ଶ୍ରୀନଗର: ଅପରେସନ୍ ସିନ୍ଦୂରର ସଫଳତା ପରେ ଭାରତୀୟ ସେନା ପକ୍ଷରୁ ଆଜି ଜମ୍ମୁ କାଶ୍ମୀରର ସୋପିଆନ ଜିଲ୍ଲାରେ ଅପରେସନ୍ କେଲର୍ ଆରମ୍ଭ ହୋଇଛି। ଜିଲ୍ଲାର ସୋଏକଲ କେଲର୍ ଅଞ୍ଚଳରେ ହୋଇଥିବା ଏହି ଅପରେସନ୍ରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିମାଡ଼ ହୋଇଛି। ଏଥିରେ ୩ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଲସ୍କର-ଏ-ତୋଇବା (ଏଲ୍ଇଟି)/ ଦ ରେଜିଷ୍ଟାନ୍ସ ଫ୍ରଣ୍ଟ୍(ଟିଆର୍ଏଫ୍)ର ଶୀର୍ଷ କମାଣ୍ଡର୍ ଶାହିଦ କୁଟ୍ଟେ ରହିଛି। ନିହତ ଅନ୍ୟ ଦୁଇ ଆତଙ୍କବାଦୀ ହେଲେ ଅଦନାନ୍ ଶାଫି ଏବଂ ଏହସାନ୍ ଉଲ୍ ହକ୍ ଶେଖ୍ ବୋଲି କୁହାଯାଉଛି। ପହଲଗାମ ଆତଙ୍କବାଦୀ ଆକ୍ରମଣ ପାଇଁ ଲସ୍କର ଏ ତୋଇବାର ଆଗୁଆ ସଂଗଠନ ଦ ରେଜିଷ୍ଟାନ୍ସ ଫୋର୍ସ (ଟିଆର୍ଏଫ୍) ନିଜକୁ ଦାୟୀ କରିଥିଲା। ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ, ସାହିଦ କୁଟ୍ଟେ ଅନ୍ୟ ସଦସ୍ୟମାନଙ୍କ ସହ ମିଶି ପହଲଗାମରେ ଆକ୍ରମଣ କରିଥିଲା ଏବଂ ସେ ପହଲଗାମ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ୍ ଥିଲା। ଅବଶ୍ୟ ପରେ ଟିଆର୍ଏଫ୍ ପଲଟି ଯାଇଥିଲା।
ସୋପିଆନ ସୋଏକଲ କେଲର୍ ଅଞ୍ଚଳର ଅଲଶିପୋରାରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ଗୁଇନ୍ଦା ସୂଚନା ମିଳିବା ପରେ ସେନା ପକ୍ଷରୁ ଏକ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଅପରେସନ୍ ସମୟରେ ପ୍ରଥମେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ। ପାଲଟା ଜବାବ ଦେଇ ସୁରକ୍ଷାକର୍ମୀ ମଧ୍ୟ ଗୁଳି ଚଳାଇଥିଲେ। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ୩ କୁଖ୍ୟାତ ଆତଙ୍କବାଦୀ ନିପାତ ହୋଇଥିବା ନେଇ ଭାରତୀୟ ସେନା ଏକ୍ସରେ ଏକ ପୋଷ୍ଟ୍ କରି କହିଛି। ଲୁଚିଥିବା ଆତଙ୍କବାଦୀଙ୍କୁ ଖୋଜିବା ପାଇଁ ଅପରେସନ୍ କେଲର୍ ଅଧୀନରେ ଭାରତୀୟ ସେନା, ଜମ୍ମୁ କାଶ୍ମୀର ପୁଲିସ ଏବଂ ସିଆର୍ପିଏଫ୍ ପକ୍ଷରୁ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା।