ଶ୍ରୀନଗର: ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ପରେ ଜମ୍ମୁ କାଶ୍ମୀରରେ ଆତଙ୍କୀ ନିରୋଧ ଅପରେସନ୍‌ ଜୋରଦାର ହୋଇଛି। ଗତ ଗୋଟିଏ ସପ୍ତାହ ମଧ୍ୟରେ ସୁରକ୍ଷାବାହିନୀର  ‘ଅପରେସନ୍‌ ମହାଦେବ’   ଏବଂ ‘ଅପରେସନ୍‌ ଶିବଶକ୍ତି’ରେ ୫ ଆତଙ୍କବାଦୀ ନିପାତ ହେବାପରେ ଶୁକ୍ରବାର ପୁଣିଥରେ ଅପରେସନ୍‌ ଅଖଲ୍‌ ଆରମ୍ଭ ହୋଇଥିଲା। ଅପରେସନ୍‌ ଅଖଲ୍‌ରେ ମଧ୍ୟ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି।  ଜମ୍ମୁ କାଶ୍ମୀର କୁଲଗାମ ଜିଲ୍ଲାର ଅଖଲ୍‌ ଜଙ୍ଗଲ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଆତଙ୍କବାଦୀମାନେ ଏଲ୍‌ଇଟି (ଲସ୍କର ଏ ତଏବା)ର ଶାଖା ଟିଆରଏଫ୍‌ (ଦି ରେଜିଷ୍ଟାନ୍ସ ଫ୍ରଣ୍ଟ୍‌) ସହ ଜଡ଼ିତ ଏବଂ ସେମାନଙ୍କର ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସମ୍ପୃକ୍ତି ଥିବା ଜଣାପଡ଼ିଛି।

Advertisment

ଅଖଲ ଜଙ୍ଗଲ ଅଞ୍ଚଳରେ ଆତଙ୍କବାଦୀଙ୍କ ଗତିବିଧି ସଂକ୍ରାନ୍ତରେ ସୂଚନା ପାଇବାପରେ ସେନା, ସିଆରପିଏଫ୍‌,  ଜମ୍ମୁ କାଶ୍ମୀର ପୁଲିସ ସର୍ଚ୍ଚ ଅପରେସନ୍‌ ଆରମ୍ଭ କରିଥିଲେ।  ଅପରେସନ୍‌ ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇବାରୁ ଏହା ଏନ୍‌କାଉଣ୍ଟରରେ ପରିଣତ ହୋଇଥିଲା।  ଅଧିକାରୀମାନେ କହିଛନ୍ତି, ଆତଙ୍କବାଦୀମାନେ ଶ୍ରୀନଗର ନିକଟସ୍ଥ ଦଚିଗାମ୍‌ ଜାତୀୟ ଉଦ୍ୟାନରେ ଲୁଚିଥିଲେ ବୋଲି ବିଶ୍ବାସ କରାଯାଉଛି।  ଉଲ୍ଳେଖଯୋଗ୍ୟ, ଅପରେସନ୍‌ ମହାଦେବ ଏବଂ ଶିବଶକ୍ତିର କିଛି ଦିନ ପରେ ଏହି ଏନ୍‌କାଉଣ୍ଟର ହୋଇଛି।  ଅପରେସନ୍‌ ମହାଦେବରେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ସୁଲେମାନ ଶାହ ଓରଫ ମୁସା ସମେତ ୩ ଆତଙ୍କବାଦୀ ନିପାତ ହୋଇଥିଲେ। ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ମଧ୍ୟ ଜବତ ହୋଇଥିଲା।