କାସୋଲି: କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦମ୍ବରମ ୧୯୮୪ରେ ଅମୃତସରର ସ୍ବର୍ଣ୍ଣ ମନ୍ଦିରରେ ସଂଘଟିତ ଅପରେସନ୍ ବ୍ଲୁ ଷ୍ଟାର୍କୁ ‘ଭୁଲ୍ ପଦକ୍ଷେପ’ ବୋଲି ବର୍ଣ୍ଣନା କରିଛନ୍ତି। ଏହି ସାମରିକ ଅଭିଯାନରେ ମନ୍ଦିର ପରିସରରୁ ଖଲିସ୍ତାନୀ ଆତଙ୍କବାଦୀଙ୍କୁ ଖାଲି କରାଯାଇଥିଲା। ହିମାଚଳ ପ୍ରଦେଶର କସୌଲିରେ ଏକ ସାହିତ୍ୟ ଉତ୍ସବରେ ଚିଦମ୍ବରମ କହିଛନ୍ତି, ସେନା ଅଧିକାରୀଙ୍କୁ ଅପମାନିତ ନକରି, ମୁଁ କହୁଛି ଯେ ସ୍ବର୍ଣ୍ଣ ମନ୍ଦିରକୁ ପୁନରୁଦ୍ଧାର କରିବାରେ ଏହା ଏକ ଭୁଲ୍ ପଦ୍ଧତି ଥିଲା। ଅପରେସନ ବ୍ଲୁ ଷ୍ଟାର୍ ଭୁଲ୍ ଥିଲା ବୋଲି ପରବର୍ତ୍ତୀ ସମୟରେ ପ୍ରତିପାଦିତ ହୋଇସାରିଛି ଏବଂ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ଏଥିପାଇଁ ଜୀବନ ଦେବାକୁ ପଡ଼ିଛି।
ଇନ୍ଦିରାଙ୍କୁ ଜୀବନ ଦେବାକୁ ପଡ଼ିଲା: ଚିଦମ୍ବରମ
ସୂଚନାଯୋଗ୍ୟ, ୧୯୮୪ ଜୁନ୍ ୧ରୁ ୮ ତାରିଖ ମଧ୍ୟରେ ଚାଲିଥିବା ଅପରେସନ୍ ବ୍ଲୁ ଷ୍ଟାର୍ରେ ଭାରତୀୟ ସେନା ଟ୍ୟାଙ୍କ୍, ଆର୍ଟିଲେରୀ ଏବଂ ଭାରୀ ଯୁଦ୍ଧାସ୍ତ୍ର ବ୍ୟବହାର କରି ମନ୍ଦିର ପରିସରରେ ଲୁଚିଥିବା ଆତଙ୍କବାଦୀଙ୍କୁ ନିପାତ କରିଥିଲା। ରିପୋର୍ଟ ଅନୁଯାୟୀ, ୪୯୩ ଜଣ ଆତଙ୍କବାଦୀ ଏବଂ ୮୩ ଜଣ ନାଗରିକ ଏଥିରେ ନିହତ ହୋଇଥିଲେ। ତେବେ ଶିଖ ସଂଗଠନଗୁଡ଼ିକ ଦାବି କରିଛନ୍ତି ଯେ ଏହି ଅପରେସନରେ ନାଗରିକ ମୃତ୍ୟୁ ସଂଖ୍ୟା ୧ ହଜାରରୁ ଅଧିକ ଥିଲା। ଚିଦମ୍ବରମ୍ ସ୍ପଷ୍ଟ କରିଛନ୍ତି ଯେ ଏହି ନିଷ୍ପତ୍ତି କେବଳ ଇନ୍ଦିରା ଗାନ୍ଧୀଙ୍କ ଏକାକୀ ନିର୍ଣ୍ଣୟ ନଥିଲା, ବରଂ ସେନା, ପୁଲିସ, ଗୁଇନ୍ଦା ସଂସ୍ଥା ଏବଂ ପ୍ରଶାସନର ସମ୍ମିଳିତ ପରାମର୍ଶରେ ନିଆଯାଇଥିଲା। ଅପରେସନ୍ର ପରିଣାମ ଭୟଙ୍କର ଥିଲା ଏବଂ ୧୯୮୪ ଅକ୍ଟୋବର ୩୧ରେ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଶିଖ୍ ସୁରକ୍ଷା କର୍ମୀ ଗୁଳିକରି ହତ୍ୟା କରିଥିଲେ। ଏହି ଘଟଣା ଦିଲ୍ଲୀ ଏବଂ ଅନ୍ୟ ସ୍ଥାନରେ ଶିଖ୍ ବିରୋଧୀ ଦଙ୍ଗା ସୃଷ୍ଟି କରିଥିଲା, ଯେଉଁଥିରେ ବହୁ ସଂଖ୍ୟାରେ ଶିଖ୍ଙ୍କୁ ନିର୍ମମ ହତ୍ୟା କରାଯାଇଥିଲା। ଚିଦମ୍ବରମଙ୍କ ବିବୃତି ଏହି ଐତିହାସିକ ଘଟଣାର ସମ୍ବେଦନଶୀଳତାକୁ ପୁଣି ସାମ୍ନାକୁ ଆଣିଛି। ସେ କହିଛନ୍ତି ପଞ୍ଜାବର ପ୍ରକୃତ ସମସ୍ୟା ହେଉଛି ଏହାର ଆର୍ଥିକ ସଙ୍କଟ ଏବଂ ଏହା ଦିନକୁ ଦିନ ଜଟିଳ ହେଉଛି। ଚିଦମ୍ବରମଙ୍କ ଏହି ବିବୃତି ସାମାଜିକ ଗଣମାଧ୍ୟମରେ ବିବାଦ ସୃଷ୍ଟି କରିଛି।
କଂଗ୍ରେସରେ ବିବାଦ, ଚିଦମ୍ବରମଙ୍କୁ ସମାଲୋଚନା
ବୟାନର ଉଦ୍ଦେଶ୍ୟକୁ ନେଇ ପ୍ରଶ୍ନ
ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ଅପରେସନ୍ ବ୍ଲୁ ଷ୍ଟାର ସମ୍ପର୍କିତ ବୟାନ ଦଳ ଭିତରେ ବିବାଦ ସୃଷ୍ଟି କରିଛି। ହିମାଚଳ ପ୍ରଦେଶର କସୌଲିରେ ଏକ ସାହିତ୍ୟ ସମାରୋହରେ ସେ ୧୯୮୪ରେ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱରେ ଅମୃତସରର ସ୍ୱର୍ଣ୍ଣ ମନ୍ଦିରରୁ ଆତଙ୍କବାଦୀଙ୍କୁ ହଟାଇବା ପାଇଁ ଅପରେସନ୍ ବ୍ଲୁ ଷ୍ଟାରକୁ ‘ଭୁଲ୍ ପଦକ୍ଷେପ’ ଦର୍ଶାଇବା ନେଇ ଅନେକ କଂଗ୍ରେସ ନେତା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏହି ବୟାନକୁ କଂଗ୍ରେସ ନେତୃତ୍ୱ ‘ଅନାବଶ୍ୟକ’ଓ ‘ଅଯଥା ବିବାଦୀୟ’ ବୋଲି କହିଛି। ସାଂସଦ ରଶିଦ ଆଲ୍ଭି ଚିଦମ୍ବରମଙ୍କ ଉଦ୍ଦେଶ୍ୟ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ‘କଂଗ୍ରେସ ତାଙ୍କୁ ସବୁ ଦେଇଛି, ତଥାପି ସେ କାହିଁକି ଦଳକୁ ଅସୁବିଧାରେ ପକାଉଛନ୍ତି?’ ଅପରେସନ୍ ବ୍ଲୁ ଷ୍ଟାର ପଞ୍ଜାବର ଏକ ସ୍ପର୍ଶକାତର ବିଷୟ, ଯାହା ଶିଖ ସମ୍ପ୍ରଦାୟ ଓ କେନ୍ଦ୍ର ସରକାର ମଧ୍ୟରେ ଦୂରତ୍ୱ ସୃଷ୍ଟି କରିଥିଲା। ନିର୍ବାଚନ ପୂର୍ବରୁ ଏହି ବୟାନ କଂଗ୍ରେସକୁ ରାଜନୈତିକ ଭାବେ ଅସୁବିଧାରେ ପକାଇପାରେ ବୋଲି ମଧ୍ୟ କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/13/sfdaadga-2025-10-13-04-28-16.jpg)