ନୂଆଦିଲ୍ଲୀ: ହିଂସା ପ୍ରବଣ ସୁଦାନରୁ ଯୁଦ୍ଧକାଳୀନ ଭିତ୍ତିରେ ଭାରତୀୟଙ୍କୁ ଉଦ୍ଧାର କରାଯାଉଛି। ଭାରତୀୟ ବାୟୁ‌ସେନାର ୨ଟି ସାମରିକ ବିମାନରେ ୨୫୦ରୁ ଅଧିକ ଭାରତୀୟଙ୍କୁ ସୁଦାନରୁ ଉଦ୍ଧାର କରାଯାଇଛି। ଅନ୍ୟପକ୍ଷେ ନୌସେନା ଜାହାଜରେ ୨୭୮ ଭାରତୀୟ ନାଗରିକ ସୁଦାନ ଛାଡ଼ି ‌ଜେଦାହରେ ପହଞ୍ଚି ସାରିଛନ୍ତି। ସୁଦାନରୁ ପ୍ରାୟ ୫୩୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଅପରେସନ କାବେରୀ ଅଧୀନରେ ଭାରତ ଜେଦାହରେ ଏକ ଟ୍ରାନଜିଟ୍‌ ଫ୍ୟାସିଲିଟି ବ୍ୟବସ୍ଥା କରିଛି। ସୁଦାନରୁ ଉଦ୍ଧାର ହେଉଥିବା ସମସ୍ତ ଭାରତୀୟ ଜେଦାହରେ ଆସି ପହଞ୍ଚୁଛନ୍ତି। ଭାରତୀୟ ନୌସେନା ଜାହାଜ ଆଇଏନ୍‌ଏସ ସୁମେଧାରେ ପ୍ରଥମ ବ୍ୟାଚ୍‌ରେ ୨୭୮ ଭାରତୀୟ ଉଦ୍ଧାର ହୋଇଥିଲେ। ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୂଚନା ଅନୁଯାୟୀ ସି-୧୩୦ଜେ ବିମାନରେ ପ୍ରଥମ ପର୍ଯ୍ୟାୟରେ ଜେଦାହକୁ ୧୨୧ ଯାତ୍ରୀ ଆସିଥିଲେ । ଅନ୍ୟପକ୍ଷେ ଦ୍ବିତୀୟ ବ୍ୟାଚ୍‌ରେ ୧୩୫ ଭାରତୀୟଙ୍କୁ ଉଦ୍ଧାର କରାଯାଇଥିଲା। ବିଦେଶ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭି ମୂରଲୀଧରନ ଜେଦାହରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ତଦାରଖ କରିଛନ୍ତି। ଜେଦାହରୁ ନାଗରିକମାନଙ୍କୁ ବାୟୁସେନା ବିମାନରେ ଭାରତ ଫେରାଯିବ।

Advertisment

ଉଲ୍ଲେଖଯୋଗ୍ୟ, ସୁଦାନରେ ଗତ ୧୨ ଦିନ ଧରି ସେନା ଏବଂ ଅର୍ଦ୍ଧସାମରିକ ବାହିନୀ ମଧ୍ୟରେ ଯୁଦ୍ଧ ଲାଗି ରହିଛି। ଏହି ଯୁଦ୍ଧରେ ୪୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ପ୍ରାୟ ୪ ହଜାର ଲୋକ ଆହତ ହୋଇଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ସୁଦାନ ସେନା ଦ୍ବାରା ୭୨ ଘଣ୍ଟିଆ ଅସ୍ତ୍ରବିରତି ଘୋଷଣା ହୋଇଥିଲା। କିନ୍ତୁ ପୁଣିଥରେ ବିମାନ ଆକ୍ରମଣ ଏବଂ ଗୁଳିମାଡ଼ ଯୋଗୁଁ ଅସ୍ତ୍ରବିରତି ବିଫଳ ହୋଇଛି। ଫଳରେ ଉଦ୍ଧାର କାର୍ଯ୍ୟ ଜଟିଳ ହୋଇଯାଇଛି।