ଜେଲ୍‌ ଭିତରୁ ଚାଲିଛି ଅପରେସନ୍: ସୁଧୁରୁନି ଦୁର୍ଦାନ୍ତ ଲରେନ୍ସ ବିଷ୍ଣୋଇ

୭୦୦ ସୁଟର୍‌ଙ୍କୁ ନେଇ ଚାଲିଛି ଗ୍ୟାଙ୍ଗ୍‌, ଖଲିସ୍ତାନୀ ଆତଙ୍କୀ ସଂଗଠନ ସହ ସମ୍ପର୍କ

ନୂଆଦିଲ୍ଲୀ: ବଲିଉଡ ଷ୍ଟାର୍‌ ସଲମାନ ଖାନ୍‌ଙ୍କୁ ତୁହାକୁ ତୁହା ହତ୍ୟା ଧମକ ଦେବା ଏବଂ ନିକଟରେ ତାଙ୍କ ଘର ଉପରକୁ ଗୁଳିମାଡ଼ ମାମଲା ନେଇ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ଚର୍ଚ୍ଚାରେ ରହିଛି। ଏବେ ତିହାର ଜେଲ୍‌ରେ ବନ୍ଦୀ ଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ତା’ର ବିଶାଳ ଗ୍ୟାଙ୍ଗ୍‌କୁ ବିଭିନ୍ନ ଉପାୟରେ ସକ୍ରିୟ ରଖିବାକୁ ସକ୍ଷମ ହୋଇଛି। ପଞ୍ଜାବର ଫିରୋଜପୁରର ଏକ ଗ୍ରାମରେ ୧୨ ଫେବ୍ରୁଆରି ୧୯୯୩ରେ ଜନ୍ମିତ ଲରେନ୍ସ ବିଷ୍ଣୋଇ ଏକାଧିକ ହତ୍ୟା ମାମଲା ସମେତ ୩୦ରୁ ଅଧିକ ସାଂଘାତିକ ଅପରାଧରେ ସିଧାସଳଖ ସଂପୃକ୍ତ। ବିଷ୍ଣୋଇ ସାରା ଦେଶରେ ୭୦୦ରୁ ଅଧିକ ସୁଟର୍‌ ଗ୍ୟାଙ୍ଗର ନେତୃତ୍ବ ନେଉଛି। ସେ ୨୦୧୦ରୁ ୨୦୧୨ ମଧ୍ୟରେ ଚଣ୍ଡିଗଡ଼ରେ ନିଜର ଅପରାଧିକ କାର୍ଯ୍ୟକଳାପ ଆରମ୍ଭ କରିଥିଲା ଏବଂ ତା’ ବିରୋଧରେ ହତ୍ୟା, ହତ୍ୟା ଉଦ୍ୟମ, ଅନୁପ୍ରବେଶ, ଆକ୍ରମଣ ଏବଂ ଡକାୟତି ଭଳି ଅପରାଧରେ ଅନେକ ଏଫ୍ଆଇଆର୍ ରୁଜୁ ହୋଇଥିଲା। ବିଷ୍ଣୋଇ ଜେଲରେ ଥିବା ଅପରାଧୀଙ୍କ ସହ ମେଣ୍ଟ କରିବା ସହ ଅସ୍ତ୍ରଶସ୍ତ୍ର ବ୍ୟବସାୟୀ ଏବଂ ସ୍ଥାନୀୟ ଅପରାଧୀଙ୍କ ସହ ସଂପର୍କରେ ରହି ତା’ ଗ୍ୟାଙ୍ଗ୍‌ର କାୟାବିସ୍ତାର କରିଛି।

ନିର୍ବାଚନରେ ବିଜୟୀ ପ୍ରାର୍ଥୀଙ୍କୁ ଗୁଳି କରି ହତ୍ୟା କରିବା, ମଦ କାରବାରରେ ପଶିବା ସମେତ ବିଭିନ୍ନ ଅପରାଧିକ କାର୍ଯ୍ୟରେ ବିଷ୍ଣୋଇ ସିଧାସଳଖ ସମ୍ପୃକ୍ତ ରହିଛି। ୨୦୧୦ରୁ ୨୦୧୨ ମଧ୍ୟରେ ଚଣ୍ଡିଗଡ଼ ଏବଂ ରାଜସ୍ଥାନରେ ସେ ବିଭିନ୍ନ ଅପରାଧ ଘଟାଇ ଚର୍ଚ୍ଚାରେ ରହିଥିଲା। ଗତବର୍ଷ ଡିସେମ୍ବରରେ ଜୟପୁରରେ ରାଷ୍ଟ୍ରୀୟ ରାଜପୁତ କର୍ଣ୍ଣି ସେନା ସଭାପତିଙ୍କୁ ଲରେନ୍ସ ଗ୍ୟାଙ୍ଗ ତାଙ୍କ ଘରେ ପଶି ହତ୍ୟା କରିଥିଲା। ୨୦୨୨ରେ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା ଏବଂ ଲରେନ୍ସ ଗ୍ୟାଙ୍ଗ ଏହି ଗୁଳିକାଣ୍ଡରେ ସମ୍ପୃକ୍ତ ଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରେ ଏବେ ପ୍ରାୟ ୧ ହଜାର ସଦସ୍ୟ ଥିବା ବେଳେ ସେମାନେ ମୁଖ୍ୟତଃ ବେଆଇନ ମଦ, ବେଆଇନ ଖଣି ଖନନ, ଜମି ବିକ୍ରି, ରିୟଲ ଇଷ୍ଟେଟ ଏବଂ ଅନ୍ୟାନ୍ୟ ଅପରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତ ଅଛନ୍ତି। ଲରେନ୍ସ ଗ୍ୟାଙ୍ଗର ସଦସ୍ୟମାନେ ହରିୟାଣା ଏବଂ ରାଜସ୍ଥାନରେ ବେଆଇନ ମଦ ବିକ୍ରିକୁ ନେଇ ବିଶାଳ କାରବାର ଚଳାଇଛନ୍ତି ଏବଂ ବେଆଇନ ଖଣି ଖନନରେ ମଧ୍ୟ ସମ୍ପୃକ୍ତ ଥିବା ପ୍ରମାଣ ରହିଛି। ସେମାନେ ଖଲିସ୍ତାନୀ ସମର୍ଥକ ସଂଗଠନ ସହ ମଧ୍ୟ ଜଡ଼ିତ ଅଛନ୍ତି ଏବଂ ଭାରତ ବାହାରେ ସେମାନଙ୍କର ନେଟୱର୍କ ରହିଛି। କାନାଡ଼ାରୁ ଅପରାଧ ନେଟ୍‌ୱର୍କ ଚଳାଉଥବା ଗୋଲ୍ଡି ବ୍ରାର ହେଉଛି ଲରେନ୍ସ ଗ୍ୟାଙ୍ଗ୍‌ର ଅନ୍ୟତମ ପ୍ରମୁଖ ସଂଚାଳକ ଏବଂ ସେ ଖଲିସ୍ତାନୀ ଆତଙ୍କୀ ସଂଗଠନଗୁଡ଼ିକ ସହ ତାଳମେଳ ରଖି ଭାରତରେ ଅପରାଧ ଘଟାଇବାରେ ସକ୍ଷମ ହେଉଛି।

ସମ୍ବନ୍ଧିତ ଖବର