ଶ୍ରୀନଗର: ଅପରେସନ ମହାଦେବ ଜରିଆରେ ଭାରତୀୟ ସେନା ୩ଜଣ ଆତଙ୍କବାଦୀଙ୍କୁ ନିପାତ କରିଥିଲା। ନିପାତ ହୋଇଥିବା ୩ଜଣ ଆତଙ୍କବାଦୀ ସୁଲେମାନ, ଅଫଗାନ ଏବଂ ଜିବ୍ରାନ ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଥିବା ଜଣାପଡ଼ିଛି।
ଜମ୍ମୁ ଓ କାଶ୍ମୀରର ପହଲଗାମରେ ଏପ୍ରିଲ ୨୨ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଥିବା କାନପୁରର ଶୁଭମ ଦ୍ୱିବେଦୀଙ୍କ ପତ୍ନୀ ଆଶାନ୍ୟା ଦ୍ୱିବେଦୀ 'ଅପରେସନ୍ ମହାଦେବ'ର ସଫଳତାକୁ ନେଇ କହିଛନ୍ତି, ମୁଁ ପ୍ରକୃତରେ ଆଶ୍ୱସ୍ତ ଯେ ଆରମ୍ଭ ହୋଇଗଲାଣି। ଯନ୍ତ୍ରଣାତ ମଲା ଯାଏଁ ଦୂର ହେବ ନାହିଁ କିନ୍ତୁ ଅତି କମରେ ଆମେ ଏବଂ ସେହି ଆକ୍ରମଣରେ ଯେଉଁମାନେ ସେମାନଙ୍କ ପ୍ରିୟଜନଙ୍କୁ ହରାଇଛନ୍ତି ସେମାନେ ସମସ୍ତେ କିଛି ପାରିମାଣରେ ଶାନ୍ତି ପାଇ ପାରିବେ।
ଏବେ ମୁଁ ଟିକିଏ ଶାନ୍ତିରେ ଶୋଇପାରିବି । କାରଣ ମୋ ସ୍ୱାମୀଙ୍କୁ ହତ୍ୟା କରିଥିବା ଆତଙ୍କବାଦୀ ନିପାତ ହୋଇଛନ୍ତି। ଖୁବ୍ ଶୀଘ୍ର ସେହି ଲୋକମାନେ ମଧ୍ୟ ଭାରତୀୟ ସେନାର ଆକ୍ରମଣରେ ନିହତ ହେବେ ଯେଉଁମାନେ ଏପରି ଅପରେସନ୍ ଚଳାଉଛନ୍ତି କିମ୍ବା ଆତଙ୍କବାଦୀଙ୍କୁ ତାଲିମ ଦେଉଛନ୍ତି। ମୋର ଆମର ଭାରତୀୟ ସେନା ଉପରେ ପୂର୍ଣ୍ଣ ବିଶ୍ୱାସ ଅଛି।"
ଏଥିସହିତ ଆଶାନ୍ୟା ଦ୍ୱିବେଦୀ ସଂସଦରେ 'ଅପରେସନ୍ ସିନ୍ଦୂର' ଉପରେ ଚାଲିଥିବା ଆଲୋଚନା ମଧ୍ୟରେ ପହଲଗାମ୍ ଆକ୍ରମଣରେ ମୃତ ସମସ୍ତ ୨୬ ଜଣଙ୍କ ପାଇଁ ସହିଦ ମାନ୍ୟତା ଦାବି କରିଛନ୍ତି।
ଉଲ୍ଲେଖଯୋଗ୍ୟ, ଏପ୍ରିଲ ୨୨ ରେ, ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ଆତଙ୍କବାଦୀଙ୍କ ଗୁଳିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିଲେ।