କୁଲଗାମ୍: ଜମ୍ମୁ ଓ କଶ୍ମୀରର କୁଲଗାମରେ ଲସ୍କର ଆତଙ୍କବାଦୀଙ୍କ ବିରୋଧରେ ଆରମ୍ଭ ହୋଇଥିବା ଅଭିଯାନ ୯ମ ଦିନରେ ପହଞ୍ଚିଛି। ଏମଧ୍ୟରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଗତକାଲି ରାତିରେ ସେନା ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଭୟଙ୍କର ମୁକାବିଲା ହୋଇଥିଲା। ଏଥିରେ ୨ଜଣ ଯବାନ ସହିଦ ହୋଇଥିବା ସାମ୍ନାକୁ ଆସିଛି। ଏହା ସହ ୪ଜଣ ଆହତ ହୋଇଛନ୍ତି।
୯ଦିନ ଧରି ଚାଲିଥିବା ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ଜଣେ ଆତଙ୍କବାଦୀର ମୃତଦେହ ଉଦ୍ଧାର କରାଯାଇଛି, ଦୁଇ ଜଣ ଯବାନ ସହିଦ ହୋଇଛନ୍ତି ଏବଂ ୧୦ଜଣ ଯବାନ ଆହତ ହୋଇଛନ୍ତି। ସୂତ୍ର ଅନୁଯାୟୀ, ଘନ ଜଙ୍ଗଲ ଏବଂ ପ୍ରାକୃତିକ ଗୁମ୍ଫା ଭଳି ଆଡ୍ଡାର ସୁଯୋଗ ନେଇ ଅତି କମରେ ତିନି କିମ୍ବା ତା'ଠାରୁ ଅଧିକ ଆତଙ୍କବାଦୀ ଏବେ ବି ଲୁଚି ରହିଛନ୍ତି। ଏହି ଅପରେସନ୍ ଗତ କିଛି ଦଶନ୍ଧି ମଧ୍ୟରେ ସବୁଠାରୁ ଦୀର୍ଘକାଳୀନ ଆତଙ୍କୀ ବିରୋଧୀ ଅପରେସନ୍ ପାଲଟିଛି।
ଜମ୍ମୁ ଏବଂ କାଶ୍ମୀରର କୁଲଗାମରେ ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଭାରତୀୟ ସୁରକ୍ଷା ବାହିନୀ ଅଗଷ୍ଟ ୧ ତାରିଖରେ 'ଅପରେସନ୍ ଅଖଲ' ଆରମ୍ଭ କରିଥିଲେ। ଏହି ଅଞ୍ଚଳରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ପାଇବା ପରେ ଏହି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଥିଲା। ଏଠାରେ ୨ ରୁ ୩ ଜଣ ଆତଙ୍କବାଦୀ ଲୁଚି ରହିଥାଇପାରନ୍ତି ବୋଲି ବିଶ୍ୱାସ କରାଯାଉଛି।
ଭାରତୀୟ ସେନାର ଚିନାର କର୍ପସ ଅନୁଯାୟୀ, ଦକ୍ଷିଣ କଶ୍ମୀରର ଜଙ୍ଗଲିଆ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ସୂଚନା ପାଇ ସେନା, ଜମ୍ମୁ-କଶ୍ମୀର ପୁଲିସ ଏବଂ ସିଆରପିଏଫର ଏକ ମିଳିତ ଦଳ ଘେରାବନ୍ଦୀ ଏବଂ ସନ୍ଧାନ ଅଭିଯାନ ଆରମ୍ଭ କରିଥିଲେ।