ ବିଚାରପତିମାନଙ୍କ ଉପରେ ଚାପ ପକାଇ ଆସୁଛନ୍ତି। ଏମିତି କି ପାକିସ୍ତାନର ସାଧାରଣ ନିର୍ବାଚନ ପର୍ଯ୍ୟନ୍ତ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍‌ ଓ ତାଙ୍କ ଝିଅ ମରିୟମ୍‌ ଜେଲ୍‌ରେ ରୁହନ୍ତୁ ବୋଲି ମଧ୍ୟ ଆଇଏସ୍‌ଆଇ ଚାହୁଥିବା ବିଚାରପତି ସୌକତ ସିଦ୍ଦିକି କହିଛନ୍ତି। ସେ ଏ ସଂକ୍ରାନ୍ତରେ ରାଓ୍ଵଲପିଣ୍ଡି ବାର୍‌ ଆସୋସିଏସନ୍‌କୁ ଜଣାଇ ନିଜ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ସମ୍ପ୍ରତି ପାକିସ୍ତାନର ନ୍ୟାୟପାଳିକା ଓ ଗଣମାଧ୍ୟମ ‘ବନ୍ଧୁକଧାରୀ’ (ପାକ୍‌ ସେନା)ଙ୍କ ନିୟନ୍ତ୍ରଣରେ ରହି ଅଣନିଃଶ୍ୱାସୀ ହେଉଛନ୍ତି। ସମ୍ବିଧାନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ନ୍ୟାୟପାଳିକା ଏବେ ଆଉ ସ୍ୱାଧୀନ ହୋଇ ରହିନାହିଁ। ଏମିତି କି ଗଣମାଧ୍ୟମକୁ ମଧ୍ୟ ସେନା ପକ୍ଷରୁ ବିଭିନ୍ନ ନିର୍ଦ୍ଦେଶାବଳି ବଢ଼ିବାରେ ଲାଗିଛି। ଫଳରେ ଗଣମାଧ୍ୟମ ସତ୍ୟ ଘଟଣାରୁ ପରଦା ଖୋଲିବା ନେଇ ପ୍ରବଳ ଚାପର ସମ୍ମୁଖୀନ ହେଉଛି। ଏହା କେବଳ ସେନାର ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଛି। ସିଦ୍ଦିକି ଆହୁରି ଦର୍ଶାଇଛନ୍ତି ଯେ ଆଇଏସ୍‌ଆଇର ନଜର ଏବେ ଜେଲରେ ବନ୍ଦୀ ଥିବା ସରିଫ ଓ ଝିଅ ମରିୟମ୍‌ଙ୍କ ଉପରେ ପଡ଼ିଛି। ଜୁଲାଇ ୨୫ ନିର୍ବାଚନ ପୂର୍ବରୁ ଯେମିତି ବାପଝିଅ ଜେଲ୍‌ରୁ ବାହାରି ନ ପାରନ୍ତି, ତାହା ସୁନିଶ୍ଚିତ କରାଇବାକୁ ମୁଖ୍ୟ ବିଚାରପତିଙ୍କୁ ଏହା ତାଗିଦ୍‌ କରି କହିଛି। ଏମିତି କି ବାପଝିଅଙ୍କ ଆଭେନ୍‌ଫିଲ୍ଡ ଦୁର୍ନୀତି ମାମଲାରେ ହେଉଥିବା ଶୁଣାଣିରେ ମୋତେ ସାମିଲ ନ କରାଇବା ଲାଗି ଆଇଏସ୍‌ଆଇ ଚାପ ପକାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର