କଶ୍ମୀରରେ ଜାରି ରହିବ ‘ଅପରେସନ୍‌ ଅଲ୍‌ ଆଉଟ୍‌’

ବିପଥଗାମୀ ଯୁବକଙ୍କୁ ପ୍ରତିରକ୍ଷା ମନ୍ତ୍ରୀଙ୍କ ଚରମବାଣୀ

ଶ୍ରୀନଗର: କଶ୍ମୀରରେ ସୁରକ୍ଷା ବାହିନୀ ଚଳାଇଥିବା ଆତଙ୍କବାଦୀ ନିପାତ ଅଭିଯାନକୁ ଆଶାତୀତ ସଫଳତା ମିଳିଛି ଏବଂ ୧୭୦ରୁ ଅଧିକ ଦୁର୍ଦ୍ଦାନ୍ତ ଆତଙ୍କବାଦୀ ନିପାତ ହୋଇଥିବାରୁ ‘ଅପରେସନ୍‌ ଅଲ୍‌ ଆଉଟ୍‌’ ଜାରି ରହିବ ବୋଲି ମିଳିତ ସୁରକ୍ଷା ବାହିନୀ ନିଷ୍ପତ୍ତି ନେଇଛି। ଏହା ସହିତ ଘାଟିରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରୁଥିବା ଯୁବକ ଏବଂ ବିପଥଗାମୀ ହୋଇ ରାଷ୍ଟ୍ର ବିରୋଧରେ ବନ୍ଧୁକ ଉଠାଉଥିବା ଯୁବକଙ୍କୁ ମଧ୍ୟ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଚରମବାଣୀ ଶୁଣାଇଛନ୍ତି। ବିକାଶର ମୁଖ୍ୟସ୍ରୋତକୁ ଏହି ଯୁବକମାନେ ନ ଫେରିଲେ ଏହାର ପରିଣାମ କ’ଣ ସେମାନେ ଜାଣନ୍ତି ବୋଲି ସୀତାରମଣ ଚେତାଇ ଦେଇଛନ୍ତି।

ଅନ୍ୟପକ୍ଷରେ ସିଆର୍‌ପିଏଫ୍‌ ଆଇଜି ରବିଦୀପ ସିଂହ କହିଛନ୍ତିଯେ ଘାଟିରୁ ଆତଙ୍କବାଦୀଙ୍କୁ ମୂଳପୋଛ କରିବା ପର୍ଯ୍ୟନ୍ତ ଅପରେସନ ଅଲ୍‌ଆଉଟ୍‌ ଚାଲିବ ଏବଂ ଏ ନେଇ କୌଣସି ସାଲିସ କରାଯିବ ନାହିଁ। ଆତଙ୍କବାଦୀମାନେ ଏବେ ହତାଶ ହୋଇ ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି, କିନ୍ତୁ ଆତଙ୍କବାଦୀମାନେ ଏଭଳି କରି ଅଧିକ ଦିନ ତିଷ୍ଠି ପାରିବେ ନାହିଁ ବୋଲି ଆଇଜି କହିଛନ୍ତି। ବିଭିନ୍ନ ଅଂଚଳରେ ଆତଙ୍କବାଦୀଙ୍କୁ ଜୀବିତ କିମ୍ବା ମୃତ ଧରିବା ପାଇଁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚାଲୁ ରହିଛି ଏବଂ ଅପରେସନ ଅଲ୍‌ ଆଉଟ ଆଗାମୀ ୬ ମାସ ମଧ୍ୟରେ କଶ୍ମୀର ସ୍ଥିତିକୁ ବଦଳାଇ ଦେବ ବୋଲି ସେ କହିଛନ୍ତି। ଦକ୍ଷିଣ କଶ୍ମୀରରେ ସକ୍ରିୟ ଥିବା ଆତଙ୍କବାଦୀଙ୍କୁ ନିପାତ କରିବା ପାଇଁ ସୁରକ୍ଷା ବାହିନୀର ରଣନୀତି ସଫଳ ହେଉଛି ବୋଲି ସେ କହିଛନ୍ତି। ଚଳିତ ବର୍ଷ ଅନେକ ଆତଙ୍କୀ କମାଣ୍ଡରଙ୍କ ସମେତ ୧୭୦ରୁ ଅଧିକ ଆତଙ୍କବାଦୀ ନିପାତ ହେବାପରେ ଘାଟିରେ ହିଂସା କମିଛି ବୋଲି ସିଆରପିଏଫ୍‌ ଆଇଜି କହିଛନ୍ତି।

ସମ୍ବନ୍ଧିତ ଖବର