ହାଇଦ୍ରାବାଦ ଫାର୍ମହାଉସ୍‌ରେ ‘ଅପରେସନ କମଳ’?

ବିଜେପି କହି‌ଲା ‘କେସିଆର୍ ନାଟକ କରୁଛନ୍ତି’

ହାଇଦ୍ରାବାଦ: ଦିଲ୍ଲୀ ପରେ ତେଲେଙ୍ଗାନାରେ ବି ‘ଅପରେସନ କମଳ’ର ଅଭିଯୋଗ ଉଠିଛି। ବିଜେପିରେ ମିଶିବା ପାଇଁ ଚାରି ଜଣ ଟିଆର୍‌ଏସ୍ ବିଧାୟକଙ୍କୁ ଲାଞ୍ଚ ଦିଆଯିବା ବେଳେ ପୁଲିସ ତିନିଜଣଙ୍କୁ ଧରିଛି ବୋଲି ଦାବି କରିବା ପରେ ରାଜନୈତିକ ପାଣିପାଗ ସରଗରମ ହୋଇଛି। ଅଭିଯୋଗ ଅନୁଯାୟୀ, ଗତରାତିରେ ଏକ ଫାର୍ମହାଉସ୍‌ରେ ଜଣେ ପ୍ରମୁଖ ଟିଆର୍‌ଏସ୍ ନେତାଙ୍କୁ ୧୦୦ କୋଟି ଓ ଅନ୍ୟ ବିଧାୟକମାନଙ୍କୁ ଜଣପିଛା ୫୦ କୋଟି ଲେଖାଏ ଦେବାକୁ ଗୁପ୍ତ ରାଜିନାମା ହୋଇଥିଲା। ପୁଲିସର ଦାବି ଅନୁଯାୟୀ ଜନୈକ ବିଧାୟକ ପାଇଲଟ ରୋହିତ ରେଡ୍ଡୀ, ଯେ କି ଫାର୍ମହାଉସ୍‌ର ମାଲିକ, ସେ ପୁଲିସକୁ ସୂଚନା ଦେଇଥିଲେ। ଏ ସମ୍ପର୍କରେ ଥାନାରେ ଦେଇଥିବା

ଏଫ୍‌ଆଇଆର୍‌ରେ ସେ ସ୍ବାକ୍ଷର କରିଛନ୍ତି। ଟେବୁଲ ଉପରେ ଚାରିଜଣ ବିଧାୟକଙ୍କ ପାଇଁ ୨୫୦ କୋଟି ଟଙ୍କା ଥୁଆ ହୋଇଥିବା ସେ ଦେଖିଛନ୍ତି ବୋଲି ଦାବି କରିଛନ୍ତି। ବିଜେପିରେ ଯୋଗ ନ ଦେଲେ କେନ୍ଦ୍ରୀୟ ତଦନ୍ତର ଧମକ ଦିଆଯାଇଥିବା ମଧ୍ୟ ରେଡ୍ଡୀ ଅଭିଯୋଗ କରିଛନ୍ତି। ପୁଲିସ ଏ ବାବଦରେ ଏକ ମାମଲା ରୁଜୁ କରି ତିନିଜଣ ଲୋକଙ୍କୁ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଉଛନ୍ତି- ହରିୟାଣା ଫରିଦାବାଦର ଜଣେ ପୁରୋହିତ ସତ୍ୟେଶ ଶର୍ମା, ତିରୁପତିର ଜଣେ ମହନ୍ତ ଡି ସିଂହୟାଜି ଏବଂ ହାଇଦ୍ରାବଦର ଜଣେ ବ୍ୟବସାୟୀ ନନ୍ଦକୁମାର। ଏମାନଙ୍କର ବିଜେପି ସହ ସମ୍ପର୍କ ଅଛି ବୋଲି ପୁଲିସ ଦାବି କରିଛି।

ଅପ‌ରପକ୍ଷେ ବିଜେପି ପକ୍ଷରୁ କୁହାଯାଇଛି ଯେ, ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଭଲ ନାଟକ କରି ଜାଣନ୍ତି। ପୁଲିସ ଫାର୍ମହାଉସ୍‌ରେ ପହଞ୍ଚିବା ପୂର୍ବରୁ ବି ମିଡ଼ିଆବାଲା ପହଞ୍ଚିଯାଇଥିଲେ। ଭିତରେ କ’ଣ ଘଟୁଛି ମିଡ଼ିଆବାଲା ତା’ର ବିବରଣୀ ଦେଉଥିଲେ। ଉକ୍ତ ଲୋକମାନଙ୍କୁ ଫାର୍ମହାଉସ୍‌ରେ ପ୍ରବେଶ ପାଇଁ କିଏ ଅନୁମତି ଦେଲା? ବିଜେପି ଏଥିରେ କିପରି ସମ୍ପୃକ୍ତ? ଅଟକ ବ୍ୟକ୍ତିମାନଙ୍କର ବିଜେପି ସହ କୌଣସି ସମ୍ପର୍କ ନାହିଁ ବୋଲି ତେଲେଙ୍ଗାନା ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ କିଷନ ରେଡ୍ଡୀ କହିଛନ୍ତି। ବିଜେପି କହିଛି ଏହି ଚାରିଜଣ ବିଧାୟକଙ୍କ ପାଇଁ ଏତେ ଟଙ୍କା ଦେବାର କୌଣସି ଯଥାର୍ଥତା ନାହିଁ। ରାଜ୍ୟରେ ଟିଆର୍‌ଏସ୍‌ ଭଲ ସ୍ଥିତିରେ ଅଛି। ଏହି ଚାରିଜଣଙ୍କୁ ବିଜେପିକୁ ଟାଣିନେଲେ କ’ଣ ସରକାର ଭାଙ୍ଗିଯିବ? ତେଣୁ କାହିଁକି ସେମାନଙ୍କ ପିଛା ବିଜେପି ଏତେ ଟଙ୍କା ଖର୍ଚ୍ଚ କରିବ ବୋଲି ରେଡ୍ଡୀ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର