ଅପରେସନ ଲଣ୍ଡନ ବ୍ରିଜ୍‌: ବ୍ରିଟେନ ରାଣୀ ଏଲିଜାବେଥ୍‌-୨ଙ୍କ ‘ମୃତ୍ୟୁ ପ‌ର ଯୋଜନା’ ଲିକ୍‌

ଲଣ୍ଡନ: ବ୍ରିଟେନ ରାଣୀ ଏଲିଜାବେଥ୍‌-୨ଙ୍କ ମୃତ୍ୟୁ ପରେ କି ପଦକ୍ଷେପ ନିଆଯିବ ସେ ନେଇ ଏକ ଯୋଜନା ପ୍ରସ୍ତୁତ ହୋଇଛି। ଫଳରେ ରାଣୀଙ୍କ ମୃତ୍ୟୁ ସମୟରେ ଏବଂ ତାହା ପରେ ଗୋଟିଏ ପରେ ଗୋଟିଏ ପଦକ୍ଷେପ କିଭଳି ଗ୍ରହଣ କରାଯିବ ତାହା ଏଥିରେ ଉଲ୍ଲେଖ ରହିଛି। ତେବେ ଏହି ଗୋପନ ଯୋଜନାଟି ଏବେ ଲିକ୍‌ ହୋଇଯାଇଥିବାରୁ ବିଭିନ୍ନ ମହଲରୁ କର୍ତ୍ତୃପକ୍ଷଙ୍କୁ କଡ଼ା ସମାଲୋଚନା କରାଯାଇଛି। ରାଣୀ ଏଲିଜାବେଥ୍‌-୨ ବଞ୍ଚିଥିବା ଏବଂ ସଂପୂର୍ଣ୍ଣ ସୁସ୍ଥ ଥିବା ବେଳେ ଏଭଳି ଯୋଜନା କାହିଁକି କରାଯାଉଛି ବୋଲି ପ୍ରଶ୍ନ କରାଯାଇଛି। ଯୋଜନା ଲିକ୍‌ ହୋଇଥିବା ସଂପର୍କରେ ବକିଂହାମ୍‌ ପ୍ୟାଲେସ୍‌ର ଅଧିକାରୀମାନେ ମତାମତ ଦେବାକୁ ମନା କରିଦେଇଛନ୍ତି।

ଆମେରିକାର ଖବର ପ୍ରଦାନକାରୀ ସଂସ୍ଥା ପଲିଟିକୋ ପ୍ରଥମେ ଏ ସଂକ୍ରାନ୍ତ ଖବର ପ୍ରକାଶ କରିଥିଲା। ରାଣୀଙ୍କ ମୃତ୍ୟୁ ପରବର୍ତ୍ତୀ ଯୋଜନାର କୋଡ୍‌ ନାମ ‘ଅପରେସନ୍ ଲଣ୍ଡନ୍‌ ବ୍ରିଜ୍‌’ ରଖାଯାଇଛି। ଏପରିକି ରାଣୀ ଯେଉଁଦିନ ମୃତ୍ୟୁବରଣ କରିବେ ସେହିଦିନକୁ ଅଧିକାରୀମାନେ ‘ଡି-ଡେ’ ଭାବେ ଆଖ୍ୟା ଦେବେ। ରାଣୀଙ୍କୁ ଏବେ ୯୫ ବର୍ଷ ହୋଇଛି। ବ୍ରିଟେନର ରାଜ ପରିବାରର ଇତିହାସରେ ସେ ସବୁଠୁ ଅଧିକ ଦିନ ରାଣୀ ରହିଲେଣି। ମୃତ୍ୟୁର ୧୦ ଦିନ ପରେ ରାଣୀଙ୍କୁ କବର ଦିଆଯିବ। କବର ଦିଆଯିବା ପୂର୍ବରୁ ପୁଅ ତଥା ଉତ୍ତରାଧିକାରୀ ପ୍ରିନ୍ସ ଚାର୍ଲସ ୧୦ ଦିନ ଦେଶର ବ୍ୟାପକ ଅଞ୍ଚଳ ଗସ୍ତ କରିବେ। ସଂସଦ ଭବନରେ ରାଣୀଙ୍କ କଫିନକୁ ୩ ଦିନ ରଖାଯିବ। ଲଣ୍ଡନକୁ ବିଭିନ୍ନ ସ୍ଥାନରୁ ହଜାର ହଜାର ଲୋକ ଆସିବା ଆଶା ରହିଥିବାରୁ ରାଣୀଙ୍କ ମରଶରୀରକୁ ସେଠାରେ ରଖାଯିବ। ସେହିଭଳି ରାଣୀଙ୍କ ଶେଷକୃତ୍ୟ ଶୋଭାଯାତ୍ରାରେ ବହୁସଂଖ୍ୟାରେ ଲୋକ ଯୋଗଦେବେ। ଏହାକୁ ପରିଚାଳନା କରିବା ପାଇଁ ବ୍ୟାପକ ସୁରକ୍ଷା ଯୋଜନା କରାଯାଇଛି।

ସମ୍ବନ୍ଧିତ ଖବର