ଥିରୁବନନ୍ତପୁରମ୍ : ସବରିମାଳା ମନ୍ଦିର ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି। ଆଜି ମନ୍ଦିର ୨ ମାସ ପୂଜାକର୍ମ ପାଇଁ ଖୋଲିଥିବା ବେଳେ ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ ହୋଇଛି। କୋଚି ବିମାନ ବନ୍ଦରରେ ଆଜି ସାମାଜିକ କର୍ମୀ ତୃପ୍ତି ଦେଶାଇ ପହଞ୍ଚିବା ପରେ ତାଙ୍କୁ ସେଠାରେ ଅଟକ ରଖାଯାଇଥିଲା। ସେ ସବରିମାଳାରେ ପ୍ରବେଶ କରିବେ ବୋଲି ପୂର୍ବରୁ ଘୋଷଣା କରିଥିବାରୁ ଏହାକୁ ବିରୋଧ କରି ହଜାର ହଜାର ଲୋକ ବିମାନ ବନ୍ଦର ବାହାରେ ରୁଣ୍ଡ ହୋଇଥିଲେ। ଭୋର ୪.୩୦ ସମୟରେ କୋଚି ବିମାନବନ୍ଦରରେ ତୃପ୍ତି ଏବଂ ତାଙ୍କର ୬ଜଣ ସହକର୍ମୀ ପହଞ୍ଚିଥିଲେ। ତେବେ ବିମାନ ବନ୍ଦର ବାହାରକୁ ଆସିବା ପାଇଁ ସେ ସକ୍ଷମ ହୋଇନଥିଲେ। ବିମାନ ବନ୍ଦରରେ ଅଟକ ଥିବା ତୃପ୍ତିଙ୍କୁ ପୁନେ ଫେରିଯିବା ପାଇଁ କେରଳ ପୁଲିସ ପରାମର୍ଶ ଦେବାପରେ ସେ ଫେରି ଆସିଥିବା ଜଣାପଡ଼ିଛି। ତୃପ୍ତି ଏବଂ ତାଙ୍କ ସହକର୍ମୀମାନେ ଆଜି ସବରିମାଳା ଯିବାପାଇଁ ୩-୪ ଟି ଟାକ୍ସି ବୁକ୍ କରିବାପାଇଁ ଚେଷ୍ଟା କରିଥିଲେ ମଧ୍ୟ କେହି ସେମାନଙ୍କୁ ସବରିମାଳା ନେବାପାଇଁ ରାଜି ହୋଇନାହାନ୍ତି। ସେହିପରି କିଛି ଆନ୍ଦୋଳନକାରୀ ବିଭିନ୍ନ ହୋଟେଲ୍କୁ ଯାଇ ତୃପ୍ତି ଏବଂ ଅନ୍ୟମାନଙ୍କୁ ଆଶ୍ରୟ ନଦେବାପାଇଁ ମଧ୍ୟ ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ତୃପ୍ତି କହିଛନ୍ତି ଯେ ତାଙ୍କୁ ରାଷ୍ଟ୍ର ଦେଇଥିବା ଅଧିକାରର ଉଲ୍ଲଂଘନ ହୋଇଛି ଏବଂ ସେ ଏହା ବିରୋଧରେ ଲଢ଼େଇ ଜାରି ରଖିବେ। ସବରିମାଳା ମନ୍ଦିର ଆଜି ଅପରାହ୍ନ ୫ଟାରେ ପୂଜା କର୍ମ ପାଇଁ ଖୋଲିବା ବେଳେ ଭକ୍ତଙ୍କ ପ୍ରବଳ ସମାଗମ ହୋଇଥିଲା।