ଅପରେସନ୍‌ ଅଲ୍‌ଆଉଟ୍‌: କୁଲଗାମ୍‌ରେ ୫ ଆତଙ୍କବାଦୀ ନିହତ

୭୨ ଘଣ୍ଟାରେ ୧୫ ନିପାତ

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୁରକ୍ଷାବାହିନୀକୁ ଆଉ ଏକ ବଡ଼ ଧରଣର ସଫଳତା ମିଳିଛି। ସୁରକ୍ଷାବାହିନୀର ‘ଅପରେସନ୍‌ ଅଲ୍‌ ଆଉଟ୍‌’ କାର୍ଯ୍ୟାନୁଷ୍ଠାନରେ ଆଜି ୫ ଆତଙ୍କାବାଦୀ ନିହତ ହୋଇଛନ୍ତି। ଗତ ୭୨ ଘଣ୍ଟା ମଧ୍ୟରେ ମୋଟ ୧୫ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି। ‘ଅପରେସନ୍‌ ଅଲ୍‌ ଆଉଟ୍‌’ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଆଜି ଜମ୍ମୁ କଶ୍ମୀର କୁଲଗାମ୍‌ ଜିଲ୍ଲାସ୍ଥିତ ଚୌଗାମ୍‌ରେ ଚଢ଼ଉ ହୋଇଥିଲା। ଫଳରେ ୫ ଆତଙ୍କୀ ନିହତ ହୋଇଥିଲେ। ନିହତ ଆତଙ୍କବାଦୀମାନେ ଲସ୍କର ଏ ତୋଏବା ଏବଂ ହିଜବୁଲ୍‌ ମୁଜାହିଦ୍ଦିନ୍‌ ଆତଙ୍କବାଦୀ ଗୋଷ୍ଠୀ ସହ ଜଡ଼ିତ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷରେ କିଛି ବିଶୃଙ୍ଖଳ ଜନତା ସେନା କାର୍ଯ୍ୟାନୁଷ୍ଠାନରେ ବାଧା ସୃଷ୍ଟି ପାଇଁ ଚେଷ୍ଟା କରିବା ଯୋଗୁ ସେନା ପକ୍ଷରୁ ପେଲେଟ୍‌ ଏବଂ ଗୁଳି ଚାଳନା କରାଯାଇଥିଲା। ଫଳରେ ପାଖାପାଖି ୨୨ ଜଣ ସଂଘର୍ଷକାରୀ ଏଥିଯୋଗୁଁ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଗୁରୁତର ଆହତ ହୋଇଥିବା ଜଣେ ୨୪ ବର୍ଷୀୟ ଯୁବକଙ୍କର ମୃତ୍ୟୁ ହୋଇଯାଇଛି।

ସୂଚନାନୁଯାୟୀ, କୁଲଗାମ୍‌ର ଚୌଗାମ୍‌ ଗ୍ରାମରେ କିଛି ଆତଙ୍କବାଦୀ ଲୁଚିଥିବା ଜାଣିପାରି ସେନା ଏବଂ ଏସ୍‌ଓଜିର ଏକ ମିଳିିତ ଦଳ ସମ୍ପୃକ୍ତ ଅଞ୍ଚଳ ଘେରାବନ୍ଦୀ କରି ସର୍ଚ୍ଚ ଅପରେସନ୍‌ କରିଥିଲେ। ଏହି ସମୟରେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳିଚାଳନା କରିବା ଦ୍ୱାରା ସୁରକ୍ଷାକର୍ମୀ ମଧ୍ୟ ପାଲଟା ଜବାବ ଦେଇଥିଲେ। ଫଳରେ ୫ ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏହି ଆତଙ୍କବାଦୀମାନେ ହେଲେ ଗୁଲଜର ଅହମ୍ମଦ ପଦ୍ଦର ଓରଫ ସୈଫ, ଫୈଜଲ ଅହମ୍ମଦ ରାଠୋର ଓରଫ ଦାଉଦ୍‌, ଜାହିଦ ଅହମ୍ମଦ ମିର ଓରଫ୍‌ ହାସିମ୍‌, ମସରୁର୍‌ ମଲ୍‌ଭି ଓରଫ୍‌ ଅବୁ ଦାର୍‌ଦା, ଜହୁର ଅହମ୍ମଦ ଲୋନ୍‌ ଓରଫ ରେହମାନ୍‌ ଭାଇ। ଏମାନେ ସମସ୍ତେ ସ୍ଥାନୀୟ ବାସିନ୍ଦା।

ସମ୍ବନ୍ଧିତ ଖବର