ପଞ୍ଜାବ ପୁଲିସ ଆରମ୍ଭ କଲା ‘ଅପରେସନ ଅମୃତପାଲ୍’ : ସମଗ୍ର ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା, ଇଣ୍ଟରନେଟ୍ ସେବା ବନ୍ଦ

ଚଣ୍ଡିଗଡ଼ : ଖାଲିସ୍ତାନ ସମର୍ଥକ ତଥା ‘ଓ୍ବାରିସ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲ ସିଂହକୁ ଧରିବା ପାଇଁ ପଞ୍ଜାବ ପୁଲିସ ଏକ ବଡ଼ ଅପରେସନ୍ ଆରମ୍ଭ କରିଛି । ପୁଲିସ ଏବେ ଅମୃତପାଲଙ୍କ ଲୁଚି ରହିଥିବା ସ୍ଥାନରେ ଚଢ଼ାଉ କରୁଛି । ମିଳିଥିବା ସୂଚନା ଅନୁଯାୟୀ, ଅମୃତପାଲଙ୍କୁ ଖୋଜିବାରେ ପାଖାପାଖି ୫ଟି ଟିମ୍ ନିୟୋଜିତ ଅଛନ୍ତି। ଏହା ସହ ପଞ୍ଜାବର ଅନେକ ସ୍ଥାନରେ ଇଣ୍ଟରନେଟ୍ ବନ୍ଦ କରାଯାଇଛି। ପଞ୍ଜାବର ଗିଦରବାହାରେ ଏୟାରଟେଲ, ଆଇଡିଆ ଏବଂ ବିଏସଏନଏଲର ଇଣ୍ଟରନେଟ ମଧ୍ୟ ବନ୍ଦ ରହିଛି । ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଜିଲ୍ଲା ସଙ୍ଗରୁରରେ ଇଣ୍ଟରନେଟ୍ ସେବା ମଧ୍ୟ ବନ୍ଦ ରହିଛି।

ଅମୃତସର-ଜଳନ୍ଧର ରାଜପଥରେ ମଧ୍ୟ ପୁଲିସ ମୁତୟନ ବଢ଼ାଇ ଦିଆଯାଇଛି । ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପୁଲିସ ୱାରିସ୍ ପଞ୍ଜାବ ଦେ’ର ମୁଖ୍ୟ ଅମୃତପାଲଙ୍କ କେତେକ ସହଯୋଗୀମାନଙ୍କୁ ଜଳନ୍ଧର ଜିଲ୍ଲାର ମେହତପୁର ଥାନାରେ ଅଟକ ରଖିଛି । ବର୍ଣ୍ଣାଲା ଜିଲ୍ଲାରେ ମୋବାଇଲ  ଓ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ବର୍ତ୍ତମାନ ସମଗ୍ର ପଞ୍ଜାବରେ ରବିବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖିବାକୁ ଘୋଷଣା କରାଯାଇଛି ।

ସୂତ୍ରରୁ ପ୍ରକାଶ ଯେ ଅମୃତପାଲ ସିଂହଙ୍କ ଟିମର ଏକ କାରକୁ ପଞ୍ଜାବ ପୁଲିସ ପିଛା କରିଥିଲା । କିନ୍ତୁ ଅମୃତପାଲ ସିଂହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ପଞ୍ଜାବର ମୋଗା ଜିଲ୍ଲାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି । ରାଜ୍ୟରେ ଆଇନ ଶୃଙ୍ଖଳା ବଜାୟ ରଖିବା ସହ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପଞ୍ଜାବ ପୁଲିସ ଜନସାଧାରଣଙ୍କୁ ନିବେଦନ କରିଛି।

 

ସମ୍ବନ୍ଧିତ ଖବର